ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦର ସମାଧାନ ପାଇଁ ଗଠିତ ମଧ୍ୟସ୍ଥତା କମିଟି ଗୁରୁବାର ସୁପ୍ରିମକୋର୍ଟଙ୍କୁ ଚୂଡ଼ାନ୍ତ ରିପୋର୍ଟ ହସ୍ତାନ୍ତର କରିଛନ୍ତି। ଏକ ସିଲ୍ ବନ୍ଦ ଲଫାପାରେ କମିଟି ରିପୋର୍ଟ ଦାଖଲ କରିଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି ହେବ। ଆଗକୁ ମଧ୍ୟସ୍ଥତା କମିଟି ତାହାର କାର୍ଯ୍ୟ ଜାରି ରଖିବ କିମ୍ବା ମାମଲାର ଶୁଣାଣି ଚାଲିବ ସେ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ନିଷ୍ପତ୍ତି ନେବେ।
ଏହା ପୂର୍ବରୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତ ଜୁଲାଇ ୧୮ରେ ମାମଲାର ଶୁଣାଣି କରି ଅଗଷ୍ଟ ୧ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଥିଲେ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟି ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ଉଦ୍ୟମ ଚଳାଇଛନ୍ତି। ସୁପ୍ରିମକୋର୍ଟ ଗତ ମାର୍ଚ୍ଚ ୮ରେ ମଧ୍ୟସ୍ଥତା କମିଟି ଗଠନ କରିଥିଲେ।


