ସିଏମ୍‌ପି ଧାର୍ଯ୍ୟ ଲାଗି କଂଗ୍ରେସ,ଏନସିପି, ଶିବସେନାର ବୈଠକ

ମୁମ୍ବଇ: ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ନେଇ କଂଗ୍ରେସ, ଏନସିପି ଓ ଶିବସେନା ଗୁରୁବାର ବୈଠକ କରିଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଗଠନ ହେବାକୁ ଥିବା ସରକାର ପାଇଁ ତିନି ଦଳ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ (ସିଏମ୍‌ପି) ଧାର୍ଯ୍ୟ କରିବା ବୈଠକ ହୋଇଛି। ବୈଠକରେ ଏକ ଚିଠା ସିଏମପି ପ୍ରସ୍ତୁତ କରାଯାଇଛି। ଚିଠା ସିଏମପିକୁ ତିନି ଦଳର ସର୍ବୋଚ୍ଚ ନେତା ଅନୁମୋଦନ କରିବେ। ସିଏମପି ପ୍ରସ୍ତୁତ ଲାଗି ତିନି ଦଳର ନେତା ବୁଧବାର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ କଥାବାର୍ତ୍ତା କରିଥିଲେ; ମାତ୍ର ଏହା ଚୂଡାନ୍ତ ହୋଇପାରି ନାହିଁ। କଂଗ୍ରେସ ନେତା ପୃଥ୍ବୀରାଜ ଚଭନ କହିଛନ୍ତି ଯେ ସରକାର ଗଠନ ନେଇ କଥାବାର୍ତ୍ତା ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି। ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କଂଗ୍ରେସ ଓ ଏନସିପି ମେଣ୍ଟ ଏହାର ନେତୃତ୍ବସ୍ତରରେ ଆଲୋଚନା କରିବା ପରେ ଶିବସେନା ସହିତ ସରକାର ଗଠନ ସମ୍ପର୍କରେ କଥାବାର୍ତ୍ତା କରିବ। ଏନସିପି ନେତା ଅଜିତ ପୱାର କହିଛନ୍ତି ଯେ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ ଉପରେ ଆଲୋଚନା ପାଇଁ ଏକ ୫ଜଣିଆ କମିଟି ଗଠନ କରାଯାଇଛି। କଂଗ୍ରେସ ମଧ୍ୟ ଏଭଳି ଏକ କମିଟି ଗଠନ କରିଛି। ଶିବସେନା ମଧ୍ୟ ସବୁ କିଛି ସ୍ପଷ୍ଟ ହେବା ଆବଶ୍ୟକ ବୋଲି କହୁଛି। ଆମେ ୬ମାସ ସମୟ ପାଇଛୁ। ତିନି ଦଳ ଖୁବ୍‌ ଶୀଘ୍ର ଏକତ୍ର ବସି ଚୂଡ଼ାନ୍ତ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବୁ ଏବଂ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବୁ ବୋଲି ପୱାର କହିଛନ୍ତି।

Comments are closed.