www.samajalive.in
Saturday, December 6, 2025
26.1 C
Bhubaneswar

ବୁଲ୍‌ଡୋଜର (ଅ) ନ୍ୟାୟ

ଭୁବନେଶ୍ଵର: କ୍ଷମତାନ୍ଧ ଶାସକଗଣ ଅନେକ ସମୟରେ ଭାବନ୍ତି ଯେ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ଯଥାର୍ଥ ଓ ମଙ୍ଗଳକାରୀ। ଫଳତଃ ସେମାନେ ନ୍ୟାୟ-ଅନ୍ୟାୟର ଭେଦ ପ୍ରାୟତଃ ପାସୋରି ପକାନ୍ତି। ଦୁର୍ଭାଗ୍ୟର କଥା ଯେ ଗତ କିଛି ମାସ ଧରି ଆମ ଦେଶର କେତେକ ରାଜ୍ୟରେ ଖୋଲାଖୋଲି ଶାସକ ଗୋଷ୍ଠୀ ଏଭଳି ଅନ୍ୟାୟପୂର୍ଣ୍ଣ କାର୍ଯ୍ୟକୁ ଜାରି ରଖିଛନ୍ତି, ଯାହାକୁ ‘ବୁଲ୍‌ଡୋଜର୍ ନ୍ୟାୟ’ କୁହାଯାଉଛି। ମଙ୍ଗଳବାର ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ‘ବୁଲ୍‌ଡୋଜର୍‌ ନ୍ୟାୟ’ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଯେଉଁ ରାୟ ଦେଇଛନ୍ତି, ତାହା ପ୍ରଣିଧାନଯୋଗ୍ୟ। ନ୍ୟାୟମୂର୍ତ୍ତି ଅଭୟ ଏସ୍‌ ଓକା ଓ ନ୍ୟାୟମୂର୍ତ୍ତି ଉଜ୍ଜ୍ବଳ ଭୂୟାଁଙ୍କ ପୀଠ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଏବଂ ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କଠୋର ଭାଷାରେ ଭର୍ତ୍ସନା କରିଛନ୍ତି। ଏଭଳି ଭାବେ ନାଗରିକଙ୍କ ବାସଗୃହକୁ ଧୂଳିସାତ୍‌ କରିଦେବା ‘ଅମାନବୀୟ ଓ ବେଆଇନ’ ବୋଲି କହିଛନ୍ତି। ଏହା ତାଙ୍କ ବିବେକକୁ ଖୁବ୍‌ ଧକ୍କା ଦେଇଛି ବୋଲି ଅଦାଲତ ମତ ପ୍ରକାଶ କରିବା ସହ ଯେଉଁ ଛଅ ଜଣଙ୍କ ଘର ବୁଲ୍‌ଡୋଜରରେ ଭଙ୍ଗାଯାଇଛି, ପ୍ରତ୍ୟେକଙ୍କୁ ଛଅ ସପ୍ତାହ ମଧ୍ୟରେ ଦଶ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ପ୍ରତ୍ୟେକଙ୍କର ଆଶ୍ରୟ ପାଇବାର ଅଧିକାର ସମ୍ବିଧାନର ଧାରା ୨୧ର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସଂପୃକ୍ତ କର୍ତ୍ତୃପକ୍ଷ ମନେ ରଖିବା ଦରକାର। ବିଡ଼ମ୍ବନାର କଥା ହେଲା ଉପରୋକ୍ତ ବ୍ୟକ୍ତିମାନଙ୍କ ଘରଭଙ୍ଗା ସମ୍ପର୍କିତ ଆବେଦନକୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେବା ପରେ ସେମାନଙ୍କୁ ବାଧ୍ୟହୋଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବାକୁ ପଡ଼ିଥିଲା।
ଉଲ୍ଲେଖନୀୟ ଯେ ସର୍ବୋଚ୍ଚ ନ୍ୟାୟାଳୟ ଗତବର୍ଷ ନଭେମ୍ବରରେ ଜଣେ ବ୍ୟକ୍ତିଙ୍କ ସମ୍ପତ୍ତିକୁ ମନଇଚ୍ଛା ଉଚ୍ଛେଦ କରିବାର ପ୍ରାଶାସନିକ ପଦ୍ଧତିକୁ ଏକ ‘ଆଇନହୀନ ସ୍ଥିତିର ପ୍ରତୀକ’ ବୋଲି କହିଥିଲେ ଏବଂ ସମଗ୍ର ଦେଶ ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଥିଲେ। ଏଥିରେ ଉଚ୍ଛେଦ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ନୋଟିସ୍ ଦେଇ ତା’ର ଅବଧି ଜଣାଇବା, କ୍ଷତିଗ୍ରସ୍ତ ପକ୍ଷଙ୍କ ପାଇଁ ଉଚ୍ଛେଦ ଆଦେଶ ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବାର ସୁଯୋଗ ଦେବା ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଇଥିଲେ ଯେ ଏହି ମାର୍ଗଦର୍ଶିକାର ଉଲ୍ଲଙ୍ଘନ ଅଦାଲତ ଅବମାନନା ସଦୃଶ ହେବ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେବ।
ଦୁର୍ଭାଗ୍ୟର କଥା ହେଲା ଅଦାଲତଙ୍କ ସ୍ପଷ୍ଟ ନିର୍ଦେଶ ସତ୍ତ୍ବେ ଉତ୍ତରପ୍ରଦେଶ ସରକାର ଏହାକୁ ପ୍ରାୟତଃ ଉପେକ୍ଷା କରିଆସିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ତଥାକଥିତ ‘ବୁଲ୍‌ଡୋଜର୍‌ ନ୍ୟାୟ’ର ଔଚିତ୍ୟ ପ୍ରଶ୍ନାତୀତ ବୋଲି ଅନେକ ଥର କହିଛନ୍ତି। ବୁଲ୍‌ଡୋଜର୍‌ ଲଗାଇ ଲୋକଙ୍କ ଘର ଭାଙ୍ଗିବା ଭଳି ସମ୍ବେଦନହୀନ ପଦକ୍ଷେପ ବିଶେଷ କରି ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ସରକାର ନେଉଥିବା ଦେଖାଯାଇଛି। ନ୍ୟାୟ ପ୍ରଦାନ ନାଁରେ ଶାସନ-ପ୍ରଶାସନର ଏଭଳି ଅନ୍ୟାୟ ଓ ଅନୈତିକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ନିନ୍ଦନୀୟ। ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶ ଅବିଳମ୍ବେ ପାଳନ କରାଯିବା ବାଞ୍ଛନୀୟ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories