ମହୁଲ ଫୁଲ ଅମୂଲ ମୂଲ, ପରିଶ୍ରମ ଅନୁସାରେ ମିଳୁନି ମୂଲ୍ୟ
ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ଜଣାଶୁଣା। ଏହି ବ୍ଲକର ଅଧିକାଂଶ ଗ୍ରାମ ବଣପାହାଡ଼ ଘେରା ହୋଇଥିବା ବେଳେ ଏହି ବ୍ଲକରେ ପ୍ରଚୁର ପରିମାଣରେ ମହୁଲ ଗଛ ରହିଛି। ବନଜାତ ଦ୍ରବ୍ୟ ଆଦିବାସୀ ଓ ବନବାସୀଙ୍କ ଜୀବନଜୀବିକାର ମୁଖ୍ୟ ଆଧାର ହୋଇଥିବା ବେଳେ ବର୍ତମାନ ମହୁଲ ଫୁଲର ଅଭାବୀ ବିକ୍ରୀ ଯୋଗୁଁ ଏମାନଙ୍କ ଜୀବନଜୀବିକା ସଙ୍କଟରେ ପଡିଥିବା ଲକ୍ଷ୍ୟ କରାଯାଇଛି।
ଓଡ଼ିଶା ଗ୍ରାମପଂଚାୟତ ଆଇନ ୨୦୦୨ ଅନୁଯାୟୀ, ୬୭ଟି ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଦାୟିତ୍ୱ ପଂଚାୟତକୁ ହସ୍ତାନ୍ତର ପରଠାରୁ ମହୁଲ ଫୁଲ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଧାର୍ଯ୍ୟ ସମୟରେ ଉଚିତ୍ ଦର ନିର୍ଦ୍ଧାରଣ ହେଉ ନଥିବାରୁ ବେପାରୀମାନେ ମନଇଛା ଏହି ଦ୍ରବ୍ୟକୁ ଶାଗମାଛ ଦରରେ କେଜି ପ୍ରତି ମାତ୍ର ୧୦ରୁ ୧୫ ଟଙ୍କାରେ ମହୁଲ କିଣୁଥିବା ଦେଖାଯାଇଛି ଏବଂ ଦୁଇ ଚାରି ବର୍ଷ ତଳେ ଏହାର ମୂଲ୍ୟ ଯାହା ରହିଥିଲା ଏବେ ବି ସେହି ସମାନ ଦର ଥିବା ଲକ୍ଷ୍ୟ କରାଯାଇଛି। ଫଳରେ ଆଦିବାସୀମାନେ ଅକ୍ଳାନ୍ତ ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ବନଜାତ ଦ୍ରବ୍ୟକୁ ଉଚିତ୍ ମୂଲ୍ୟରେ ବିକ୍ରୀ କରି ନପାରି ଶୋଷଣର ଶିକାର ହେଉଛନ୍ତି। ଜଙ୍ଗଲ ବିଭାଗ ତଥା ସରକାରଙ୍କ ଉଦାସୀନତା ଯୋଗୁଁ ବନଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ୪ମାସ ଆୟର ପନ୍ଥା ଖୋଜୁଥିବା ଆଦିବାସୀଙ୍କ ଜୀବନଜୀବିକା ଏଥିପାଇଁ ସଙ୍କଟରେ ପଡିଛି। ମହୁଲକୁ ବନବାସୀ ଓ ଆଦିବାସୀମାନେ ଖାଦ୍ୟଭାବେ ବ୍ୟବହାର କରୁଥିବା ବେଳେ ଏଥିରୁ ମଦ ପ୍ରସ୍ତୁତ ହେବା ସହ ଗାଈ ଗୋରୁଙ୍କ ପ୍ରମୁଖ ଖାଦ୍ୟ ଭାବେ ବ୍ୟବହୃତ ହୋଇଥାଏ। ଏଥିରୁ ଆଧୁନିକ ପଦ୍ଧତିରେ ଅନେକ ପ୍ରକାର ଉତ୍ପାଦ ପ୍ରସ୍ତୁତ କରାଯାଉଥିବା ବେଳେ ଏହି ଦ୍ରବ୍ୟର ବଜାର ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ମହୁଲ ବେପାରୀଙ୍କ ହାତକୁ ଆପେ ଆପେ ଏହି ବ୍ୟବସାୟ ଟେକି ହୋଇପଡିଛି।
ରାଜ୍ୟ ସରକାର ରାଜସ୍ୱ ବୃଦ୍ଧି ଲାଗି ନୂତନ ଅବକାରୀ ନିର୍ଦ୍ଧାରଣ କରି ଇ-ନିଲାମକୁ ପ୍ରାଧାନ୍ୟ ଦେଉଥିବା ବେଳେ ବନବାସୀ ଓ ଆଦିବାସୀଙ୍କ ରୋଜଗାରର ଅନ୍ୟତମ ମାଧ୍ୟମ ମହୁଲ ଫୁଲ ଏବେ ଅଲୋଡ଼ା ହୋଇପଡିଛି। ୨୦୦୨ ମସିହାରେ ଓଡ଼ିଶା ସରକାରଙ୍କ ନୂଆ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଓ ବ୍ୟବସାୟ ନୀତି ପ୍ରଚଳନ ହେବା ପରଠାରୁ ମହୁଲ ଫୁଲ ସଂଗ୍ରହରେ ଅବ୍ୟବସ୍ଥା ଅଧିକ ବୃଦ୍ଧି ପାଇଛି। ଫଳରେ ସରକାରଙ୍କ ଏହି ନୀତି ଯୋଗୁଁ ଏହା ବର୍ତମାନ ବ୍ୟବସାୟୀ ଓ ଭାଟିବାଲାମାନଙ୍କ ପାଇଁ ଲାଭବାନ୍ ହେବାର ସୁଯୋଗ ସୃଷ୍ଟି ହୋଇଛି। ବନଜାତ ଦ୍ରବ୍ୟ ବିକ୍ରୀ ପାଇଁ ସ୍ଥାୟୀ ବଜାର ନଥିବାରୁ ଏହା ସେମାନଙ୍କ ପାଇଁ ଅନ୍ତରାୟ ସାଜିଛି। ଏଭଳି ପରିସ୍ଥିତିରେ ମହୁଲ ବେପାର ସମ୍ପୂର୍ଣ୍ଣ ଭାବରେ କୁଚିଆ ମଦ ବେପାରୀ ନିୟନ୍ତ୍ରଣକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି। ମହୁଲ ଫୁଲରୁ ପ୍ରସ୍ତୁତ ହେଉଥିବା ମଦକୁ ଭାଟି ମାଲିକ ଲିଟର ପ୍ରତି ଶହେରୁ ଦେଢଶହ ଟଙ୍କା ବିକ୍ରୀ କରି ବେଶ୍ ଲାଭବାନ୍ ହେଉଥିବା ବେଳେ ଦିନତମାମ୍ ପରିଶ୍ରମ କରି ମହୁଲ ଗୋଟାଉଥିବା ଆଦିବାସୀମାନେ ଏହାକୁ ବିକ୍ରୀକରି ସର୍ବନିମ୍ନ ପାରିଶ୍ରମିକ ମଧ୍ୟ ପାଉନାହାନ୍ତି। କାହିଁ କେଉଁ କାଳରୁ ଆଦିବାସୀମାନେ ଜଙ୍ଗଲରୁ ଝୁଣା, ମହୁଲ, ଶାଳପତ୍ର, କାଠ, ଶାଳମଞ୍ଜି, କେନ୍ଦୁ, ଚାରମଞ୍ଜି, ଲିମ୍ବ, ବାହାଡା, ଅଁଳା, ହରିଡା ପ୍ରଭୃତି ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନଜୀବିକା ନିର୍ବାହ କରିଆସୁଛନ୍ତି। ହେଲେ ପରିସ୍ଥିତି ଦିନକୁ ଦିନ ବଦଳି ଯାଇଛି କିନ୍ତୁ ଏହି ଆଦିବାସୀ ବନବାସୀମାନେ ନିର୍ଭର କରି ଚଳୁଥିବା ମହୁଲ ଭଳି ବନଜାତ ଦ୍ରବ୍ୟର ବଜାର ମୂଲ୍ୟ ବୃଦ୍ଧି ପାଉ ନଥିବାରୁ ଏମାନଙ୍କ ଅକ୍ଲାନ୍ତ ପରିଶ୍ରମର ସମସ୍ତ ଶ୍ରେୟ ଅସାଧୁ ବ୍ୟବସାୟୀ ଓ ମଦବେପାରୀଙ୍କ ହାତକୁ ଆପେ ଆପେ ଟେକି ହୋଇପଡିଛି। ମହୁଲ ଭଳି ବନଜାତ ଦ୍ରବ୍ୟର ଏପରି ଅମୂଲ ମୂଲ ଯୋଗୁଁ ଏହି ସମୟରେ କାମଧନ୍ଦା ନପାଇ ମହୁଲ ଗୋଟେଇ ଚାରିମାସର ଜୀବିକା ବଞ୍ଚାଇବାକୁ ଅକ୍ଳାନ୍ତ ପରିଶ୍ରମ କରୁଥିବା ଗରିବ ଆଦିବାସୀଙ୍କ ଜୀବନ ଜୀବିକା ଦୋଛକିରେ ବନ୍ଧାପଡିଛି। ସରକାର ମହୁଲର ଉଚିତ ଦର ନିର୍ଦ୍ଧାରଣ ସାଙ୍ଗକୁ ମଣ୍ଡି ବ୍ୟବସ୍ଥା ଭଳି ସ୍ଥାୟୀ ପ୍ରତିକାର ପ୍ରତି ଦୃଷ୍ଟି ଦେଲେ ଏହାର ସୁଫଳ ଗରିବ ଆଦିବାସୀ ମହୁଲ ଗୋଟାଳୀଙ୍କୁ ମିଳିପାରନ୍ତା ବୋଲି ମତପ୍ରକାଶ ପାଉଛି।
Comments are closed.