ହିନ୍ଦୁ ଧର୍ମରେ ଥିବା ସମସ୍ତ ଦେବାଦେବୀଙ୍କର ଭିନ୍ନ ଭିନ୍ନ ବାହନ ରହିଛି। ଏହାସହ ଦେବାଦେବୀମାନେ ନିଜ ଶରୀରରେ କିଛି ବିଶେଷ ଦ୍ରବ୍ୟ ଧାରଣ କରିଥାଆନ୍ତି। ଏପରି ଦେଖିବାକୁ ଗଲେ ଭଗବାନ ଶିବ ସର୍ବଦା ବେକରେ ସାପ ଗୁଡାଇ ହୋଇଥାଆନ୍ତି। ଏହାକୁ ନେଇ ଏକ ରହସ୍ୟ ରହିଛି।
ସମସ୍ତ ନାଗ ଜାତି ଭଗବାନ ଶିବଙ୍କର ପରମ ଭକ୍ତ ଅଟନ୍ତି। ଭଗବାନ ଶିବ ଧାରଣ କରିଥିବା ସାପ ହେଉଛନ୍ତି ନାଗରାଜ ବାସୁକୀ। ଭଗବାନ ଶିବ ବେକରେ ବାସୁକୀଙ୍କୁ ଧାରଣ କରିବାର କାରଣ ସମ୍ବନ୍ଧରେ ଜାଣିବା ଆସନ୍ତୁ,
ମାନ୍ୟତା ରହିଛି ନାଗ ପ୍ରଜାତିର ଲୋକମାନେ ସର୍ବ ପ୍ରଥମେ ଶିବଲିଙ୍ଗ ପୂଜା କରିବା ଆରମ୍ଭ କରିଥିଲେ। ବାସୁକୀ ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ। ବାସୁକୀଙ୍କ ପୂଜାରେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ ନିଜ ଶିବଗଣରେ ସାମିଲ କରିଲେ। ବାସୁକୀଙ୍କୁ ନାଗଲୋକର ରାଜା ମଧ୍ୟ କରିଥିଲେ। କୁହାଯାଇଛି ଯେ, ସମୁଦ୍ର ମନ୍ଥନ ସମୟରେ ବାସୁକୀ ନାଗଙ୍କୁ ରଶି ରୂପେ ମେରୁ ପର୍ବତର ଚାରି ପଟେ ବନ୍ଧା ଯାଇ ମନ୍ଥନ କରାଯାଇଥିଲା।
ଏହାସହ କଂସର ବନ୍ଦୀ ଶାଳାରେ କୃଷ୍ଣଙ୍କ ଜନ୍ମ ହେବା ମାତ୍ରେ ବାସୁଦେବ ତାଙ୍କୁ ଏକ ଟୋକେଇରେ ରଖି ଗୋକୁଳ ନେଇ ଆସିଥିଲେ। ସେହି ସମୟରେ ପ୍ରବଳ ବର୍ଷା ଯୋଗୁଁ ଯମୁନା ନଦୀରେ ଜଳ ଭର୍ତ୍ତି ହୋଇଥିଲା। ଶ୍ରୀକୃଷ୍ଣଙ୍କୁ ପ୍ରବଳ ବର୍ଷା ଓ ଯମୁନାର ଜଳରୁ ବାସୁକୀ ନାଗ ରକ୍ଷା କରିଥିଲେ।
ଧାର୍ମିକ ମାନ୍ୟତା ଅନୁଯାୟୀ, ବାସୁକୀ ନାଗ ଭଗବାନ ଶିବଙ୍କ ସେବାରେ ନିଜକୁ ସମର୍ପି ଦେବାକୁ ପୂର୍ଣ୍ଣ ରୂପେ ସ୍ବୀକାର କରିଥିଲେ। ଏହା ପରେ ଭଗବାନ ଶିବ ନିଜ ବେକରେ ବାସୁକୀଙ୍କୁ ସର୍ବଦା ଗୁଡାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେହି ଦିନ ଠାରୁ ବାସୁକୀ ନାଗ ଭଗବାନ ଶିବଙ୍କ ବେକରେ ଧାରଣ କରି ରହିଥାଆନ୍ତି।



