ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କୀ ହମ୍ଲା ପରେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ ନିଦ ହଜିଯାଇଛି। ସେ ସବୁ ମୁହୂର୍ତ୍ତରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନ ଭୟରେ ରହିଛି। ନିୟନ୍ତ୍ରଣ ରେଖା ନିକଟରେ ଲଗାତର ଗୁଳି ବର୍ଷା କରୁଛି ପାକିସ୍ତାନ। ଏଥିରୁ ତା’ର ଭୟ ସ୍ପଷ୍ଟ ବାରି ହୋଇପଡ଼ୁଛି। ଭାରତ-ପାକ୍ ସୀମାରେ ଲଗାତାର ଅଷ୍ଟମ ଦିନରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ତେବେ ପ୍ରତ୍ୟେକ ତର ତାକୁ ମୁହଁ ତୋଡ଼ ଜବାବ ମିଳୁଛି।
ଭାରତୀୟ ସେନାର ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତି ଏବଂ ଶୁକ୍ରବାର ଭୋର ସମୟରେ ପାକିସ୍ତାନ ସେନା ସୀମାରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀରର କୁପୱାଡା, ବାରାମୁଲ୍ଲା, ପୁଞ୍ଚ, ନୌଶେରା ଏବଂ ଅଖନୁର ଅଞ୍ଚଳରେ ଗୁଳିମାଡ଼ କରିଛି। ଭାରତୀୟ ସେନାର ଯବାନମାନେ ସଂଯମ ଏବଂ ଉପଯୁକ୍ତ ଉପାୟରେ ଜବାବ ଦେଇଛନ୍ତି।



