ସମାଜ ଡିଜିଟାଲ ଡେସ୍କ: ଆଜି ରସଗୋଲା ଦିବସ । ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରାରେ ମହାପ୍ରଭୁ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସଭଦ୍ରାଙ୍କୁ ନେଇ ମାଉସୀ ମା ଘରକୁ ନବଦିନାତ୍ମକ ଯାତ୍ରା କରିଥିବାରୁ ଅଭିମାନ କରିଥାନ୍ତି ମା’ଲକ୍ଷ୍ମୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ନୀଳାଦ୍ରି ବିଜେ ଅବସରରେ ମାନ କରି ରହିଥିବା ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ଦେଇ ମାନଭଞ୍ଜନ କରିବାର ଏହି ଅନନ୍ୟ ପରମ୍ପରା ରହିଛି ।
ଆଜି ଶ୍ରୀଗୁଣ୍ଡିଚା ଯାତ୍ରାର ଶେଷ ପର୍ଯ୍ୟାୟ ଅଖିଳ ବ୍ରହ୍ମାଣ୍ଡ ଠାକୁରଙ୍କ ଘରବାହୁଡା ତଥା ନୀଳାଦ୍ରି ବିଜେ । ଏହି ଦିନ ଠାକୁର ଗୋଟିପହଣ୍ଡିରେ ପାଟ ପଟୁଆରରେ କାହାଳୀ, ଘଣ୍ଟ ବଜାଇ ସନ୍ଧ୍ୟା ଧୂପ ସରିବା ପରେ ଶ୍ରୀମନ୍ଦିରକୁ ବିଜେ କରନ୍ତି । ସର୍ବପ୍ରଥମେ ମଦନମୋହନ ରାମକୃଷ୍ଣ ଦକ୍ଷିଣ ଚାରକୁ ବିଜେ ହୁଅନ୍ତି ।
ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥ ସିଂହଦ୍ୱାର ନିକଟକୁ ଆସିଲେ କବାଟ ସାମୟିକ ବନ୍ଦ କରାଯାଏ । ପୁନଶ୍ଚ ଶ୍ରୀଜଗନ୍ନାଥ ଜୟ-ବିଜୟ ଦ୍ୱାର ପାଖରେ ପହଞ୍ଚିଲେ କବାଟ ବନ୍ଦ କରାଯାଏ । ଏହିଠାରେ ଲକ୍ଷ୍ମୀ-ନାରାୟଣ ବଚନିକା ହୁଅନ୍ତି । ଲକ୍ଷ୍ମୀଙ୍କ ତରଫରୁ ଦେବଦାସୀ ଥିଲେ ହେଁ ସମ୍ପ୍ରତି ଏହା ପୂଜାପଣ୍ଡାଙ୍କ ଦ୍ୱାରା ସମ୍ପନ୍ନ ହେଉଛି । ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦଇତା ସେବକ । ଏମାନଙ୍କ ଭିତରେ କିଛି ସମୟ ବଚନିକା ପରେ ଦ୍ୱାରା ଖୋଲେ । ଶ୍ରୀଜଗନ୍ନାଥ ଭଣ୍ଡାର ଘର ନିକଟରେ ପହଞ୍ଚିବା ପରେ ସେଠାରେ ରୁକ୍ମିଣୀ ବିବାହର ଗଇଁଠାଳ ଫିଟେ, ବନ୍ଦାପନା ହୋଇ ରସଗୋଲା ଭୋଗହୁଏ । ମାନମୟ ଠାକୁର ମାନମୟୀ ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ କୋଳେଇ ନିଅନ୍ତି । ଏହି ରସଗୋଲା ଭୋଗକୁ ଆଧାର କରି ଭକ୍ତମାନେ ବିପୁଳ ସଂଖ୍ୟାରେ ଠାକୁରଙ୍କୁ ରସଗୋଲା ଭୋଗ ଲାଗି କରିଥାନ୍ତି ।



