ଭୁବନେଶ୍ଵର: ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଶନିବାର ପୂର୍ବାହ୍ନରେ ଅବପାତ ରୂପ ନେଇଛି। ପଶ୍ଚିମବଙ୍ଗର ଦୀଘାଠାରୁ ୧୨୫୦ କିଲୋମିଟର ଏବଂ ପାରାଦୀପଠାରୁ ୧୧୦୦ କିଲୋମିଟର ଦୂରରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଆଗାମୀ ୧୨ ଘଣ୍ଟା ଭିତରେ ଏହି ଅବପାତ ସାଇକ୍ଲୋନିକ ଷ୍ଟର୍ମ ବା ସାମୁଦ୍ରିକ ଝଡ଼ ରୂପ ନେବ। ୨୪ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ସାମୁଦ୍ରିକ ଝଡ଼ ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ମିଳିଛି।
ଆଇଏମଡି ସୂଚନା ଅନୁସାରେ, ଏହି ସାମୁଦ୍ରିକ ଝଡ଼ ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୧୭ ତାରିଖ ପରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଏବଂ ଉତ୍ତର-ପୂର୍ବ ଆଡକୁ ଗତି କରି ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ। ୧୮ ତାରିଖ ବେଳକୁ ଝଡ଼ ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଏବଂ ୧୯ ତାରିଖ ଅପରାହ୍ନ ସୁଦ୍ଧା ଅତ୍ୟଧିକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ।



