ଏଟିଏମ ଉଠେଇ ନେଲେ ଲୁଟେରା

ସମ୍ବଲପୁର : ସମ୍ବଲପୁରରେ ଜାରି ବର୍ଷାର ସୁଯୋଗ ନେଇ ଏକ ଏଟିଏମ ଲୁଟେରା ଗ୍ୟାଙ୍ଗ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମକୁ ଟଙ୍କା ସହିତ ଉଖାଡି ନେଇଯାଇଛନ୍ତି। ଲୁଟ ହୋଇଥିବା ଏସବିଆଇର ଏଟିଏମରେ ୨୦ ଲକ୍ଷ ୬୭ ହଜାର ୫ ଶହ ଟଙ୍କା ରହିଥିଲା। ଶୁକ୍ରବାର ସକାଳ ସମୟରେ ଏଟିଏମ ଯନ୍ତ୍ର ଚୋରି ହୋଇଥିବାର ଜଣା ପଡିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ଶାସନ ପୁଲିସକୁ ଖବର ଦେଇଥିଲେ। ଏହି ଘଟଣାକୁ ନେଇ ତୁରନ୍ତ ଏସବିଆଇ ତରଫରୁ ଶାସନ ଥାନାରେ ଅଭିଯୋଗ କରାଯିବାରୁ ଏକ ମାମଲା ପୁଲିସ ରୁଜୁ କରି ଘଟଣାର ତଦନ୍ତରେ ଲାଗି ପଡିଛି। ଏ ସର୍ମ୍ପକରେ ଶାସନ ଥାନାଧିକାରୀ ଲୋକନାଥ ସାହୁ ଘଟଣାକୁ ସ୍ୱିକାର କରିଥିବା ବେଳେ ଏଟିଏମ କେନ୍ଦ୍ରରେ ଲାଗିଥିବା ସିସିଟିଭି ଫୁଟେଜର ଯାଞ୍ଚ ସମେତ ଅନ୍ୟାନ୍ୟ ସୁତ୍ରରୁ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି।

ପ୍ରାପ୍ତସୂଚନାନୁଯାୟୀ, ଏହି ଏଟିଏମ ଲୁଟ ଘଟଣା ସମ୍ବଲପୁର ରୁ ରାଉରକେଲା ପର୍ଯ୍ୟନ୍ତ ଯାଇଥିବା ବ୍ୟସ୍ତବହୁଳ ବିଜୁ ଏକ୍ସପ୍ରେସ ରେ ସହରରୁ ମାତ୍ର ୮ କିମି ଦୂରରେ ରାସ୍ତା କଡରେ ଥିବା ମାଝିପାଲି ଛକ ଠାରେ ହୋଇଛି। ଗୁରୁବାର – ଶୁକ୍ରବାର ମଧ୍ୟ ରାତ୍ର ପ୍ରାୟ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ଏହି ଏଟିଏମ ଲୁଟ ଘଟଣା ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବିଗତ କିଛି ଦିନ ହେବ ସମ୍ବଲପୁର ଜିଲାରେ ଅବିରାମ ବର୍ଷା ଜାରି ରହିଥିବାରୁ ରାତ୍ର ସମୟରେ ଅଞ୍ଚଳ ସମ୍ପୁର୍ଣ୍ଣ ଶୁନଶାନ ରହିଥିବାର ସୁଯୋଗ ନେଇ ଲୁଟେରା ଗ୍ୟାଙ୍ଗ ଏହି  କାରନାମା ଭିଆଇଥିବାର ପୁଲିସ ଅନୁମାନ କରୁଛି। ରାତ୍ରିରେ ବର୍ଷା ଯୋଗୁଁ ବ୍ୟସ୍ତବହୁଳ ଏହି ଏକ୍ସପ୍ରେସ ୱେ ରେ ଯାନବାହନ ମଧ୍ୟ ଚଳାଚଳ କମ ରହୁଥିବାରୁ ଲୁଟେରା ଗ୍ୟାଙ୍ଗ କୁ ଏଟିଏମ କୁ ରଶି କିମ୍ବା ଲୁହା ଚେନ ସାହାର୍ଯ୍ୟରେ କୌଣସି ଏକ ଭାରୀଯାନରେ ବାନ୍ଧି ସମ୍ପୁର୍ଣ୍ଣ ରୂପେ ଉପୁଡେଇ ଲୁଟ କରିଥିବାର ଅନୁମାନ କରାଯାଉଛି।

ଅପରପକ୍ଷରେ ଲୁଟେରା ମାନେ ଏଟିଏମ ପଛ ପାଶ୍ୱର୍ରେ ଥିବା ଏକ ବସ୍ତିରେ ଜିତୁ ଦାସ ନାମକ ଜଣେ ବ୍ୟକ୍ତିଙ୍କ ଟାଟା ଏସି ପିକଅପ ଭ୍ୟାନକୁ ଚୋରି କରି ନେଇ ଏଟିଏମ ଲୁଟରେ ଲଗାଇଥିଲେ। ତେବେ ଗାଡିରେ ତେଲ ନ ଥିବା ଗାଡିଟି ସାମାନ୍ୟ ଖରାପ ଥିବାରୁ ଏଟିଏମ ରୁ ମାତ୍ର ୧୦୦ ମିଟର ଦୂରରେ (ଝାରସୁଗୁଡା ପଟ) ଛାଡି ଦେଇ ଏଟିଏମକୁ ଲୁଟ କରି ଫେରାର ହୋଇଯାଇଛନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ପିକଅପ ଭ୍ୟାନ ଚୋରି ସର୍ମ୍ପକରେ ଶାସନ ଥାନାରେ ଏକ ମାମଲା ରୁଜୁ କରି ଲୁଟ ଘଟଣା ସହିତ ଏହାକୁ ମଧ୍ୟ ତଦନ୍ତ କରୁଛି।

ଏ ସର୍ମ୍ପକରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର କହିଛନ୍ତି ଯେ, ଚୋରି ହୋଇଥିବା ଏଟିଏମ ସର୍ମ୍ପକରେ ତଦନ୍ତ ଚାଲିଛି। ସ୍ଥାନୀୟ ଅଞ୍ଚଳରେ ଏଭଳି ଏଟିଏମ ଲୁଟେରା ଅପରାଧି ନାହାନ୍ତି। ଏଟିଏମ ଭାଙ୍ଗିବାକୁ ସ୍ୱତନ୍ତ୍ର ଯନ୍ତ୍ରପାତିର ଆବଶ୍ୟକତା ରହିଥାଏ। ଏପର୍ଯ୍ୟନ୍ତ ସେଭଳି ଅପରାଧି ଜିଲାରେ ନାହାନ୍ତି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରିବା ସହିତ ଏଭଳି ଅପରାଧିକ ଘଟଣା ବାହାର ରାଜ୍ୟର ଲୁଟେରା ମାନେ ଆସି ରାଜ୍ୟରେ କରୁଥିବାର ନଜର ରହିଛି। ଏଣୁ ଆମେ ମୋବାଇଲ ଟ୍ରାକ, ସିସିଟିଭି ଯାଞ୍ଚ ସମେତ ଅନ୍ୟାନ୍ୟ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଅପରାଧି ମାନଙ୍କୁ ଧରିବାର ଚେଷ୍ଟା କରାଯାଉଛି ବୋଲି ଏସପି ଗଙ୍ଗାଧର କହିଛନ୍ତି।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ କଡରେ ସମ୍ବଲପୁରର ବୈଜାମୁଣ୍ଡା ଓ ଗୋଡଭଗା ଠାରେ ଗତ ଜୁନ ୨୫ ତାରିଖ ୨୦୨୦ ମସିହାରେ ଗୋଟିଏ ରାତ୍ରିରେ ୨ଟି ଏଟିଏମ ଲୁଟ କରି ଚୋର ମାନେ ୨୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଲୁଟ କରି ନେଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେହିଭଳି ଲୁଟ ଛତିଶଗଡରେ ହେବାରୁ ପୁଲିସ ଉକ୍ତ ଲୁଟେରା ଗ୍ୟାଙ୍ଗ କୁ ଅଗଷ୍ଟ ୨୦୨୦ ମସିହାରେ ଧରିଥିଲା। ଅପରପକ୍ଷରେ ଗତ ଏପ୍ରିଲ ୪ ତାରିଖରେ ରାଜଧାନୀ ଭୁବନେଶ୍ୱର ଧୌଳି ଥାନା ଅର୍ନ୍ତଗତ ଲିଙ୍ଗିପୁର ହାଉସିଂ ବୋର୍ଡ କଲୋନୀ ନିକଟରେ ଥିବା ଏସବିଆଇର ଏଟିଏମ କୁ ଏଭଳି ଉପୁଡେଇ ନେଇ ଯାଇଥିଲେ। ପରବର୍ତ୍ତି ସମୟରେ କମିଶନରେଟ ପୁଲିସ ଏହି ମାମଲାରେ କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୁରୁରୁ ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏବଂ ବଙ୍ଗଳାଦେଶର ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

 

 

Comments are closed.