ନୂଆଦିଲ୍ଲୀ: ପିଓକେରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣକୁ ନେଇ ବିରୋଧୀମାନେ ପ୍ରଶ୍ନ କରିବା ସହ ପ୍ରମାଣ ମାଗିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ପୂର୍ବରୁ ବିମାନ ଆକ୍ରମଣର ପ୍ରମାଣ ମାଗିଥିବା ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଅଶାଳୀନତାର ସୀମା ଟପିଛନ୍ତି। ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣକୁ ଏକ ‘ଦୁର୍ଘଟଣା’ ବୋଲି ଦିଗବିଜୟ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ଦେଶବ୍ୟାପୀ ବିରୋଧ କରାଯାଇଛି।
ବିମାନ ଆକ୍ରମଣ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଟାର୍ଗେଟ କରି ଦିଗବିଜୟ ଟୁଇଟ କରି କହିଛନ୍ତି ଯେ, ପୁଲୱାମା ‘ଦୁର୍ଘଟଣା’ ପରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଗଣମାଧ୍ୟମଗୁଡ଼ିକ ପ୍ରଶ୍ନ କରୁଛନ୍ତି।
ପୁଲୱାମା ଆକ୍ରମଣକୁ ‘ଦୁର୍ଘଟଣା’ ବୋଲି କହିବା ପରେ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଛି। ଜୈଶ ଆତଙ୍କବାଦୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ମଧ୍ୟ ଦିଗବିଜୟଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟର ବିଷୟ ବୋଲି ବିଭିନ୍ନ ମହଲରେ କୁହାଯାଇଛି।
ଦିଗବିଜୟଙ୍କ ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂହ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା ଘଟଣା ଏକ ଦୁର୍ଘଟଣା ଥିଲା ନାଁ ଆତଙ୍କବାଦ ଘଟଣା ଥିଲା ବୋଲି ସେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ଯେଉଁ ବିରୋଧୀ ଦଳ ନେତାମାନେ ଏୟାର ଷ୍ଟ୍ରାଇକ ଉପରେ ପ୍ରମାଣ ମାଗୁଛନ୍ତି ସେମାନେ ବାଲାକୋଟ ଚାଲିଯାଇ ଆତଙ୍କୀଙ୍କ ମୃତଦେହ ଗଣନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି।



