ଜୟନାରାୟଣଙ୍କ ମତ କଣ ସରକାରୀ ନା ବିଜେପିର ମତ! କହିଲେ – ଆମକୁ ଶୋଷଣ କରୁଛ

ସମ୍ବଲପୁର/ଡେସ୍କ: ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଆଜି ଅତ୍ୟନ୍ତ ସଫଳତାର ସହ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ପ୍ରଦାନ କରିଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ଯଦିଓ ଏହା ତାଙ୍କ ବ୍ୟକ୍ତିଗତ ମତ କି ଦଳୀୟ ମତ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ସେ ଏଭଳି କହିଥିବାରୁ ବିବାଦ ସୃଷ୍ଟି ହୋଇଛି। ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ ଅଟେ ବୋଲି ବିସ୍ପୋରକ ବୟାନ ଦେଇଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଶନିବାର ପୁର୍ବାହ୍ନରେ ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ମାନଙ୍କୁ କିସ୍ତି ପ୍ରଦାନ ପାଇଁ ସରକାରୀ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ରୁପେ ସାମିଲ ହୋଇଥିବା ବେଳେ ବିଧାୟକ ଜୟନାରାୟଣ ମିଶ୍ର ସମ୍ମାନୀତ ଅତିଥି ରୁପେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା। ତେବେ ସବୁ ସମୟ ଭଳି ଆଜି ମଧ୍ୟ ବିଧାୟକ ଶ୍ରୀ ମିଶ୍ର ଏହି ସଙ୍ଗୀତ ଗାନ ସମୟରେ ତାଙ୍କର ସ୍ଥାନରୁ ନ ଉଠି ବସି ରହିଥିଲେ। କଣ କହିଲେ ବିଧାୟକ ଜୟନାରାୟଣ।


ସେ କହିଲେ, ‘ସୁପ୍ରିମ କୋର୍ଟ ଅନୁଯାୟୀ, ରାଜ୍ୟରେ କୌଣସି ରାଜ୍ୟ ସଙ୍ଗୀତ ହୋଇ ପାରିବ ନାହିଁ। କେବଳ ଗୋଟିଏ ଜାତୀୟ ସଙ୍ଗୀତ ରହିଛି। ଏହା ପରେ ମଧ୍ୟ ପ୍ରଶାସନ ତରଫରୁ ବନ୍ଦେ ଉତ୍କଳ ଜନନୀ ବଜାଇବାର ତାତ୍ପର୍ଯ୍ୟ କଣ ମୁଁ ବୁଝିପାରୁ ନାହିଁ। ଆଉ ଯଦି ବଜାଉଛନ୍ତି, ତାହା ହେଲେ ଜାଣି ରଖିବା ଉଚିତ, ଆମର ସମ୍ବଲପୁର ଅଞ୍ଚଳର ଲୋକ ମାନେ ଜାଣିବା ଉଚିତ ଯେ, ଆମର ସମ୍ବଲପୁର ଅଂଚଳର ଲୋକମାନେ, ଉତ୍କଳ କହିଲେ କଟକ, ପୁରୀ, ବାଲେଶ୍ୱର। ଉତ୍କଳ, କୋଶଳ ଓ କଳିଙ୍ଗ ମିଶିକରି ଓଡିଶା ପ୍ରଦେଶ ଗଠନ ହୋଇଛି। କେବଳ ଉତ୍କଳର ଜୟଗାନ ଗାଇବ, କୋଶଳ ଓ ଓଡ଼ିଶାର କଣ ପାଇଁ ଜୟଗାନ ହେବନି, ଏଇଟା ଗୋଟେ ମାନସିକତା…ଆମକୁ ତୁମେ ଶୋଷଣ କରୁଛ, ଆମର ଅର୍ଥ, ଆମର ଖଣି, ଆମର ଚାଷ, ଆମର ଜଙ୍ଗଲ…ସବୁଥିରେ ତୁମେ ଆମକୁ ଶୋଷଣ କଲ, ଚାକିରୀ ବାକିରି ସବୁଥିରେ…ଆଉ ଆଜି ତୁମେ କଲଚରାଲୀ (ସାଂସ୍କୃତିକ) ବି ଆମକୁ ଏକ୍ସପ୍ଳଏଟ (ଶୋଷଣ) କରିବାରେ ଲାଗିଛ। ଏଟା କି କଥା? ଆମେ ଓଡିଶା ପ୍ରଦେଶରେ ମିଶିଥିଲୁ, ଓଡିଶା ପ୍ରଦେଶ ଆମେ ମିଶିବା ପାଇଁ ଆନ୍ଦୋଳନରେ ବି ସାମିଲ ହୋଇଥିଲୁ, କିନ୍ତୁ ଓଡ଼ିଶାରେ ମିଶିକରି ଆମର ସବୁଠାରୁ ବଡ ଭୁଲ ହେଲା… ଆମର ଗୋଟେ ଐତିହାସିକ ଭୁଲ, ଆଉ ଐତିହାସିକ ଭୁଲକୁ ଆମେ ବାରମ୍ବାର କହୁଛୁ’।

ସୁଚନାଯୋଗ୍ୟ ଯେ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରେ ସାରା ଓଡ଼ିଶାକୁ ସାମିଲ କରାଯାଇ ନ ଥିବାରୁ ବହୁ ପୁର୍ବରୁ ବିରୋଧ କରି ଆସୁଛନ୍ତି। ଆଜିର ଏହି ବିସ୍ପୋରକ ବୟାନ ପରେ ରାଜ୍ୟ ରାଜନୀତିରେ ଆଗାମୀ ଦିନରେ ବ୍ୟାପକ ହଲଚଲ ଦେଖିବାକୁ ମିଳିବ। ଏହା କହିବା ପରେ ହଠାତ ବିଧାୟକ ଶ୍ରୀ ମିଶ୍ର ସୁଭଦ୍ରା ଯୋଜନା କଥା କହିଥିଲେ। ଏପର୍ଯ୍ୟନ୍ତ ରାଜ୍ୟ ବିଜେପି କିମ୍ବା ସରକାରଙ୍କ ପକ୍ଷରୁ ଏହି ମନ୍ତବ୍ୟକୁ ଖଣ୍ଡନ କରାଯାଇନାହିଁ କିମ୍ବା କୌଣସି ସ୍ପଷ୍ଟୋକ୍ତି ଦିଆଯାଇ ନାହିଁ।

Comments are closed.