ପଞ୍ଜାବକୁ ହରାଇ ଦ୍ବିତୀୟ ସ୍ଥାନରେ ଲକ୍ଷ୍ନୌ
ମୋହାଲି : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଶୁକ୍ରବାର ମୋହାଲିରେ ଖେଳାଯାଇଥିବା ଚଳିତ ଆଇପିଏଲର ୩୮ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ୫୬ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏଥି ସହିତ ପଞ୍ଜାବ ବିପକ୍ଷରେ ଲକ୍ଷ୍ନୌ ପ୍ରଥମ ଚରଣ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି। ଲକ୍ଷ୍ନୌ ୮ମ ମ୍ୟାଚରୁ ୫ମ ବିଜୟ ସହ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଇତିହାସରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ଦ୍ବିତୀୟ ସର୍ବାଧିକ ରନ୍ କରି ଲକ୍ଷ୍ନୌ ଏହି ବିଜୟ ହାସଲ କରିଛି।
ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ମାର୍କୋସ ଷ୍ଟୋଇନିସ ଓ କାଏଲ ମେୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୨୫୭ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗ୍ସ ଅଥର୍ବ ଟାଇଡେଙ୍କ ୬୬ରନ ବଳରେ ୨୦୧ରନ କରିବାକୁ ସକ୍ଷମ ହୋଇଥିଲା। ୨୫୮ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ କିଙ୍ଗ୍ସ ପ୍ରଥମ ଓଭରରେ ଅଧିନାୟକ ଶିଖର ଧାୱନ(୧)ଙ୍କ ୱିକେଟ ହରାଇଥିଲା। ୩୧ରନରେ ଦ୍ବିତୀୟ ୱିକେଟର ପତନ ଘଟିଥିଲା। ପ୍ରଭସିମରନ ସିଂହ ୯ରନ କରି ଆଉଟ୍ ହୋଇଥିଲେ। ସିକନ୍ଦର ରାଜା ଓ ଅଥର୍ବ ଟାଇଡେ କିଛି ସମୟ ପାଇଁ ଲଢେଇ କରିଥିଲେ। ରାଜା ୩୬ ଓ ଅଥର୍ବ ୬୬ରନ କରି ଆଉଟ୍ ହୋଇଥିଲେ। ଦୁଇ ଇଂଲଣ୍ଡ ଯୋଡ଼ି ଲିଭିଙ୍ଗଷ୍ଟୋନ ଓ ସାମ କରନ୍ ସ୍କୋରକୁ ୧୫୨ରନରେ ପହଞ୍ଚାଇଥିଲେ। ଲିଭିଙ୍ଗଷ୍ଟୋନ ୨୩ରନ କରି ଆଉଟ୍ ହୋଇଥିଲେ। ଦଳ ଶେଷରେ ୧୯.୫ ଓଭରରେ ୨୦୧ରନ କରି ଅଲ୍ଆଉଟ୍ ହୋଇଯାଇଥିଲା।ସାମ କରନ ୨୧, ଜିତେଶ ଶର୍ମା ୨୪ରନ କରିଥିଲେ। ଲକ୍ଷ୍ନୌ ପକ୍ଷରୁ ୟଶ ଠାକୁର ୪ ଟି ଓ ନବୀନ ଉଲ୍ ହକ୍ ୩ଟି ୱିକେଟ ନେଇଥିଲେ। ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସର ଦୁଇ ଓପନର ଲୋକେଶ ରାହୁଲ ଓ କାଏଲ ମେୟର୍ସ ପ୍ରଥମ ୱିକେଟ ଯୋଡ଼ିରେ ୪୧ରନ ସଂଗ୍ରହ କରିଥିଲେ। ରାହୁଲ ୧୨ରନ କରି ଆଉଟ୍ ହୋଇଥିଲେ। ମେୟର୍ସ ଓ ଆୟୁଷ ବଦାନି ଦ୍ବିତୀୟ ୱିକେଟରେ ୩୩ରନ ଯୋଡିଥିଲେ। ୭୪ରନ ସ୍କୋର ଥିବାବେେଳ ମେୟର୍ସ ୫୪ରନ କରି ଆଉଟ୍ ହୋଇଥିଲେ। ୩ୟ ୱିକେଟରେ ବଦାନି ଓ ମାର୍କୋସ ଷ୍ଟୋଇନିସ ଦ୍ରୁତ ଗତିରେ ରନ କରିଥିଲେ। ଉଭୟେ ୮୯ରନ ଯୋଗ କରିଥିଲେ। ୧୬୩ରନ ସ୍କୋର ଥିବାବେଳେ ବଦାନି ୪୩ରନ କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ଷ୍ଟୋଇନିସ ଓ ନିକୋଲାସ ପୁରନ ୭୬ରନ ସଂଗ୍ରହ କରିଥିଲେ । ଦଳ ୧୫.୫ ଓଭରରେ ଦଳ ୨୦୦ରନ ପୂରଣ କରିଥିଲା। ସ୍କୋର ୨୩୯ରନ ଥିବାବେଳେ ଷ୍ଟୋଇନିସ ୪୦ଟି ବଲରୁ ୬ଟି ଚୌକା ଓ ୫ଟି ଛକା ସହ ୭୨ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡକୁ ନିକୋଲାସ ପୁରନଙ୍କ ୧୯ଟି ବଲରୁ ୭ଟି ଚୌକା ଓ ଗୋଟିଏ ଛକା ସହ ୪୫ରନ ସହାୟତାରେ ଦଳ ୫ ୱିକେଟ ହରାଇ ୨୫୭ରନ କରିବାକୁ ସକ୍ଷମ ହୋଇଥିଲା।
Comments are closed.