ବରିଷ୍ଠ ନାଗରିକଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଆଠଗଡ :  ରାଜ୍ୟରେ ବରିଷ୍ଠ ନାଗରିକମାନେ ବିଭିନ୍ନ କ୍ଷେତ୍ରରେ ଉପେକ୍ଷିତ ହେଉଥିବାରୁ ଓଡିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳରେଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ପାଇଁ ଆହ୍ୱାନ କରାଯାଇଥିଲା। ଆଠଗଡ ବୁଦ୍ଧିଜୀବୀ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସୋମବାର ଏକ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଠଗଡ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସଂଘର ସଭାପତି ଇଂ ଶିବପ୍ରସାଦ ପଣ୍ଡା, ଉପସଭାପତି ଇଂ ପ୍ରଭାତ କୁମାର ମିଶ୍ର ଓ ସାଧାରଣ ସଂପାଦକ ଗିରିଶ କୁମାର ମିଶ୍ରଙ୍କ ନେତୃତ୍ୱରେ ବହୁ ସଦସ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳ ହେମନ୍ତ କୁମାର ତରାଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ। ବାର୍ଦ୍ଧକ୍ୟ ଭତ୍ତାକୁ ୫ଶହ ଟଙ୍କାରୁ ୨ହଜାର କରିବା, ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ୫କେଜି ପରିବର୍ତ୍ତେ ୧୦କେଜି ଚାଉଳ ପ୍ରଦାନ କରିବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବା, ମହାସଂଘ ପାଇଁ ଭୁବନେଶ୍ୱରରେ ଗୃହ ନିର୍ମାଣ ଲାଗି ଜମି ଆବଣ୍ଟନ କରିବା, ଜଗନ୍ନାଥ ଦର୍ଶନ ଲାଗି ପୁରୀରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରିବା ଓ ସମସ୍ତ ବସ୍‌‌ରେ ବରିଷ୍ଠ ନାଗରିକଙ୍କୁ ରିଆତି ପ୍ରଦାନ କରିବା ପ୍ରଭୃତି ଦାବି ଗୁଡିକ ଏହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି।

Comments are closed.