ନୂଆଦିଲ୍ଲୀ : ଆଜି ଦିନ ୧୧ ଟାରେ ମନ୍ କି ବାତ୍ ଜରିଆରେ ଦେଶବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଏହି ଲୋକପ୍ରିୟ କାର୍ଯ୍ୟକ୍ରମ ଦୂରଦର୍ଶନ ଓ ଆକାଶବାଣୀରେ ଦିନ ୧୧ଟାରେ ପ୍ରସାରଣ ହେବ । କରୋନା ଭାଇରସ ମହାମାରୀ ପାଇଁ ଦେଶରେ ଏବେ ମେ’ମାସ ୩ ତାରିଖ ଯାଏଁ ଲକଡାଉନ ହୋଇ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଆଜି ଆଉ କଣ ଘୋଷଣା କରିପାରନ୍ତି ବୋଲି ଦେଶବାସୀ ଉତ୍କଣ୍ଠାର ସହ ଅନାଇ ବସିଛନ୍ତି ।
Have been getting several insightful inputs for this month's #MannKiBaat. Do tune at 11 AM tomorrow. pic.twitter.com/bwPKfiXOYC
— Narendra Modi (@narendramodi) April 25, 2020
ଚର୍ଚ୍ଚା ହେଉଛି ଯେ, ପୁଣି ଥରେ ଲକଡାଉନ ଅବଧି ବଢ଼ିପାରେ । ଯଦି ଏହା ସତ ହୁଏ, ତା’ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସହଯୋଗ ମାଗି ପାରନ୍ତି । ମୋଦୀ ଏଥର ପଞ୍ଚାୟତସ୍ତରରେ କରୋନା ମୁକାବିଲା କେମିତି ଚାଲିଛି ସେ ନେଇ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିପାରନ୍ତି । କାରଣ ନିକଟରେ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମୋଦୀ ଦେଶର ସରପଞ୍ଚମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ କଥା ହୋଇ ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ଉପରେ ଅବଗତ ହୋଇଥିଲେ । ସେହିପରି ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଠିକ ତାର ଦିନକ ପୂର୍ବରୁ ମନ୍ କି ବାତ୍ କାର୍ଯ୍ୟକ୍ରମ ଯଥେଷ୍ଠ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଏହା ଚଳିତ ବର୍ଷର ୪ର୍ଥ ଓ ମନ କି ବାତର ୬୪ତମ ସଂସ୍କରଣ । ଏହା ପୂର୍ବରୁ ମୋଦୀ ଗତ ମାର୍ଚ୍ଚ ୨୪ରେ ମନ କି ବାତରେ ସମ୍ବୋଧନ କରିଥିଲେ ।



