ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ଶହୀଦ ହେବା ଘଟଣା ପାଇଁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ନିଜକୁ ଦାୟୀ କରିଥିଲା। ତେବେ ଏହା ପୂର୍ବରୁ ଜୈଶ ମୁଖ୍ୟ ମାସୁଦ ଆଝାର ନିଜ କ୍ୟାଡରମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଖୁବଶୀଘ୍ର କାଶ୍ମୀର ସ୍ବାଧୀନତା ପ୍ରାପ୍ତ ହେବ। ସେ ଆହୁରି କହିଥିଲେ ଯେ, କାଶ୍ମୀର ବିନା ପାକିସ୍ତାନ ଅସମ୍ପୂର୍ଣ୍ଣ। ଏହାର ଏକ ଅଡିଓ ମେସେଜ ଭାରତ ସରକାରଙ୍କ ହାତରେ ଲାଗିଛି। କାଶ୍ମୀରରେ ଜୈଶ ସଂଗଠନ ଏବଂ ଏହାର ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଜାରି ରହିଥିବା ସମ୍ପର୍କରେ ପ୍ରମାଣସ୍ବରୂପ କେନ୍ଦ୍ର ସରକାରଙ୍କ ଏହି ଅଡିଓ ମେସେଜକୁ ପାକିସ୍ତାନକୁ ପ୍ରଦାନ କରିଛନ୍ତି।
ପୁଲୱାମା ଆକ୍ରମଣର ପ୍ରାୟ ୧୦ ଦିନ ପୂର୍ବରୁ ମାସୁଦ କାଶ୍ମୀରରେ ନିହତ ହୋଇଥିବା ଆତଙ୍କବାଦୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଅବସରରେ ସେ ଉଦବୋଧନ ଦେଇ ଉପରୋକ୍ତ କଥା କହିଥିଲେ। କାଶ୍ମୀରର ସ୍ବାଧୀନତା ସଙ୍ଗେ ସଙ୍ଗେ ଭାରତରେ ରହୁଥିବା ମୁସଲମାନମାନେ ମଧ୍ୟ ସ୍ବାଧୀତନା ହାସଲ କରିବେ ବୋଲି ମାସୁଦ କହିଥିବା ଅଡିଓରୁ ଜଣାପଡ଼ିଛି।
ଏହାବ୍ୟତୀତ ମାସୁଦ ଆଫଗାନିସ୍ତାନରେ ଆମେରିକା ଏବଂ କାଶ୍ମୀରରେ ଭାରତର ସ୍ଥିତି ସମ୍ପର୍କରେ ତୁଳନା କରିଥିଲେ। ଆମେରିକା ଯେପରି ଆଫଗାନିସ୍ତାନ ସହ ମୂଲଚାଲ କରିବାକୁ ବାଧ୍ୟ ହୋଇଥିଲା ସେହିପରି ଆଗାମୀ କାଶ୍ମୀର ସଂହତି ଦିବସ ପୂର୍ବରୁ ଭାରତ ମଧ୍ୟ କାଶ୍ମୀର ପାଇଁ ଆମ ସହ ମୂଲଚାଲ କରିବାକୁ ବାଧ୍ୟ ହେବ। ଯଦି କାଶ୍ମୀରର ସମସ୍ତ ମୁସଲମାନ ଭାରତ ବିରୋଧରେ ଏକାଠି ହେବେ ତା’ହେଲେ ଆମେ ନିଶ୍ଚୟ ବିଜୟ ହେବା ବୋଲି ମାସୁଦ କ୍ୟାଡରମାନଙ୍କୁ କହିଥିବା ଜଣାପଡ଼ିଛି।



