ଭୁବନେଶ୍ବର : ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁଦୃଶଃ ଲଘୁଚାପ ଏବଂ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଶନିବାର ଉପକୂଳ ଓଡିଶା ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ଆସନ୍ତାକାଲି (ରବିବାର) ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡିଶା ପ୍ରଭାବିତ ହେବା ସହିତ ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାର ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ, ସହରାଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ରେ ପାଣି ଜମିବା ସହ, ପାହାଡିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।
ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳ ଏବଂ ତାର ଆଖ-ପାଖ ଅଞ୍ଚଳରେ ଝଡ ପବନ ଘଣ୍ଟା ପ୍ରତି ୪୫ ରୁ ୫୫ କିମି ସହ ସର୍ବାଧିକ ୬୫ କିମି ଯାଏଁ ରହିବା ସହ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହୁଥିବାରୁ, ମତ୍ସ୍ୟଜୀବୀଙ୍କୁ ୧୫ ଯାଏଁ ସମୁଦ୍ରକୁ ଯିବାକୁ ମନା କରାଯାଇଛି।



