ଚଣ୍ଡୀଗଡ଼: ନିଶାଖୋର ଲୋକମାନେ ମଦ ନ ପିଇଲେ ଡ଼୍ରଗ୍ସ ଖୋଜିବେ। ଲକ୍ଡ଼ାଉନ ସମୟରେ ଅନ୍ୟୂନ ୨ ଘଣ୍ଟା ମଦ ଦୋକାନ ଖୋଲାଯାଉ। ଏପରି ପ୍ରସ୍ତାବ ଦେଇଛନ୍ତି ଜଣେ ଓଡ଼ିଆ ଆଇଏଏସ୍ ଅଧିକାରୀ ମନୋଜ ପରିଡ଼ା। ମନୋଜ ଏବେ ଚଣ୍ଡୀଗଡ଼ ପ୍ରଶାସକ ବି.ପି.ବଦନୋରଙ୍କ ପ୍ରଶାସନିକ ପରାମର୍ଶଦାତା ଅଛନ୍ତି। ନିଜ ଟ୍ବିଟର ହ୍ୟାଣ୍ଡଲରେ ମନୋଜଙ୍କ ଏପରି ଉଲ୍ଲେଖକୁ ନେଇ ସୃଷ୍ଟି ହୋଇଛି ବିତର୍କ। ଏଥିପାଇଁ ସେ ଜଣେ ଡ଼ାକ୍ତରଙ୍କ ପରାମର୍ଶକୁ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଜଣେ ଡ଼ାକ୍ତର ଏହି ପ୍ରସ୍ତାବ ଦେଇଛନ୍ତି ଏବଂ ନିୟମିତ ମଦ୍ୟପ ମଦ ନ ପିଇଲେ ବିଷାଦଗ୍ରସ୍ତ ହେବ ବୋଲି ଡ଼ାକ୍ତର କହିଛନ୍ତି। ଟ୍ବିଟରରେ କିଛି ଲୋକ ମଧ୍ୟ ତାଙ୍କ ସପକ୍ଷରେ ମତ ରଖିଛନ୍ତି।
One doctor has suggested allowing 2 hour opening of liquor shops lest the addicts go for drugs,or depression..Your views group?☺️
— Manoj Parida (@manuparida1) April 7, 2020
ମନୋଜ ପ୍ରଶାସନ କ୍ଷେତ୍ରରେ ଅନଭିଜ୍ଞ ନୁହନ୍ତି। ସେ ୧୯୮୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଏଜିଏମୟୁଟି (ଅରୁଣାଚଳ ପ୍ରଦେଶ, ମିଜୋରାମ, ଗୋଆ ଓ କେନ୍ଦ୍ରଶାସିତ ଅଞ୍ଚଳ) କ୍ୟାଡ଼ରର ଆଇଏଏସ୍ ଅଧିକାରୀ। ପୂର୍ବରୁ ଦିଲ୍ଲୀ ଅର୍ଥ ନିଗମର ଅଧ୍ୟକ୍ଷ ଥିଲେ। ପଣ୍ଡୀଚେରୀର ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରୁଥିବା ସମୟରେ ଉପରାଜ୍ୟପାଳ କିରଣ ବେଦୀଙ୍କ ସହ ତାଙ୍କର ବିବାଦ ବେଶ ଚର୍ଚିତ ଖବର ଥିଲା।
ମନୋଚିକିତ୍ସକ ଓ ଡ଼ାକ୍ତରଙ୍କ ମତ ଅନୁସାରେ ନିୟମିତ ମଦ୍ୟପାନ କରୁଥିବା ଲୋକ ମଦ ନ ପିଇଲେ ଅବସାଦଗ୍ରସ୍ତ ହେବାର ସମ୍ଭାବନା ରହିଛି। ଦିଲ୍ଲୀର ଡ଼ାକ୍ତର ଭେଙ୍କଟ କୃଷ୍ଣନଙ୍କ ମତରେ ଏପରି ଲୋକମାନେ ଦୁଇ/ତିନି ଦିନ ମଦ ନ ପିଇଲେ ବିଭିନ୍ନ ଲକ୍ଷଣ ପ୍ରକାଶ କରିଥାଆନ୍ତି। ସେମାନଙ୍କ ଦେହରୁ ଝାଳ ବୋହିବା, ଆତଙ୍କିତ ହେବା, କ୍ରୋଧିତ ହେବା ଓ ହୃତସ୍ପନ୍ଦନ ବଢ଼ିବା ପରି ଲକ୍ଷଣ ଦେଖାଯାଇଥାଏ। କିଛି କ୍ଷେତ୍ରରେ ସେମାନେ ପୁରାପୁରି ଚୁପ୍ ହୋଇ ଯାଉଥିବା ଓ କିଛି କ୍ଷେତ୍ରରେ ଅତ୍ୟନ୍ତ ଉଗ୍ର ହେବା ପରି ବ୍ୟବହାର ଦେଖିବାକୁ ମିଳିଥାଏ। ତେବେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ପରାମର୍ଶକୁ ସରକାର କେତେ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।



