ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ କନିଷ୍ଠ ମହିଳା ମହାବିଦ୍ୟାଳୟ ସଭା ଗୃହରେ ଏକଦିବସୀୟ ଭୋଟର ସ୍ଵାକ୍ଷରତା କ୍ଲବ ବିଷୟରେ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଭୋଟର ପଞ୍ଜିକରଣ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଚୁନାୱ ପାଠଶାଳା ଏବଂ କ୍ଲବ ମାଧ୍ୟମରେ କିପରି ଅଧିକରୁ ଅଧିକ ଲୋକ ସଚେତନ ହୋଇ ନିଜ ମନ ମୁତାବକ ଭୋଟ ଦାନ କରିବେ ସେ ବିଷୟରେ ଆଲୋକପାତ କରିଥିଲେ।
ମୁଖ୍ୟବକ୍ତା ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଛାତ୍ରଛାତ୍ରୀମାନେ ସଚେତନ ହୋଇ, ଏହି ବାର୍ତ୍ତାକୁ ଗାଁ ଗହଳିରେ କିପରି ପ୍ରଚାର ପ୍ରସାର କରି ପାରିବେ ସେ ବିଷୟରେ ଦୃଷ୍ଟି ନିକ୍ଷେପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଇଂରାଜୀ ଅଧ୍ୟାପକ କୃଷ୍ଣଚନ୍ଦ୍ର ସେଠୀ ସମସ୍ତ ଅତିଥିଙ୍କୁ ସ୍ବାଗତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିନି ଶହରୁ ଉର୍ଦ୍ଧ୍ୱ ଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରି ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ପଞ୍ଜିକରଣ ବିଷୟରେ ପ୍ରଶ୍ନୋତ୍ତର କରିଥିଲେ।
ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶଙ୍କର୍ଷଣ ଖଣ୍ଡୁଆଳ ପ୍ରତ୍ୟକ୍ଷ ସହଯୋଗ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଭାରତର ଗଣପର୍ବରେ ସମସ୍ତଙ୍କୁ ସାମିଲ ହେବାପାଇଁ ଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ l ସଭା ଶେଷରେ ଶ୍ରୀଯୁକ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।



