ନୂଆବର୍ଷର ପ୍ରଥମ “ମନ୍ କି ବାତ୍’’; ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କଲେ ମୋଦୀ

0

ନୂଆଦିଲ୍ଲୀ: ଚଳିତ ମାସ ୨୧ ତାରିଖରେ ପ୍ରାଣତ୍ୟାଗ କରିଥିବା କର୍ଣ୍ଣାଟକର ଟୁମ୍କୁର୍ ଜିଲ୍ଲାର ଶ୍ରୀ ସିଦ୍ଧଗଙ୍ଗା ମଠର ଡକ୍ଟର ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ୍ କି ବାତ୍’’ କାର୍ୟ୍ୟକ୍ରମ ଆରମ୍ଭ କରିଥିଲେ । ନୂଆବର୍ଷ ୨୦୧୯ର ପ୍ରଥମ “ମନ୍ କି ବାତ୍’’ କାର୍ୟ୍ୟକ୍ରମ ତଥା ୫୨ତମ ସଂସ୍କରଣରେ ମହାକାଶ ବିଜ୍ଞାନରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ଓଡ଼ିଶାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଆମ ମହାକାଶ କାର୍ୟ୍ୟକ୍ରମରେ ଅନେକ ଯୁବ ବୈଜ୍ଞାନିକଙ୍କର ଭୂମିକା ଅତୁଳନୀୟ । ଆମ ପାଇଁ ଗର୍ବର କଥା ଯେ ଆମର ଛାତ୍ରମାନଙ୍କ ଦ୍ୱାରା ବିକଶିତ ଉପଗ୍ରହ ତଥା ସାଉଣ୍ଡିଙ୍ଗ୍ ରକେଟସ୍ ( Sounding Rockets) ମହାକାଶରେ ପହଁଚିଲାଣି । ଏହି ଗତ ଜାନୁୟାରୀ ୨୪ ତାରିଖ ଦିନ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ “କଲାମ ସେଟ’’ ଲଞ୍ଚ କରାଯାଇଛି । ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତିଆରି କରିଥିବା ସାଉଣ୍ଡିଙ୍ଗ୍ ରକେଟସ୍ ( Sounding Rockets) ମଧ୍ୟ ଅନେକ ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି ।

ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଅନବରତ ପ୍ରଚେଷ୍ଟା କରୁଥିବା ନିର୍ବାଚନ ଆୟୋଗଙ୍କ ମହତ୍ୱପୂର୍ଣ୍ଣ ଭୂମିକାକୁ ମୋଦୀ ପ୍ରଶଂସା କରିଛନ୍ତି । ଏହା ସହ ରାଜ୍ୟର ନିର୍ବାଚନ ଆୟୋଗ, ସମସ୍ତ ସୁରକ୍ଷା କର୍ମୀ ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି । ଏକବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଯୁବବର୍ଗ ଚଳିତବର୍ଷ ପ୍ରଥମଥର ମତଦାନ ପାଇଁ ସୁଯୋଗ ପାଇବେ । ସେହି ଯୁବପିଢ଼ି ମତଦାନ କରିବାର ଯୋଗ୍ୟତା ହାସଲ କରିସାରିଥିବା ବେଳେ ନିଜକୁ ଜଣେ ଭୋଟର ଭାବରେ ପଞ୍ଜୀକୃତ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

“ମନ୍ କି ବାତ୍’’ କାର୍ୟ୍ୟକ୍ରମରେ ମୋଦୀ ମହାପୁରୁଷମାନଙ୍କୁ ସ୍ମରଣ କରି କହିଛନ୍ତି ଯେ ଆମ ଦେଶ ହେଉଛି “ବହୁରତ୍ନା ବସୁନ୍ଧରା’’ । ଜାନୁୟାରୀ ୨୩ ତାରିଖ ମହାପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଲାଲକିଲା ଭିତରେ ସଂଗ୍ରହାଳୟ ନିର୍ମାଣ କରାଯାଇ ‘କ୍ରାନ୍ତି ମନ୍ଦିର’ ନାମରେ ଦେଶକୁ ସମର୍ପିତ କରାଯାଇଛି । ନେତାଜୀଙ୍କ ଯେଉଁ ଟୋପିକୁ ତାଙ୍କ ପରିବାର ଲୋକ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ତାହାକୁ ସଂଗ୍ରହାଳୟରେ ରଖାଯାଇଛି । ଏହା ଯୁବପିଢୀଙ୍କୁ ପ୍ରେରଣା ଦେବ ବୋଲି ମୋଦୀ କହିଛନ୍ତି । ଏହା ସହ ମୋଦୀ ସନ୍ଥ ରବିଦାଶଙ୍କ କଥାକୁ ସ୍ମରଣ କରିଛନ୍ତି । ଆସନ୍ତା ଜାନୁୟାରୀ ୩୦ ତାରିଖ ପୂଜ୍ୟ ବାପୁଙ୍କ ପୁଣ୍ୟ ତିଥି । ଏହି ଅବସରରେ ପୂର୍ବାହ୍ନ ୧୧ଟାରେ ସମଗ୍ର ଦେଶ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ମୋଦୀ ଆହ୍ବନ ଦେଇଛନ୍ତି ।

୫୨ତମ “ମନ୍ କି ବାତ୍’’ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ ଟୟଲେଟ୍ ସୌନ୍ଦର୍ୟ୍ୟ ପ୍ରତିଯୋଗିତା ବିଷୟରେ କହିଛନ୍ତି । ସୌନ୍ଦର୍ୟ୍ୟ ପ୍ରତିଯୋଗିତା ବିଷୟରେ ଶୁଣିଥିବେ । କିନ୍ତୁ ଆପଣ କେବେ ଟୟଲେଟ୍ ସୌନ୍ଦର୍ୟ୍ୟ ପ୍ରତିଯୋଗିତା ବିଷୟରେ ଶୁଣିଛନ୍ତି କି ବୋଲି ମୋଦୀ ପ୍ରଶ୍ନ କରିଥିଲେ ? ଗତ ପ୍ରାୟ ଏକ ମାସ ଧରି ଚାଲି ଆସିଥିବା ଏହି ପ୍ରତିଯୋଗୀତାରେ ଅନ୍ୟୁନ ୫୦ ଲକ୍ଷରୁ ଅଧିକ ଶୌଚାଳୟ ଭାଗ ନେଇଛନ୍ତି । ଏହି ଅଭିନବ ପ୍ରତିଯୋଗିତାର ନାଁ ହେଲା “ସ୍ୱଚ୍ଛ ସୁନ୍ଦର ଶୌଚାଳୟ’’। ଲୋକମାନେ ନିଜ ନିଜର ଶୌଚାଳୟକୁ ସ୍ୱଚ୍ଛ ରଖିବା ସଙ୍ଗେ ସଙ୍ଗେ ସେଥିରେ ରଙ୍ଗ ବେରଙ୍ଗର କିଛି ଚିତ୍ର ଆଙ୍କି ତାକୁ ସୁନ୍ଦର କରି ତାହାର ଫଟୋ ସୋସିଆଲ୍ ମିଡ଼ିଆରେ ଛାଡୁଛନ୍ତି । ତେଣୁ ନିଜ ନିଜର ପଞ୍ଚାୟତରେ ଏହି ଅଭିଯାନର ନେତୃତ୍ୱ ନେବା ପାଇଁ ସମସ୍ତ ସରପଞ୍ଚ ଓ ଗାଁ ମୁଖିଆଙ୍କୁ ମୋଦୀ ଅନୁରୋଧ କରିଛନ୍ତି । ସ୍ୱଚ୍ଛ ଭାରତର ସ୍ମରଣୀୟ ଯାତ୍ରାରେ “ମନ୍ କୀ ବାତ୍’’ ଶ୍ରୋତାମାନଙ୍କ ବଡ଼ ଅବଦାନ ରହିଛି । ୯ କୋଟି ପରିବାରକୁ ନିଜସ୍ୱ ଶୌଚାଳୟ ସୁବିଧା, ଦେଶର ୫.୫୦ଲକ୍ଷରୁ ଅଧିକ ଗାଁ ଖୋଲାଶୌଚ ମୁକ୍ତ ଘୋଷଣା କରାଯାଇଛି ବୋଲି ମୋଦୀ କହିଛନ୍ତି ।

ଆଗାମୀ ଦିନରେ ପରୀକ୍ଷା ଋତୁ ଆରମ୍ଭ ହେବାକୁ ଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୨ତମ “ମନ୍ କି ବାତ୍’’ ସଂସ୍କରଣରେ ଶୁଭକାମନା ଜଣାଇଛନ୍ତି । ଦୁଇ ଦିନ ଅର୍ଥାତ୍ ଜାନୁୟାରୀ ୨୯ ତାରିଖ ଦିନ ୧୧ଟାରେ “ପରୀକ୍ଷା ପେ ଚର୍ଚ୍ଚା’’ କାର୍ୟ୍ୟକ୍ରମରେ ସାରା ଦେଶର ଛାତ୍ରଛାତ୍ରୀମାନଙ୍କ ସହିତ ମୋଦୀ ଆଲୋଚନା କରିବେ ବୋଲି ଘୋଷଣା କରିଛନ୍ତି । ଏଥିରେ ଭାଗ ନେବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି କାର୍ୟ୍ୟକ୍ରମରେ ଚାପମୁକ୍ତ ପରୀକ୍ଷା ସଂପର୍କରେ ଯୁବବନ୍ଧୁମାନଙ୍କ ସହ ମୋଦୀ ସବିସ୍ତାର ଆଲୋଚନା କରିବେ ।

Leave A Reply