ହୀରାକୁଦକୁ ପାଣି: ମୁଖ୍ୟଯନ୍ତ୍ରୀଙ୍କୁ ଜଳସମ୍ପଦ ସଚିବଙ୍କ ନିର୍ଦେଶ

0

ଝାରସୁଗୁଡ଼ା : ମହାନଦୀ, କେଲୋ ଓ ଇବ୍‍ ନଦୀରୁ ହୀରାକୁଦ ଜଳଭଣ୍ଡାରକୁ କେତେ ପାଣି ଆସୁଛି ତା’ର ହିସାବ ରଖିବେ ଛତିଶଗଡ଼ ସରକାର। ଗତ ଶନିବାର ସେଠାକାର ଜଳ ସଂପଦ ବିଭାଗ ସଚିବ ନୟାରାୟପୁରରେ ଅବସ୍ଥାପିତ ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଏହି ମର୍ମରେ କଡ଼ା ନିର୍ଦେଶ ଜାରି କରିଛନ୍ତି। ମହାନଦୀ ପାଣିକୁ କେନ୍ଦ୍ରକରି ଛତିଶଗଡ଼-ଓଡ଼ିଶା ମଧ୍ୟରେ ବିବାଦ ଲାଗିଥିବାରୁ ଏଣିକି ମହାନଦୀରେ ଓଡ଼ିଶାକୁ କେତେ ପାଣି ଯାଉଛି ତା’ର ଟିକିନିଖି ହିସାବ ରଖାଯିବା ଅତ୍ୟନ୍ତ ଜରୁରି ହୋଇପଡ଼ିଛି ବୋଲି ସଚିବ ତାଙ୍କ ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି।
ମହାନଦୀ ଉପର ମୁଣ୍ଡରେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଦୁଇ ଦିନ ପାଇଁ ଖୋଲିବା ପରେ ଆଜି ପର୍ଯ୍ୟାୟ କ୍ରମେ କିଛି ସଂଖ୍ୟକ ଗେଟ୍‍ ବନ୍ଦ କରିଛନ୍ତି। ଛତିଶଗଡ଼ ପଟରୁ ପ୍ରତି ସେକେଣ୍ଡରେ କେତେ ଘନଫୁଟ ପାଣି ଯାଉଛି ତା’ର ହିସାବ ରଖିବାକୁ ସେଠାକାର ଜଳ ସଂପଦ ବିଭାଗର ବିଭାଗ ସଚିବ ସୋନମଣି ବୋରା ମୁଖ୍ୟଯନ୍ତ୍ରୀ ଏଚ୍‍.ଆର୍‍.କୁଟାରେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଲମା, କେଲୋ ଓ ଇବ ନଦୀରେ ସ୍ୱତନ୍ତ୍ର ଗଜ୍‍ ଷ୍ଟେସନ ନିର୍ମାଣ କରି ତଳ ମୁଣ୍ଡ (ଓଡ଼ିଶା)କୁ ଜଳପ୍ରବାହ ସଂପର୍କିତ ସମସ୍ତ ତଥ୍ୟ ସରକାରଙ୍କୁ ନିୟମିତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳସଂପଦ ବିଭାଗର ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଜୁନ ସୁଦ୍ଧା ଅଣମୌସୁମୀ ସମୟରେ ଛତିଶଗଡ଼ରୁ ଓଡ଼ିଶାକୁ କେତେ ପାଣି ଯାଇଛି ତାହା ଜଣାଇବାକୁ କହିଛନ୍ତି। ଏହା ସହିତ ମୌସୁମୀ ସମୟରେ ଛତିଶଗଡ଼ରୁ ଓଡ଼ିଶାକୁ ଯାଉଥିବା ସମସ୍ତ ନଦୀନାଳର ଗଜ୍‍ ରିପୋର୍ଟ ଛତିଶଗଡ଼ ଜଳ ସଂପଦ ବିଭାଗକୁ ଦିଆଯିବ ଓ ଏହାର ମାସିକ ସମୀକ୍ଷା କରାଯିବ ଶ୍ରୀ ବୋଲି ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ବିଶେଷ ଭାବରେ ମହାନଦୀରେ ବସନ୍ତପୁର ପରେ କଲମାରୁ ହୀରାକୁଦ ବନ୍ଧ ମଧ୍ୟରେ ଛତିଶଗଡ଼ର କୌଣସି ଗଜ ଷ୍ଟେସନ ନ ଥିବାରୁ ଏହି ସ୍ଥାନରେ ଶୀଘ୍ର ଗଜ୍‍ ଷ୍ଟେସନ ସ୍ଥାପନ କରିବାକୁ ଶ୍ରୀ ବୋରା କହିଛନ୍ତି। ମହାନଦୀର ଉପନଦୀଗୁଡ଼ିକରୁ କେବେ କେତେ ପାଣି ପ୍ରବାହିତ ହୋଇଛି ଏଣିକି ତା’ର ହିସାବ ରଖିବାକୁ କୁହାଯାଇଛି।
ସଚିବ ଶ୍ରୀ ବୋରା ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ଯେ ମହାନଦୀକୁ କେନ୍ଦ୍ରକରି ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଚାଲିଥିବା ବିବାଦକୁ ଆଖି ଆଗରେ ରଖି ଏଣିକି ରାଜ୍ୟ ସରକାରଙ୍କୁ ଏ ସଂପର୍କୀତ ତଥ୍ୟ ରଖିବା ଅତ୍ୟନ୍ତ ଜରୁରି ହୋଇପଡ଼ିଛି। ତେଣୁ ଏହି ନିର୍ଦେଶକୁ ତତ୍କାଳ କାର୍ଯ୍ୟକାରୀ କରାଯିବାକୁ ଶ୍ରୀ ବୋରା ଗୁରୁତ୍ୱ ଦେଇଛନ୍ତି। ମୌସୁମୀ ଋତୁରେ ମହାନଦୀ, କେଲୋ ଓ ଇବ ନଦୀରେ କେତେ ପାଣି ପ୍ରବାହିତ ହେଉଛି ତା’ର ହିସାବ ରଖିବାରେ କିଛି ଆପତ୍ତି ନାହିଁ। କିନ୍ତୁ ଅଣ ମୌସୁମୀ ସମୟରେ ଛତିଶଗଡ଼ ସରକାର ବ୍ୟାରେଜ ଓ ଡ୍ୟାମ ଗେଟ୍‍ ବନ୍ଦ କରି ପାଣି ଅଟକାଇ ରଖିଥିଲେ। ଯାହା ଫଳରେ ଓଡ଼ିଶାକୁ ଟୋପାଏ ପାଣି ମିଳିନଥିଲା। ପ୍ରଥମ ଥର ପାଇଁ ମହାନଦୀ ଶଯ୍ୟା ଶୁଖିଲା ପଡ଼ିଥିଲା। ତେଣୁ ଅଣମୌସୁମୀ ସମୟରେ ମହାନଦୀ ଉପର ମୁଣ୍ଡରୁ ଛତିଶଗଡ଼ ସରକାର କେତେ ପାଣି ପାଇଥିିଲେ ଓ କେତେ ପାଣି ଅଟକାଇ ରଖିଥିଲେ ସେ ତଥ୍ୟ ସାର୍ବଜନୀତନ କରିବେ କି ବୋଲି ପରିବେଶବିତ ପ୍ରଶ୍ନ କରୁଛନ୍ତି। ଛତିଶଗଡ଼ରୁ ମହାନଦୀରେ ଅଣମୌସୁମୀ ଓ ମୌସୁମୀ ଋତୁରେ କେତେ ପାଣି ଆସୁଛି ତା’ର ହିସାବ ରଖିବାକୁ ମଧ୍ୟ ଏହି ମହଲ ଦାବି କରୁଛନ୍ତି।

Leave A Reply