www.samajalive.in
Saturday, December 6, 2025
15.1 C
Bhubaneswar

ସରକାରୀ ପ୍ରୋତ୍ସାହନ ଓ ସହାୟତା ମିଳିଲେ ଗେଣ୍ଡୁଫୁଲ ଚାଷ ବଢିବ

ବାଙ୍କୀ: ବାଙ୍କୀ ଉପଖଣ୍ଡର ୮୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ପାରମ୍ପରିକ ପରିବା ଓ ଧାନ ଚାଷ ସହିତ ଚିନାବାଦାମ ଚାଷ କରିଥାନ୍ତି। ବିଶେଷ କରି ପରିବା ଚାଷର ପ୍ରାଧାନ୍ୟ ହେତୁ ଏଠିକାର ଅଞ୍ଚଳକୁ ତରକାରୀ ହାଣ୍ଡିର ମାନ୍ୟତା ଓଡ଼ିଶାର ବିଭିନ୍ନ ହାଟ ବଜାରରେ ମିଳିଥାଏ। ବିଡମ୍ବନାର ବିଷୟ ଏବେ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଏବଂ ଅଦିନିଆ ବର୍ଷା ପ୍ରଭାବରେ ବହୁବାର ଫସଲ ହାନୀ ଚାଷୀର ମୁଣ୍ଡବ୍ୟଥାର କାରଣ ପାଲଟିଛି। ସେହିଭଳି ବହୁ ସମୟରେ ପରିବାଗୁଡିକ ଆମଦାନୀ ସମୟରେ ସଂରକ୍ଷଣ କରି ରଖିବାର ସରକାରୀ ବ୍ୟବସ୍ଥା ନଥିବାରୁ ଆଳୁ ଏବଂ ପନିପରିବା ଚାଷରୁ ବହୁ ସମୟରେ ଚାଷୀ ବିମୁଖ ହେଉଛନ୍ତି। ବିଭିନ୍ନ ଋତୁରେ ବିବିଧ ଚାଷ କରିବା କ୍ଷେତ୍ରରେ ଏବେ ବାଙ୍କୀ ଅଞ୍ଚଳର ଯୁବ ଚାଷୀମାନେ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳୁଛି। ଦୃଷ୍ଟାନ୍ତମୂଳକ ଭାବରେ ଡମପଡ଼ା ବ୍ଲକ ଅଧିନ ପାଥପୁର ପଞ୍ଚାୟତର ଚାରିଘେରିଆ, କଇଁମୁଣ୍ଡି, ଅମରେନ୍ଦ୍ରପୁର ଓ ପାଥପୁରର କେତେକ ଚାଷୀ ପରିବା ଫସଲ ସହିତ ଗେଣ୍ଡୁଫୁଲ ଚାଷରେ ମନଦେଇ ଲାଭବାନ ହେଉଥିବା ଦେଖିବାକୁ ମିଳୁଛି। ଏଠିକାର ମାଟି ଫୁଲ ଚାଷ ନିମନ୍ତେ ଉପଯୋଗୀ ହୋଇଥିଲେ ମଧ୍ୟ ସରକାରୀ ପ୍ରୋତ୍ସାହନ ଓ ଆର୍ଥିକ ସହାୟତା ମିଳୁନଥିବାରୁ ଏବଂ ଉଦ୍ୟାନ ବିଭାଗର ସ୍ଥାଣୁତା ହେତୁ ଅଞ୍ଚଳରେ ଭିତ୍ତିଭୂମି ଥାଇ ମଧ୍ୟ ଗେଣ୍ଡୁଫୁଲ ଚାଷ ବଢିପାରୁନଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ ଆଣିଛନ୍ତି। ନିଜର ଏକନିଷ୍ଠ ପ୍ରଚେଷ୍ଟା ହେତୁ ଚାରିଘେରିଆ ଗ୍ରାମର ୫୨ବର୍ଷୀୟ ଚାଷୀ ଶିଶିର କୁମାର ପରିଡା ଦୀର୍ଘ ଏକ ଦଶନ୍ଧି ଧରି ଗେଣ୍ଡୁଫୁଲ ଚାଷ କରି ତୁଳନାତ୍ମକ ଭାବରେ ଅଧିକ ଲାଭବାନ ହୋଇଥିବା କହିଛନ୍ତି।

ଫୁଲଚାଷ ଏକ ସୂକ୍ଷ୍ମ ଚାଷ। କ୍ଷେତର ଉପଯୁକ୍ତ ଯତ୍ନ, ଠିକ ସମୟରେ ଜଳସେଚନ ଏବଂ ଫୁଲ ଅମଳକୁ ସଠିକ ଗୁରୁତ୍ୱ ଦିଆଯାଉଥିବାରୁ ଫୁଲ ଚାଷରେ ସଫଳତା ମିଳିଥିବା ପ୍ରକାଶ କରିଛନ୍ତି। ଏକ ଏକର ଜମିରେ ଧାନ, ପରିବା ଆଦି କରୁଥିବା ସମୟରେ ଯତ୍ନର ସହିତ ମାତ୍ର ୪ଗୁଣ୍ଠ ଜମିରେ ଫୁଲଚାଷ ବାଙ୍କୀ କଟକ ମୁଖ୍ୟ ରାସ୍ତା ପାର୍ଶ୍ବରେ କରିଛନ୍ତି। ଡିସେମ୍ବର ମାସରେ ଫୁଲଚାଷ ଆରମ୍ଭ କରିଥିଲେ। ଏବେ ଅମଳ ହେଉଛି। ଖର୍ଚ୍ଚ କମ, ସାର, ଔଷଧ କମ୍‍ କେବଳ ଯତ୍ନ ଅଧିକ ଦରକାର ପଡୁଥିବା କହିଛନ୍ତି। ସପ୍ତାହକୁ ୨ଥର କରି ମାସକୁ ୮ଥର ଫୁଲ ଅମଳ ହେଉଛି। ପ୍ରାୟ ୫କ୍ୱିଣ୍ଟାଲରୁ ୬କ୍ୱିଣ୍ଟାଲ ଫୁଲ ମିଳୁଛି। ଯାହାର ବ୍ୟବସାୟୀ ଦର କିଲୋ ପ୍ରତି ୩୦ଟଙ୍କାରେ କ୍ଷେତ ନିକଟରୁ ବ୍ୟବସାୟୀ ନେଉଛନ୍ତି। ଏବେ ଫୁଲର ଚାହିଦା ବଢୁଛି। ମାସକୁ ଆୟ ପ୍ରାୟ ୨୨ହଜାର ଟଙ୍କାରୁ ୨୫ହଜାର ଟଙ୍କା ମିଳୁଛି। ଯାହାକି ଅନ୍ୟ ଚାଷରେ ନାହିଁ। ଏଣୁ ଏହା ଏକ ଲାଭଦାୟକ ଫସଲ ମଧ୍ୟ। ସରକାରୀ ପ୍ରୋତ୍ସାହନ ମିଳିଲେ, ବଜାର ସୁବିଧା ହେଲେ ଏ ଅଞ୍ଚଳର ଅଧିକ ଚାଷୀ ଫୁଲ ଚାଷ କରିବେ। ଏଣୁ ଏ ଦିଗରେ ଉଦ୍ୟାନ କୃଷି ବିଭାଗର ସହାୟତା ଜରୁରୀ। ଅଭାବି ବିକ୍ରୀ ସମୟରେ ସଂରକ୍ଷଣ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ସହାୟତାରେ ସେ ମଧ୍ୟ ରିଆତି ବ୍ୟବସ୍ଥାରେ ଘରେ ଏକ ମିନି ଶୀତଳଭଣ୍ଡାର କରିଛନ୍ତି। ଯଦ୍ୱାରା ଉତ୍ପାଦନ ଅଧିକ, ବିକ୍ରୀର ସମସ୍ୟା ଆସିଲେ ଫୁଲକୁ ସଂରକ୍ଷଣ କରି ରଖିବାର ବ୍ୟବସ୍ଥା କରିଛନ୍ତି। ପାଥପୁର ପଞ୍ଚାୟତରେ ଅଧିକ ଫୁଲଚାଷ କରିବା ପାଇଁ ଚାଷୀ ପ୍ରଶିକ୍ଷଣ ଏବଂ ଅଧିକ ମିନି ଶୀତଳଭଣ୍ଡାର ତିଆରି ପାଇଁ ସୁଯୋଗ ବଢିଲେ ପରିବା ଚାଷ ପରି ଏ ଅଞ୍ଚଳ କଟକ ଜିଲ୍ଲାରେ ଅନୁରୂପ ବ୍ୟାପକ ଫୁଲ ଚାଷର ଗାଁ ହେବ ବୋଲି ସଫଳ ଚାଷୀ ଶିଶିର ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories