କେନ୍ଦୁଝରଗଡ଼ : ରାଜ୍ୟ ମିଳିତ ଅମଲା ମଞ୍ଚ ନିଷ୍ପତ୍ତି କ୍ରମେ ଅମଲାଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଓ କମ୍ପ୍ୟୁଟର ଶିକ୍ଷା ଥାଇ ସୁଦ୍ଧା ଅମଲା ମାନଙ୍କର ମୂଳ ଦରମା ଗ୍ରେଡ ପେ’ ୧୯୦୦ ସହ ଲେଭେଲ-୪ରେ ଥିବା ଅସଙ୍ଗତିକୁ ଦୂର ସହ ୪୨୦୦ଟଙ୍କା ଗ୍ରେଡ ପେ‘ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ଚଳିତମାସ ୨୨ ତାରିଖରୁ ରାଜ୍ୟବ୍ୟାପୀ ଅମଲାମାନଙ୍କ କଳାବ୍ୟାଜ୍ ପରିଧାନ ପୂର୍ବକ ପ୍ରତିକାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଛି । ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି କଳାବ୍ୟାଜ୍ ପରିଧାନ ପୂର୍ବକ ପ୍ରତିକାତ୍ମକ ଆନ୍ଦୋଳନ ଜାରି ରହିବାକୁ ଥିବାବେଳେ ସରକାର ଯଦି ଦାବି ପୂରଣ ନକରନ୍ତି ତାହାଲେ ଜୁନ ୧ରୁ ଅମଲା ସମୂହ ଛୁଟିରେ ଯିବେ ବୋଲି ମିଳିତ ଅମଲା ମଞ୍ଚର ସଭାପତି ସୁରେଶ ଚନ୍ଦ୍ର ରଣା ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ମଞ୍ଚର ମିଡିଆ ସଂଯୋଜକ ପୀତବାସ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଆବାହକ ପ୍ରସନ୍ନ କୁମାର ବେହେରା, ରାଜସ୍ୱ ଅମଲା ସଂଘ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର ଓ ସମ୍ପାଦକ ପ୍ରଭାତେନ୍ଦୁ ନାଏକ, ଓଡିଶା ଟ୍ରେଜେରୀ ସଂଘର ଗିତାରାଣୀ ପାତ୍ର, ଓଡିଶା ଅମଲା ସଂଘର ଅଭିମନ୍ୟୁ ପ୍ରଧାନ, ସବ୍ରେଜେଷ୍ଟ୍ରୀ ସଂଘର ରାକେଶ କୁମାର ରଥ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମଞ୍ଚାସୀନ ହୋଇ ୩୧ ତାରିଖ ସୁଦ୍ଧା ଅମଲାଙ୍କ ଦାବି ପୁରଣ ନହେଲେ ଜିଲାର ସମସ୍ତ ଅମଲା ସମୂହ ଛୁଟିରେ ଯିବେ ବୋଲି ସ୍ପଷ୍ଟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ମଲ୍ଲିକ, ସଚ୍ଚିନ ପଣ୍ଡା, ସନ୍ତୋଷ କୁମାର ରଣା, ଭୁବନେଶ୍ୱର ମହାପାତ୍ର, ତପନ କୁମାର ଭୂୟାଁ, ସଚ୍ଚିଦାନନ୍ଦ ମହାକୁଡ, ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜୁନ ୧ରୁ ଅମଲା ସମୂହ ଛୁଟିରେ ରହିବା ସହ କେନ୍ଦୁଝର ଉପଖଣ୍ଡ ଅଧିନରେ କାର୍ଯ୍ୟରତ ସମସ୍ତ ଅମଲା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ଆନନ୍ଦପୁର ଓ ଚମ୍ପୁଆ ଉପଖଣ୍ଡ ଅଧିନରେ କାର୍ଯ୍ୟରତ ସମସ୍ତ ଅମଲା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହି ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚରମ ନିଷ୍ପତ୍ତି ଶୁଣାଇଛନ୍ତି।
Popular Categories



