ମୌସୁମୀ ଅଧିବେଶନ ଶେଷ

୭ ବିଧେୟକ ପାରିତ, ନୂଆ ବିରୋଧୀ ଦଳ ନେତା

ଭୁବନେଶ୍ବର : ଧାର୍ଯ୍ୟ ଅବଧିର ୩ ଦିନ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି । ଜୁଲାଇ ୨ରୁ ଆରମ୍ଭ ହୋଇଥିବା ଷୋଡ଼ଶ ବିଧାନସଭାର ଦଶମ ଅଧିବେଶନ କାଳରେ ମୋଟ ୨୪ଟି କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୩ଟି କାର୍ଯ୍ୟଦିବସ ବାକି ଥିବାବେଳେ ଆଉ କୌଣସି ବିଶେଷ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନଥିବା ଦର୍ଶାଇ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଏବଂ ଗୃହରେ ବିରୋଧୀ ଓ ଶାସକ ଦଳଙ୍କ ମତାମତ ଆଧାରରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୋମବାରଠାରୁ ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।
ଚଳିତ ଅଧିବେଶନଟି ଅନ୍ୟାନ୍ୟ ଅଧିବେଶନଠାରୁ ଭିନ୍ନ ଥିଲା। ମନ୍ତ୍ରିମଣ୍ଡଳ ପୁନର୍ଗଠନ ସହିତ ନୂଆ ବାଚସ୍ପତି ଦାୟିତ୍ବ ନେବା ପରେ ଏଥର ଗୃହ କାର୍ଯ୍ୟ କିପରି ପରିଚାଳିତ ହେଉଛି ତାହା ଉପରେ ସମସ୍ତଙ୍କ ନଜର ଥିଲା। ଏପରିକି ଶେଷଦିନରେ ବିରୋଧୀ ଦଳର ନେତା ଭାବେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ନାମକୁ ବାଚସ୍ପତି ଗୃହରେ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବାଚସ୍ପତି ପୂର୍ବରୁ ସଂସଦୀୟ ବ୍ୟାପାର ଦାୟିତ୍ବରେ ଥିବାରୁ ଗୃହର କାର୍ଯ୍ୟ ପରିଚାଳନା ବିଶେଷ ସମସ୍ୟା ସୃଷ୍ଟି କରିନଥିଲା। ପ୍ରଶ୍ନକାଳ, ଶୂନ୍ୟକାଳରେ ବିଧାୟକଙ୍କୁ ଭଲ ଭାବେ ଶୁଣିବା, ନୂଆ ବିଧାୟକଙ୍କୁ କହିବାର ସୁଯୋଗ ଦେବା ସହିତ ସେମାନଙ୍କ ତ୍ରୁଟି ମଧ୍ୟ ତତ୍କାଳ ସୁଧାରୁଥିବା ଲକ୍ଷ୍ୟ କରାଯାଇଥିଲା। ପ୍ରଥମ କରି ଦାୟିତ୍ବ ନେଇଥିବା ନୂଆ ମନ୍ତ୍ରୀଙ୍କର ଉତ୍ତର ଶୈଳୀ ଏଥର ସେତେଟା ସନ୍ତୋଷଜନକ ନଥିଲା। ଚିରାଚରିତ ଢଙ୍ଗରେ ଗୃହରେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ବି ବାଚସ୍ପତିଙ୍କ ପରିଚାଳନା କାରଣରୁ ଏଥର ବିଧାନସଭାରେ ସେତେଟା ବିଭ୍ରାଟ ଲକ୍ଷ୍ୟ କରାଯାଇ ନଥିଲା। ଗୃହର କାର୍ଯ୍ୟ ସମୟ ନଷ୍ଟ ହୋଇ ନ ଥିଲା। ଅନେକ ସମୟରେ ମନ୍ତ୍ରୀ ବିଧାୟକ ମୁହାଁମୁହିଁ ହେବା, ଏପରିକି ବାଚସ୍ପତିଙ୍କ ସହିତ ବିରୋଧୀ ସଦସ୍ୟ କଥା କଟାକଟି ହେବା ଭଳି ଘଟଣା ବେଶ୍‌ ରୋଚକ ଥିଲା। ବାଚସ୍ପତି ସେସବୁ ନିଜ ନିୟନ୍ତ୍ରଣକୁ ଆଣି ଗୃହ ଶୃଙ୍ଖଳାର ସହ ଚଳାଇଥିଲେ। ପୂର୍ବ ତୁଳନାରେ ଚଳିତ ଅଧିବେଶନ ଅଧିକ ଶୃଙ୍ଖଳିତ ଥିଲା।
ଅଧିବେଶନ କାଳରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଗୃହରେ ସର୍ବସମ୍ମତିକ୍ରମେ ଧନ୍ୟବାଦ ସଂକଳ୍ପ ସହିତ ୭ଟି ବିଧେୟକ ପାରିତ ହୋଇଛି। ଏହାସହିତ ୨୧୫୬ଟି ତାରକା ପ୍ରଶ୍ନ ଓ ୨୭୯୭ଟି ଅଣତାରକା ପ୍ରଶ୍ନ ଗ୍ରହଣ ହୋଇଥିବାବେଳେ ୫୮ଟି ତାରକା ପ୍ରଶ୍ନ ଓ ୩୭୮୪ଟି ଅଣତାରକା ପ୍ରଶ୍ନର ଉତ୍ତର ଦିଆଯାଇଛି। ୨୧ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସହ ବ୍ୟୟମଞ୍ଜୁରି ବିଧେୟକ ପାରିତ ହୋଇଛି।
ଅଧିବେଶନ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଚଳିତ ବଜେଟ ଅଧିବେଶନଟି ଖୁବ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ଏହି ସମୟରେ ସରକାରଙ୍କ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଓ ବ୍ୟୟମଞ୍ଜୁରି ବିଲ୍ ଶୃଙ୍ଖଳାର ସହ ଆଲୋଚନା ଓ ପାରିତ ହୋଇଛି। ଏହାସହିତ ସି ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଓଡ଼ିଶା(ସଂଶୋଧନ)ବିଲ୍‌, ୨୦୨୨ ଏବଂ ଗାନ୍ଧୀ ଯାନ୍ତ୍ରିକ ଓ ପ୍ରୟୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ୱ ବିଦ୍ୟାଳୟ, ଓଡ଼ିଶା(ସଂଶୋଧନ) ବିଲ୍‌-୨୦୨୨ ଭଳି ୭ଟି ବିଧେୟକ ଆଲୋଚନା ସହିତ ପାରିତ ହୋଇଛି। ଗୃହ କାର୍ଯ୍ୟରେ ବିରୋଧୀଦଳ ସଦସ୍ୟଗଣ, କଂଗ୍ରେସ ବିଧାୟକଦଳ ନେତା ଓ ସଦସ୍ୟଗଣ, ସରକାରୀ ଦଳ ଓ ସିପିଆଇଏମ ସଦସ୍ୟ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ, ଚଳିତ ଅଧିବେଶନଟି ଶାନ୍ତିଶୃଙ୍ଖଳାର ସହ ଚାଲିଥିଲା। ବିରୋଧୀମାନେ ଜନସାଧାରଣଙ୍କ ସ୍ବାର୍ଥକୁ ଠିକଣା ଭାବେ ଉପସ୍ଥାପନ କରିପାରିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ପରିଚାଳନା ଯୋଗୁଁ ଗୃହ ଏଥର ଭଲ ଭାବେ ପରିଚାଳିତ ହୋଇଛି। ଆଗକୁ ବିରୋଧୀଙ୍କୁ ଉଚିତ ସମ୍ମାନ ଦେଇ ଗୃହ ଯେଭଳି ଶାନ୍ତି ଶୃଙ୍ଖଳାର ସହ ଚାଲିବ ସେଥିପ୍ରତି ଦୃ‌ଷ୍ଟି ଦେବାକୁ କହିଥିଲେ। ବାଚସ୍ପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।

kalyan agarbati

Comments are closed.