ମଣିପୁର ସୃଷ୍ଟି କରିବ ଜାତୀୟ ସୁରକ୍ଷା ସମସ୍ୟା: ବିରୋଧୀ ଦଳ
ଇମ୍ଫାଲ : ମଣିପୁରରେ ଲାଗି ରହିଥିବା ହିଂସା ଆଗାମୀ ଦିନରେ ଜାତୀୟ ସୁରକ୍ଷା ପ୍ରତି ବଡ ବିପଦ ସୃଷ୍ଟି କରିବାକୁ ଯାଉଛି ବୋଲି ବିରୋଧୀ ଦଳଗୁଡିକ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୧ଜଣିଆ ସାଂସଦ ପ୍ରତିନିଧି ଦଳ ରବିବାର କ୍ଷେତ୍ର ପରିଦର୍ଶନ କରିବା ପରେ ଏପରି ମତ ଦେଇଛନ୍ତି। କ୍ଷେତ୍ର ପରିଦର୍ଶନରେ ଯାଇଥିବା ପ୍ରତିନିଧି ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ମଣିପୁର ହିଂସାକୁ ରୋକିବାରେ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।
ମଣିପୁର ସମସ୍ୟାକୁ ଯଦି ତୁରନ୍ତ ସମାଧାନ କରା ନଯାଏ ତେବେ ଚୀନ ଏଥିରେ ହସ୍ତକ୍ଷେପ କରିବାର ଆଶଙ୍କା ରହିଛି। ଚୀନ ତତ୍ତ୍ବ ଯଦି ଏଥିରେ ହସ୍ତକ୍ଷେପ କରେ ତେବେ ଏହା ଜାତୀୟ ସମସ୍ୟାର ରୂପ ନେବ। ରବିବାର ଏହି ପ୍ରତିନିଧି ଦଳ ରାଜଭବନରେ ରାଜ୍ୟପାଳ ଅନୁସୂୟା ଉଇକେଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ଦେଇଛନ୍ତି। ରାଜଭବନ ବାହାରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ରାଜ୍ୟପାଳ ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ସମସ୍ୟା ପ୍ରତି ଧ୍ୟାନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ରାଜ୍ୟପାଳ ସର୍ବଦଳୀୟ ପ୍ରତିନିଧି ଦଳ ମଣିପୁର ଗସ୍ତ କରି ଉଭୟ ମୈତେଇ ଓ କୁକି ସମ୍ପ୍ରଦାୟଙ୍କୁ ଭେଟି ସେମାନଙ୍କ ମଧ୍ୟରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟପାଳଙ୍କ ଏପରି ପ୍ରସ୍ତାବ ଉପରେ ସେମାନେ ସମ୍ମତି ପ୍ରକାଶ କରିଥିବା ଚୌଧୁରୀ କହିଛନ୍ତି। ମଣିପୁର ଗସ୍ତ ସମୟରେ ସେମାନେ ଯେଉଁ ଅନୁଧ୍ୟାନ କରିଛନ୍ତି ତାର ରିପୋର୍ଟ ସଂସଦରେ ଉପସ୍ଥାପନ କରାଯିବ ବୋଲି ପ୍ରତିନିଧି ଦଳ କହିଛନ୍ତି। ପ୍ରତିନିଧି ଦଳର ନେତା ଅଧୀର ଚୌଧୁରୀ କହିଛନ୍ତି ଯେ ମଣିପୁର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା ସମ୍ପର୍କରେ ସେମାନେ ସଂସଦରେ ଆଲୋଚନା କରିବେ। ରାଜ୍ୟରେ ଲୋକଙ୍କ ପାଖରେ ଖାଦ୍ୟ ପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହିଛି। ଏ ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଚୌଧୁରୀ କହିଛନ୍ତି। ଚୌଧୁରୀଙ୍କ ବ୍ୟତୀତ ବିରୋଧୀ ପ୍ରତିନିଧି ଦଳରେ କଂେଗ୍ରସର ଗୌରବ ଗୋଗଇ, ଜେଡି(ୟୁ)ର ରାଜୀବ ରଞ୍ଜନ (ଲାଲନ୍) ସିଂହ ଓ ଅନିଲ ପ୍ରସାଦ ହେଗଡେ, ଟିଏମ୍ସିର ସୁସ୍ମିତା ଦେବ, ଡିଏମ୍କେର କାନିମୋଝି କରୁଣାନିଧି, ସିପିଆଇର ସନ୍ତୋଷ କୁମାର, ସିପିଆଇ(ଏମ୍)ର ଏ.ଏ ରହିମ, ଆରଜେଡିର ମନୋଜ କୁମାର ଝା, ସମାଜବାଦୀ ପାର୍ଟିର ଜାଭେଦ ଅଲୀ ଖାଁ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମହୁଆ ମାଝି, ଏନ୍ସିପିର ପି.ପି ମହମ୍ମଦ ଫୈଜଲ, ଆରଏସ୍ପିର ଏନ୍.କେ ପ୍ରେମଚନ୍ଦ୍ରନ୍, ଆଇୟୁଏମ୍ଏଲର ଇ.ଟି ମହମ୍ମଦ ବାସିର, ଆପ୍ର ସୁଶୀଲ ଗୁପ୍ତା, ଶିବସେନାର ଅରବିନ୍ଦ ସାୱନ୍ତ, ଭିସିକେର ଡି. ରବିକୁମାର ଓ ଥୋଲ ତିରୁମାଭଳଭମ୍, ଆରଏଲଡିର ଜୟନ୍ତ ସିଂହ ପ୍ରମୁଖ ସାମିଲ ହୋଇଥିଲେ। ମେ ୩ରୁ ମଣିପୁରରେ ଜାତିଆଣ ହିଂସା ଲାଗି ରହିଛି। ଏଥିରେ ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହ ଶହ ଶହ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଲୋକ ରିଲିଫ ଶିବିରରେ ଆଶ୍ରୟ ନେଇଛନ୍ତି। ମଣିପୁର ପ୍ରସଙ୍ଗକୁ ନେଇ ସଂସଦର ମୌସୁମୀ ଅଧିବେଶନ ଅଚଳ ରହିଛି। ଅନ୍ୟପଟେ ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ଘଟଣା ଦେଶରେ ଚହଳ ପକାଇଥିଲା।
Comments are closed.