ମଧ୍ୟମ ବନ୍ୟା
ମୁଣ୍ଡଳିରେ ୯.୧୮ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସିତ, ୧୬ ଜିଲାରେ ୧୦୬ ଉଦ୍ଧାରକାରୀ ଦଳ ୧୫ ଜିଲାର ୧.୨୦ ଲକ୍ଷ ଲୋକ ପ୍ରଭାବିତ, ବୈତରଣୀ, ଜଳକା ଖସୁଛି, ବ୍ରାହ୍ମଣୀ ସ୍ଥିର
ଭୁବନେଶ୍ବର : ମହାନଦୀରେ ଆସିଛି ମଧ୍ୟମ ଧରଣ ବନ୍ୟା। ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଅତି ପ୍ରବଳ ବର୍ଷା ହେବା ଦ୍ବାରା ମହାନଦୀ ଏବଂ ଏହାର ଶାଖା ନଦୀଗୁଡିକ ଫୁଲିବାରେ ଲାଗିଛି। ବୈତରଣୀ ବିପଦ ସଙ୍କେତ ଉପରେ ଥିବାବେଳେ ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ପାଉଛି। ରାଜ୍ୟର କିଛି ଶାଖା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମୋଟ ୧୬ ଜିଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ୧୩ ଓଡ୍ରାଫ ଦଳ, ୮ ଏନ୍ଡିଆରଏଫ, ୮୫ ଅଗ୍ନିଶମ ବାହିନୀଙ୍କୁ ମିଶାଇ ମୋଟ ୧୦୬ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି)ସତ୍ୟବ୍ରତ ସାହୁ କହିଛନ୍ତି। ପ୍ରାଥମିକ ସୂଚନାନୁଯାୟୀ, ୧୫ଟି ଜିଲାର ୯୦ଟି ବ୍ଲକର ୭୬୨ ଗାଁ ଏବଂ ୧୭ଟି ସହରାଞ୍ଚଳର ୬୬ଟି ୱାର୍ଡ଼ର ୧.୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
ଗୁରୁବାର ମହାନଦୀ ଅବବାହିକାରେ ଅପରାହ୍ଣ ୫ଟାରେ ଖଇରମାଳରେ ୪.୭୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବରମୁଳରେ ୭.୮୬ଲକ୍ଷ କ୍ୟୁସେକ ଏବଂ ମୁଣ୍ଡଳିରେ ୯.୧୮ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଥିଲା ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସନ୍ଧ୍ୟା ୮ଟା ସୁଦ୍ଧା ୯ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏଠାରେ ଶୀର୍ଷରେ ବନ୍ୟାଜଳ ପ୍ରବାହ କରୁଥିବାରୁ ୮ଘଣ୍ଟା ପରେ ଜଳସ୍ତର କମିବା ସମ୍ଭାବନା ରହିଛି। ମୁଣ୍ଡଳିରୁ ଶୀର୍ଷ ବନ୍ୟାଜଳ ନିଷ୍କାସିତ ହେବାର ୧୨ ଘଣ୍ଟାରେ, ଅର୍ଥାତ ଶୁକ୍ରବାର ଅପରାହ୍ଣରେ ପୁରୀ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡାର ତଳିଆ ଅଞ୍ଚଳରେ ପହଞ୍ଚିବ। ଜିଲା ପ୍ରଶାସନ ଏସବୁ ଅଞ୍ଚଳରେ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ କୁହାଯାଇ ଥିବାବେଳେ ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ନିର୍ଦେଶ ରହିଛି। ୬୮୩୪ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଇଛି। ୧୩୬ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବୁଧବାର ରାତି ୧୧ଟାରେ ମହାନଦୀର ଖଇରମାଳରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ୧୯.୬୬ ମିଟରରେ ବନ୍ୟାଜଳ ପ୍ରବାହ କରୁଥିଲା। ବରମୁଳରେ ୮.୬୫ ଲକ୍ଷ କ୍ୟୁସେକ ଜଳ ପ୍ରବାହ କରୁଥିବା ବେଳେ ମୁଣ୍ଡଳିରେ ୪.୧୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଗୁରୁବାର ମଧ୍ୟାହ୍ନରେ ମୁଣ୍ଡଳିରେ ୮ଲକ୍ଷ ୬୫ ହଜାର ୪୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଜଳସ୍ତର ବୃଦ୍ଧି ପାଇବା ଦ୍ବାରା ଅପରାହ୍ଣ ୩ଟା ସୁଦ୍ଧା ପ୍ରତି ସେକେଣ୍ଡରେ ୯ ଲକ୍ଷ ୧୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ଏହି ସମୟରେ ଉପରମୁଣ୍ଡରେ ୯୨ଫୁଟ ଓ ତଳମୁଣ୍ଡରେ ୮୮ ଫୁଟ୍ ଜଳସ୍ତର ରହିଥିଲା। ଅପରାହ୍ଣ ୪ଟାରେ ମୁଣ୍ଡଳିରେ ବନ୍ୟାଜଳ ୯.୧୮ଲକ୍ଷ କ୍ୟୁସେକରେ ପହଞ୍ଚି ଥିବାବେଳେ ୫ଟାରେ ୯ଲକ୍ଷ ୧୮ ହଜାର ୩୮୩ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଥିଲା। ଉପରମୁଣ୍ଡରେ ୯୪.୨୦ଫୁଟ ଏବଂ ତଳମୁଣ୍ଡରେ ୯୧.୮୦ଫୁଟ ଜଳ ପ୍ରବାହିତ ହେଉଥିଲା।
ବନ୍ୟା ପ୍ରଭାବରେ ଖରସ୍ରୋତା ନଦୀ ବନ୍ଧରେ ବଡ଼ ଘଳିଆ ସୃଷ୍ଟି ହୋଇଛି। ବୈତରଣୀ ନଦୀରେ ବନ୍ୟାପାଣି ଆସିବାରୁ ଭଦ୍ରକ ଜିଲାର ଧାମନଗର ବ୍ଲକର ୧୧ଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୭ଟି ପଞ୍ଚାୟତ ଲୋକେ ପାଣି ଘେରରେ ରହିଛନ୍ତି। ଗତ ରାତିରୁ ହଠାତ୍ ପାଣି ମାଡି ଯିବାରୁ ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଧାମନଗରରୁ ଯାଜପୁର ଓ ଭଣ୍ଡାରିପୋଖରୀରୁ ଯାଜପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀନଦୀରେ ବନ୍ୟାଜଳ ଆସିବା ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଢେଙ୍କାନାଳ ଜିଲା ବାଇଁଶିଆ ପଞ୍ଚାୟତର କଙ୍କା ଗାଁ। ବୀରମହାରାଜପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ହରିହର ଯୋର ଡ୍ୟାମରୁ ୬ଟି ଫାଟକ ଦେଇ ବନ୍ୟା ପାଣି ପ୍ରବାହିତ ହେଉଛି। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ରାସ୍ତାଘାଟ ଧୋଇ ଯାଇଛି। ବନ୍ୟା ପାଣିରେ ଅନେକ ଗାଁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ବନ୍ୟା ପାଣି ରାସ୍ତା ଉପରେ ପ୍ରବାହିତ ହେବା ଦ୍ୱାରା ବୀରମହାରାଜପୁର-ଅମରପାଲିି ରାସ୍ତାର ମୁର୍ଷୁଣ୍ଢି ନିକଟରେ ବିରାଟ ଘାଇ ସୃଷ୍ଟି ହୋଇଛି। ରସତାର ୫ ଶହ ମିଟର ପର୍ଯ୍ୟନ୍ତ ୧୦ ଫୁଟ ଗଭୀରତାରେ ଘାଇ ସୃଷ୍ଟି ହୋଇଛି। ନୟାଗଡ ଜିଲାର ଭାପୁର, ଗଣିଆ ଏବଂ ଖଣ୍ଡପଡା ବ୍ଲକର ଅନେକ ଗାଁ ପାଣି ଘେରରେ ରହିଛି।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସୂଚନା ଅନୁଯାୟୀ, ତଳମୁଣ୍ଡରୁ ପାଣି ନ କମିବା ଯାଏ ହୀରାକୁଦର ଅଧିକ ଫାଟକ ଖୋଲିବ ନାହିଁ। ହୀରାକୁଦ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ହୀରାକୁଦ ଜଳସ୍ତର ଏବେ ୬୧୦ ଫୁଟ ରହିଛି। ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏବେ ଅଧିକ ଫାଟକ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ୟା ମୁକାବିଲା ଓ ଉଦ୍ଧାର ପାଇଁ ଭଦ୍ରକରେ ୫ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଥିବା ବେଳେ ଯାଜପୁର ୫, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବୌଦ୍ଧରେ ୨ଟି ଲେଖାଏଁ ଦଳ ନିୟୋଜିତ ହୋଇଛନ୍ତି। ଅନୁଗୋଳରେ ୩, ସୁବର୍ଣ୍ଣପୁର, କନ୍ଧମାଳ ଏବଂ ବାଲେଶ୍ବରରେ ଗୋଟିଏ ଲେଖାଏଁ ଦଳ ରହିଛନ୍ତି। କଟକରେ ୨୨, କେନ୍ଦ୍ରାପଡା ୧୪, ଜଗତସିଂହପୁର ୧୩, ପୁରୀ ୧୬, ଖୋର୍ଦ୍ଧା ୯ ଏବଂ ନୟାଗଡରେ ୮ଟି ଉଦ୍ଧାରକାରୀ ଦଳ ରହିଛନ୍ତି। ଏସବୁ ଦଳରେ ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀ ରହିଛନ୍ତି। ଆକଳନ ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ସର୍ବାଧିକ ୯ ଲକ୍ଷ କ୍ୟୁସେକରୁ ଊର୍ଦ୍ଧ୍ବ ପ୍ରବାହିତ କରିଛି। ମୁଣ୍ଡଳି ଅତିକ୍ରମ କରିବାର ୧୨ ଘଣ୍ଟା ପରେ ବନ୍ୟା ଜଳ ୪ଟି ଜିଲାରେ ପହଞ୍ଚିବ। ସେଥିପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଜିଲାପାଳ ପ୍ରସ୍ତୁତ ରହିଥିବା ବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଓ ବନ୍ୟା ଅଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରିବାକୁ ଏସ୍ଆରସି ନିର୍ଦେଶ ଦେଇଛନ୍ତି। ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କ ପାଇଁ ରନ୍ଧା, ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟଜଳ ଏବଂ ଆଲୋକ ବ୍ୟବସ୍ଥା କରାଯାଇଛି।
ବୈତରଣୀ ଓ ଜଳକା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବାବେଳେ ବ୍ରାହ୍ମଣୀ ଜେନାପୁରଠାରେ ବିପଦ ସଙ୍କେତ ତଳେ ୨୨.୨୦ ମିଟରରେ ସ୍ଥିର ରହିଛି। ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୯.୪୪ ମିଟର ଥିବାବେଳେ ୧୭.୮୩ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ଆନନ୍ଦପୁରରେ ବୈତରଣୀର ଜଳସ୍ତର କମୁଛି। ତଥାପି ପରିସ୍ଥିତି ଉପରେ ନଜର ରଖିବାକୁ ଭଦ୍ରକ ଓ ଯାଜପୁର ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ଜଳକା ମଥାନିଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ନେଇ ଏସ୍ଆରସିଙ୍କ ପକ୍ଷରୁ କୁହାଯାଇଛି।
ଏହି ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲାର ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଅଧିକ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ମହାନଦୀ ବନ୍ୟାଜଳ ମୁଖ୍ୟତଃ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲାରେ ପ୍ରବେଶ କରିବ। ନୟାଗଡ଼, କଟକ ଓ ଅନୁଗୋଳର କିଛି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ ଆଶଙ୍କା ଥିବାରୁ ସେଠିକାର ଜିଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି।
Comments are closed.