ସମାଜ: ବିଶିଷ୍ଟ ଓଡ଼ିଆ ଅର୍ଥନୀତିଜ୍ଞ ଡ. ମନୋଜ ପଣ୍ଡାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇତିମଧ୍ୟରେ ଷୋଡ଼ଶ ଅର୍ଥ କମିସନ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି। ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଅର୍ଥ କମିସନ ରିପୋର୍ଟ ପ୍ରଦାନ କିମ୍ବା ୨୦୨୫ ଅକ୍ଟୋବର ୩୧ ପର୍ଯ୍ୟନ୍ତ (ଯାହା ଆଗୁଆ ହେବ) ଡ. ପଣ୍ଡା ଦାୟିତ୍ବରେ ରହିବେ। ଡ. ପଣ୍ଡା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଚେୟାର ପ୍ରଫେସର ଭାବେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଗ୍ରୋଥ୍ରେ କାର୍ଯ୍ୟ କରିବା ସହ ୨୦୧୨ରୁ ୨୦୧୯ ପର୍ଯ୍ୟନ୍ତ ଏହାର ନିର୍ଦେଶକ ଭାବେ ଦାୟିତ୍ବ ତୁଲାଇଛନ୍ତି। ଏତଦ୍ ବ୍ୟତୀତ ନ୍ୟାସନାଲ ଷ୍ଟାଟିଷ୍ଟିକାଲ କମିସନ୍ ସଦସ୍ୟ, ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଭେଲପମେଣ୍ଟ ରିସର୍ଚ୍ଚ, ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ଆପ୍ଲାଇଡ୍ ଇକୋନୋମିିକ୍ସ ଏବଂ ଫାଇନାନ୍ସିଆଲ ସେକ୍ଟର ରେଗୁଲେଟୋରି ଆପଏଣ୍ଟମେଣ୍ଟ ସର୍ଚ୍ଚ କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏଥିସହିତ ବିଶ୍ବବ୍ୟାଙ୍କ, ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କ ଓ ନ୍ୟାସନାଲ ଡେଭଲେପମେଣ୍ଟ ପ୍ରୋଗ୍ରାମରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଡ. ପଣ୍ଡା ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ ଇନ୍ଷ୍ଟିଚ୍ୟୁଟ୍ରୁ ଅର୍ଥନୀତିରେ ପିଏଚ୍ଡି ସହ ଆମେରିକାର ୟେଲ୍ ବିଶ୍ବବିଦ୍ୟାଳୟରୁ ଫେଲୋସିପ୍ ହାସଲ କରିଛନ୍ତି। ମାକ୍ରୋଇକୋନୋମିକ୍ସ କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି।



