ଜି.ଉଦୟଗିରି : ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କତିଙ୍ଗିଆ ସ୍ଥିତ ମାଜୁମାହାଠାରେ ଥିବା ଚର୍ଚ୍ଚ ପାଖ କବରସ୍ଥାନକୁ ନେଇ ବାରମ୍ବାର ହୋଇ ଆସୁଥିବା ବିବାଦର ଜି.ଉଦୟଗିରି ତହସିଲଦାର ଅବିନାଶ ମାହାରଙ୍କ ଅସୀମ ଧୈର୍ଯ୍ୟ ଓ ଉଭୟ ଗୋଷ୍ଠୀଙ୍କ ସହ ଦୀର୍ଘ ୬ଘଣ୍ଟା ଆଲୋଚନା କରିବା ପରେ ସ୍ଥାୟୀ ସମାଧାନ ହୋଇଥିବା ଜଣାପଡ଼ିଛି। ବିବରଣୀରୁ ପ୍ରକାଶ ଯେ, ସ୍ଥାନୀୟ ସରପଞ୍ଚ ଅବନେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀ ମାହାର, ସୁପରଭାଇଜର ଶରତ ଚନ୍ଦ୍ର ସ୍ବାଇଁ, ରାଜସ୍ବ ନିରୀକ୍ଷକ ସାନ୍ତନୁ କୁମାର ଡାକୁଆ, ସମିତି ସଭ୍ୟ ସାମନ୍ତ ଦିଗାଲ, କୁଇ ସମାଜ ପକ୍ଷରୁ ଗାନ୍ଧୀ ପ୍ରଧାନ, ମାନଗୋବିନ୍ଦ ପ୍ରଧାନ, ମର୍ଦ୍ଦରାଜ ମଲ୍ଲିକ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟରୁ ଜଗନ୍ନାଥ ଦିଗାଲ, ସୁମିଷ୍ଟ ରଞ୍ଜନ ନାୟକ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ।
ଆଲୋଚନା ପରେ ଚର୍ଚ୍ଚ ପାଖରେ ଥିବା ବିବାଦୀୟ ଜାଗା ପାଖରେ କୁଇ ସମାଜ ତରଫରୁ ଏକ ଗୃହ ନିର୍ମାଣ ପାଇଁ ଥିବା ଯୋଜନାରୁ ଦୂରେଇ ଯାଇ ସେଠାରେ କବର ଦେବା ପାଇଁ ସମସ୍ତ ଜାଗା ଖ୍ରୀଷ୍ଟିୟାନ ସମ୍ପ୍ରଦାୟକୁ ଦେବା ସହ ତା ବଦଳରେ କୁଇ ସମାଜର ଘର ସତ୍ରି ପ୍ରଧାନଙ୍କ ଜାଗାକୁ ଲାଗିଥିବା ସରକାରୀ ଜାଗାରେ କରାଯିବା ପାଇଁ ସ୍ଥିର କରାଗଲା। ବହୁ ବାଦବିବାଦ ପରେ ତହସିଲଦାରଙ୍କ ଏହି ନିଷ୍ପତିକୁ ଉଭୟ ଗୋଷ୍ଠୀ ମାନି ନେଇଥିଲେ। ଉଭୟ ଗୋଷ୍ଠୀ ତହସିଲଦାରଙ୍କ ଏ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦକୁ ଭୁଲି ଉଭୟ ଗୋଷ୍ଠୀ ମଧ୍ୟରେ ପୁନର୍ବାର ଭାଇଚାରା ସୃଷ୍ଟି ହେବ ବୋଲି ମତ ପୋଷଣ କରିଥିଲେ। ଶେଷରେ ପୂର୍ବତନ ସମିତି ସଭ୍ୟ ଗୋପାଳ ନାୟକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।



