ପୁରୁଷ ହକି : ଭାରତ-ଇଂଲଣ୍ଡ ମ୍ୟାଚ୍ ୪-୪ ଡ୍ର
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାର ପୁରୁଷ ହକି ବିଭାଗ ପୁଲ୍ ବି’ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୪-୪ ଗୋଲ୍ରେ ଡ୍ର ରହିଛି। ମଧ୍ୟାନ୍ତର ସୁଦ୍ଧା ଭାରତୀୟ ଦଳ ୩-୦ରେ ଆଗୁଆ ରହିଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ମ୍ୟାଚ୍ ଡ୍ର ରହିଥିଲା। ମ୍ୟାଚ୍ରେ ଭାରତୀୟ ଦଳର ଖେଳାଳିମାନେ ମୂଳରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ। ୩ ମିନିଟ୍ରେ ଭାରତ ତରଫରୁ ଲଳିତ ଉପାଧ୍ୟୟ ଗୋଲ୍ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରାଇଥିଲେ। ପ୍ରଥମ ଗୋଲ୍ରେ ଅଗ୍ରଣୀ ହାସଲ କରିବା ପରେ ଭାରତୀୟ ଖେଳାଳିମାନେ ଆକ୍ରମଣ ଜାରି ରଖିଥିଲେ। ୧୩ ମିନିଟ୍ରେ ଭାରତ ତରଫରୁ ମନଦୀପ୍ ସିଂହ ଏକ ଫିଲଡ୍ ଗୋଲ୍ ଦେଇ ଦଳକୁ ୨-୦ରେ ଆଗୁଆ କରାଇଥିଲେ। ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୨-୦ରେ ଆଗୁଆ ରହିଥିଲା।
ଦ୍ବିତୀୟ କ୍ବାର୍ଟରରେ ଭାରତୀୟ ଦଳ ଆକ୍ରମଣାତ୍ମକ ଶୈଳୀରେ ଖେଳ ଜାରି ରଖିଥିଲା। ୨୨ ମିିନିଟ୍ରେ ମନଦୀପ୍ ଆଉ ଗୋଟିଏ ଗୋଲ୍ କରି ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ। ମଧ୍ୟାନ୍ତର ସୁଦ୍ଧା ଭାରତ ୩-୦ରେ ଅଗ୍ରଣୀ ରହିଥିଲା। ତୃତୀୟ କ୍ବାର୍ଟରରେ ଇଂଲଣ୍ଡ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ୪୨ ମିନିଟ୍ରେ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ଭୁଲ୍ରୁ ଇଂଲଣ୍ଡ ତରଫରୁ ଲିଆମ୍ ଆନ୍ସେଲ୍ ଗୋଲ୍ ସ୍କୋର କରି ଖେଳକୁ ୩-୧ ସ୍ତରକୁ ଆଣିଥିଲେ। ଚତୁର୍ଥ କ୍ବାର୍ଟରରେ ତଥା ୪୬ ମିନିଟ୍ରେ ଭାରତ ତରଫରୁ ହରମନପ୍ରୀତ୍ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଭାରତକୁ ୪-୧ରେ ଆଗୁଆ କରାଇଥିଲେ। ଅନ୍ୟପକ୍ଷରେ ୪୭ ମିନିଟ୍ରେ ଇଂଲଣ୍ଡ ତରଫରୁ ନିକୋଲସ୍ ଗୋଲ୍ କରି ଖେଳକୁ ୪-୨ ସ୍ଥିତିକୁ ଆଣିଥିଲେ। ପରବର୍ତ୍ତୀ ସମୟରେ ଇଂଲଣ୍ଡ ଦଳ ୫୧ ଓ ୫୩ ମିନିଟ୍ରେ ଦୁଇଟି ଫିଲଡ୍ ଗୋଲ ସ୍କୋର କରି ଖେଳକୁ ସମାନ ସ୍ଥିତିକୁ ଆଣିଥିଲା। ଭାରତୀୟ ଦଳ ଦୁଇଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇ ଟେବୁଲର ୨ୟ ସ୍ଥାନରେ ରହିଛି। ପରବର୍ତ୍ତୀ ମ୍ୟାଚ୍ ଭାରତ ୩ରେ କାନାଡ଼ା ବିପକ୍ଷରେ ଖେଳିବ।
Comments are closed.