www.samajalive.in
Wednesday, December 10, 2025
14.1 C
Bhubaneswar

ହରଭଙ୍ଗା ବ୍ଲକରେ ‘ମୋ ସରକାର’ କାର୍ଯ୍ୟକ୍ରମ ଦିଗହରା; ପ୍ରଚାରରେ ସୀମିତ ସରକାରଙ୍କ ୫ଟି କାର୍ଯ୍ୟକ୍ରମ

ହରଭଙ୍ଗା: ୨ ଅକ୍ଟୋବର ୨୦୧୯ରେ ରାଜ୍ୟ ସରକାରଙ୍କ ଜନହିତକର ଏବଂ ଲୋକାଭିମୁଖୀ ମହତ୍‍ କାର୍ଯ୍ୟକ୍ରମ ‘ମୋ ସରକାର’ ଏବଂ ୫ଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଗଲା। ପ୍ରାଥମିକତା ଭିତିରେ ସ୍ୱାସ୍ଥ୍ୟସେବା ଏବଂ ପୁଲିସ ସେବାରେ ‘ମୋ ସରକାର’ ନିୟମ କାର୍ଯ୍ୟକାରୀ ହେଲା। ପରବର୍ତୀ ସମୟରେ ଡିସେମ୍ବର ୨୦୧୯ରେ ପଂଚାୟତିରାଜ ବିଭାଗରେ ‘ମୋ ସରକାର’ ନିୟମ ଲାଗୁହେଲା। ଏହାପରେ ବ୍ଲକରେ ଚାଲିଥିବା ଆଖିବୁଜା ଦୁର୍ନୀତି ଏବଂ ଅଦୃଶ୍ୟ ପିସି କାରବାରରେ ସୁଧାର ଆସିବ ବୋଲି ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ସୃଷ୍ଟିହେଲା। ଏହା ସହିତ ବ୍ଲକର ଜନସାଧାରଣଙ୍କୁ ଉତ୍ତମସେବା ଯୋଗାଇଦେବା ଲକ୍ଷ୍ୟରେ ‘ମୋ ସରକାର’ କକ୍ଷ ବ୍ଲକରେ ମଧ୍ୟ ଖୋଲାଗଲା। ଏହା ଜରିଆରେ ଜନସାଧାରଣଙ୍କ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଏକ ସମ୍ଭାବନା ସୃଷ୍ଟିହେଲା। ପଂଚାୟତିରାଜ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବାର ପାଖାପାଖି ଦୁଇ ବର୍ଷ ପରେ ବି ବ୍ଲକରେ ଚାଲିଥିବା ଆଖିବୁଜା ଦୁର୍ନୀତି ଏବଂ ଅଦୃଶ୍ୟ ପିସି କାରବାର ବୃଦ୍ଧି ପାଇବା ଘଟଣା ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ନିୟମ କାର୍ଯ୍ୟକାରୀ ପରେ ବି ସାବତ ପୁଅ ନ୍ୟାୟରେ ଜଣେ ଜଣେ କିରାଣୀ ବ୍ଲକରେ ୫ବର୍ଷରୁ ଅଧିକ ସମୟ କାର୍ଯ୍ୟକରିବା ୫ଟି ନିୟମର ଖୋଲାଖୋଲି ଉଲ୍ଲଘଂନର ଆଉ ଏକ ନମୁନା ଦେଖିବାକୁ ମିଳିଛି। ଫଳରେ ସରକାରଙ୍କ ୫ଟି ଭଳି ମହତାକାଂକ୍ଷୀ କାର୍ଯ୍ୟକ୍ରମ କେବଳ ପ୍ରଚାର ସିମୀତ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

ସୂଚନା ମତେ, ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକ ୩୫୪ ରାଜସ୍ୱ ଗ୍ରାମ ୨୨ ପଂଚାୟତକୁ ନେଇ ଗଠିତ। ବ୍ଲକର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁଯାୟୀ, ୧ଲକ୍ଷ ୨୬ହଜାର ୮୩୪ ରହିଛି। ଏହାର ଅଧିକାଂଶ ପଂଚାୟତ ଦୁର୍ଗମ ଅଂଚଳରେ ରହିଛି। ବ୍ଲକରେ ବିଡିଓଠାରୁ ଆରମ୍ଭ କରି ରାତ୍ରି ଜଗୁଆଳି ପର୍ଯ୍ୟନ୍ତ ୨୧ଟି ପଦବୀରେ ୫୨ଜଣ ସରକାରୀ କର୍ମଚାରୀ ପଦବୀ ରହିଛି। ବର୍ତମାନ ବ୍ଲକରେ ଜଣେ ବିଡିଓ, ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜଣେ ଜିପିଇଓ, ଜଣେ କନିଷ୍ଠ ରାଜସ୍ୱ ଆସିଷ୍ଟାଣ୍ଟ, ଜଣେ ରାତ୍ରି ଜଗୁଆଳି, ୩ ଜଣ ପିଅନ ସହ ୭ ଜଣ ପିଇଓ ଭଳି ୧୫ ପଦବୀ ଖାଲିପଡିଛି। ସେହିପରି ବ୍ଲକରେ ୮ଜଣ ଜିଆରଏସ ପଦବୀ ଖାଲିପଡିଛି। ଏଭଳି ସ୍ଥିତିରେ ଜଣେ ଜଣେ ପିଇଓଙ୍କୁ ଦୁଇ ଦୁଇଟି ପଂଚାୟତର ଦାୟିତ୍ୱ ପ୍ରଦାନ ବେଳେ ଜଣେ ପିଇଓଙ୍କୁ ଜିପିଇଓ ସହିତ ଦୁଇଟି ପଂଚାୟତର ପିଇଓ ଦାୟିତ୍ୱ ପ୍ରଦାନ କରାଯିବା ଫଳରେ ଉତ୍ତମ ସେବା ମିଳିବା ଦୂରର କଥା ଦୁର୍ନୀତି, ଅନିୟମିତତା ବୃଦ୍ଧି ପାଇବା ଭଳି ଅଭାବନୀୟ ଚିତ୍ର ବ୍ଲକରେ ଦେଖିବାକୁ ମିଳୁଛି। ବ୍ଲକର ଦୁଇ ମୁଖିଆ ବିଡିଓ ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦବୀ, ଜିପିଇଓ ଭଳି ପଦବୀ ଖାଲି ପଡିଥିବାରୁ ବ୍ଲକରେ ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ଅନିୟମିତତା, ଦୁର୍ନୀତି ଏବଂ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଫଳରେ ବ୍ଲକର ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିବାରେ ବ୍ୟାଘାତ ସୃଷ୍ଟି ହେବା ସହ କର୍ମଚାରୀ ମରୁଡିରୁ ଦାୟିତ୍ୱରେ ଥିବା ସ୍ୱଳ୍ପ ଅଭିଜ୍ଞତା ଥିବା ବିଡିଓଙ୍କ ଠାରୁ କିରାଣୀ ଭଳି ଅନ୍ୟ ତଳିଆ କର୍ମଚାରୀ ଫାଇଦା ଉଠାଇବାକୁ ସକ୍ଷମ ହେଉଛନ୍ତି। ଫଳରେ ୫ଟି ନିମୟରେ ବନ୍ଧା ହୋଇଥିବା ବ୍ଲକ କାର୍ଯ୍ୟାଳୟରେ ସରକାରୀ କର୍ମଚାରୀ ଏବଂ ସରକାରୀ ଯୋଜନା କାର୍ଯ୍ୟକାରୀରେ ଟାଇମ ଲିମିଟ୍‍, ଟିମ୍‍ ଓାର୍କ, ଟ୍ରାନ୍ସପରେନ୍‍ସି, ଟେକ୍ନୋଲୋଜି ଏବଂ ଟ୍ରାନ୍ସଫର୍ମେସନ ଉପରେ ତାଳମେଳ ରହୁ ନ ଥିବା ଲକ୍ଷ୍ୟ କରାଯାଉଛି। ଯାହାଦ୍ୱାରା ବ୍ଲକରେ କାର୍ଯ୍ୟକାରୀ ହେଉଥିବା ଜନ୍ମ ଠାରୁ ମୃତ୍ୟୂ ପର୍ଯ୍ୟନ୍ତ ମାଳ ମାଳ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବାରେ ବ୍ୟତିକ୍ରମ ଦେଖାଯାଉଛି। ଏହା ସହିତ କୌଣସି ଯୋଜନାର ଟ୍ରାନ୍ସଫର୍ମେସନ ଏବଂ ଟ୍ରାନ୍ସପରେନ୍‌ସି ଅବଲମ୍ବନ କରାଯିବା ପରିବର୍ତେ ଲୋକଙ୍କୁ ଅନ୍ଧାରରେ ରଖାଯିବା ଭଳି ୫ଟି ନିୟମ ବ୍ଲକରେ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଜଣାପଡିଛି। ଏସବୁ ପ୍ରତି ୫ଟି ସଚିବ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ବ୍ଲକରେ ‘ମୋ ସରକାର’ କକ୍ଷ କାର୍ଯ୍ୟକ୍ଷମ କରିବା ସହ ନିୟମକୁ ଅନୁପାଳନ କରୁ ନ ଥିବା ଦୁର୍ନୀତିଖୋର କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସବୁମହଲରୁ ଦାବୀ ଉଠୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories