ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୯୮ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କେନ୍ଦ୍ରାପଡ଼ାର ମହିଳା କମଳା ମହାରଣାଙ୍କ ବିଷୟରେ କହିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀ ଚଳାଉଥିବା କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି, ଏହି ସଙ୍ଗଠନର ମହିଳାମାନେ କ୍ଷୀର ପ୍ୟାକେଟ୍ ଜରି ଏବଂ ଅଦରକାରୀ ପ୍ଲାଷ୍ଟିକରୁ ଚାଙ୍ଗୁଡ଼ି ଏବଂ ମୋବାଇଲ୍ ଷ୍ଟାଣ୍ଡ ଭଳି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଏହା ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ସହ ସେମାନଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି। ଆମେ ଯଦି ଶପଥ ନେବା, ସ୍ବଚ୍ଛ ଭାରତ ପାଇଁ ବଡ଼ ଅବଦାନ ଦେଇପାରିବା। ପ୍ଲାଷ୍ଟିକ ବ୍ୟାଗ ସ୍ଥାନରେ କପଡ଼ା ବ୍ୟାଗ ବ୍ୟବହାର କରିବା ପାଇଁ ଆମେ ଅନ୍ତତଃ ପ୍ରତିଜ୍ଞା କରିପାରିବା ବୋଲି କହିଛନ୍ତି ମୋଦୀ।



