ଏସସିବିରେ ଦ୍ଵିତୀୟ ସଫଳ ଯକୃତ ପ୍ରତିରୋପଣ

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ସିବି)ରେ ଯକୃତ ପ୍ରତିରୋପଣ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ପୂର୍ବ ଭାରତର ପ୍ରଥମ ସରକାରୀ ଡାକ୍ତରଖାନା ଭାବେ ଏସସିବି​ରେ ସୋମବାର ଦ୍ବିତୀୟ ଯକୃତ ପ୍ରତିରୋପଣ କରାଯାଇଛି। ସ୍ତ୍ରୀଙ୍କ ଶରୀରରୁ ଯକୃତର ୫୦ ପ୍ରତିଶତ କଢାଯାଇ ସ୍ବାମୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଦୀର୍ଘ ୧୦ ଘଣ୍ଟା ଧରି ଏସ୍‌ସିବିର ମଡୁଲାର ଅସ୍ତ୍ରୋପଚାର ଗୃହ (ଓଟି)ରେ ୨ ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ହାଇଦ୍ରାବାଦ ଏଆଇଜି ଟିମ୍‌ ଓ ଏସ୍‌ସିବି ଡାକ୍ତର ମିଳିତ ଭାବରେ ଏହି ଅସ୍ତ୍ରୋପଚାର କରିଛନ୍ତି। ଉଭୟ ଯକୃତ ଦାତା ଏବଂ ଗ୍ରହୀତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଅତିରିକ୍ତ ଅଧୀକ୍ଷକ ଡା. ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଏସ୍‌ସିବିରେ ପ୍ରଥମ ଯକୃତ ପ୍ରତିରୋପଣ ସଫଳ ହେବାର ୫ ମାସ ପରେ ଦ୍ବିତୀୟ ଯକୃତ ପ୍ରତିରୋପଣ ହୋଇଛି। ଦୀର୍ଘ ୩ ମାସ ହେଲା ଏସ୍‌ସିବିରେ ଅପେକ୍ଷାରେ ଥିବା ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯)ଙ୍କ ଠାରେ ଯକୃତ ପ୍ରତିରୋପଣ କରାଯାଇଛି। ସ୍ବାମୀଙ୍କୁ ଯକୃତ ଦେଇ ଜୀବନ ଦାନ କରିଛନ୍ତି ସ୍ତ୍ରୀ ଛବି ମୁଦୁଲି। ସ୍ତ୍ରୀଙ୍କ ଶରୀରରୁ ଯକୃତର ୫୦ ପ୍ରତିଶତ ଅଂଶ କଟା ଯାଇ ସ୍ବାମୀଙ୍କ ଠାରେ ଲଗାଯାଇଛି। ମାନସଙ୍କ ଆର୍ଥିକ ଅବସ୍ଥା ଅତି ଖରାପ ଥିଲା। ସେ ପ୍ରାୟ ୫ ବର୍ଷ ହେବ ଲିଭର ସୋରାସିସ୍‌ ରୋଗରେ ପୀଡିତ ଥିଲେ। ତାଙ୍କ ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଜୀବିତ ରହିବା ପାଇଁ ପ୍ରତିରୋପଣ ଏକମାତ୍ର ମାଧ୍ୟମ ବୋଲି ଡାକ୍ତର କହିଥିଲେ। ହାଇଦରାବାଦ ଏସିଆନ୍‌ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏ‌େଣ୍ଟ୍ରାଲୋଜି (ଏଆଇଜି)ର ୧୦ ଜଣିଆ ଟିମ ଓ ଏସସିବିର ୧୫ ଜଣିଆ ଟିମ୍‌କୁ ନେଇ ସକାଳୁ ଉଭୟଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପାଇଁ ପ୍ରଥମେ ଯକୃତ ଦାତା ତଥା ପତ୍ନୀଙ୍କୁ ସକାଳ ୮ଟାରେ ଓଟିକୁ ନିଆ ଯାଇଥିଲା। ୪ରୁ ୫ ଘଣ୍ଟା ଧରି ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ଓଟିରୁ ଆଇସିୟୁକୁ ଆସିଥିଲେ। ସେହିପରି ଦାତାଙ୍କ ଠାରୁ ଯକୃତର ଅଂଶ କାଟିବା ପରେ ଗ୍ରହୀତାଙ୍କ ଠାରେ ପ୍ରତିରୋପଣ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳକୁ ଅସ୍ତ୍ରୋପଚାର ଶେଷ ହୋଇଥିଲା। ସ୍ବାମୀଙ୍କ ଯକୃତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତାହା ବାହାର କରିଦିଆଯାଇଛି। ପ୍ରାୟ ୪ରୁ ୫ମାସ ମଧ୍ୟରେ ପତ୍ନୀଙ୍କ ଯକୃତ ବୃଦ୍ଧି ହୋଇ ସାଧାରଣ ଆକାରକୁ ଆସିଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଅପରପକ୍ଷେ ତୃତୀୟ ପତିରୋପଣ ପାଇଁ ରୋଗୀ ଚିହ୍ନଟ ହୋଇଯାଇଛନ୍ତି। ଖୁବ ଶୀଘ୍ର ମାନସ ଆଚାର୍ଯ୍ୟ ନାମକ ବ୍ୟକ୍ତିଙ୍କ ତୃତୀୟ ପ୍ରତିରୋପଣ ହୋଇପାରେ ବୋଲି ଏସ୍‌ସିବିର ଯକୃତ ପ୍ରତିରୋପଣ ବିଭାଗର ନୋଡାଲ ଅଧିକାରୀ ପ୍ରଫେସର ଡା ରାଜେଶ କୁମାର ଦୋରା ସୂଚନା ଦେଇଛନ୍ତି। ଏଥିରେ ଏଆଇଜି ପ୍ରଫେସର ଡା ବାଲକୃଷ୍ଣନ ମେନନଙ୍କ ନେତୃତ୍ବରେ୪ ଜଣିଆ ଡାକ୍ତରୀ ଦଳଙ୍କ ସହ ନୋଡାଲ ଅଧିକାରୀ ଡା ଦୋରା, ନିଶ୍ଚେତକ ବିଭାଗ ପ୍ରଫେସର ଡା ପ୍ରମୋଦ କୁମାର ପଲାଇ, ଶଲ୍ୟ ବିଭାଗ ଆସୋସିଏଟ ପ୍ରଫେସର ଡା ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ନିଦାନ ବିଭାଗର ପ୍ରଫେସର ଡା କୌମୁଦୀ ପଟ୍ଟନାୟକ ପ୍ରମୁଖ ଅସ୍ତ୍ରୋପଚାର କରିଥିଲେ। ଏସସିବି ଅଧ୍ୟକ୍ଷ ତଥା ଅଧୀକ୍ଷକ ଦାୟିତ୍ବରେ ଥିବା ପ୍ରଫେସର ଡା ଲୁସି ଦାସ ଓ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିଥିଲେ। ସୂଚନାଯୋଗ୍ୟ, ଗତ ଏପ୍ରିଲ ୩ ତାରିଖରେ କଟକ ଜିଲା ତିଗିରିଆ ଅଞ୍ଚଳର ମାନସ ବାରିକଙ୍କ ଯକୃତ ପ୍ରତିରୋପଣ କରାଯାଇଥିଲା। ଶ୍ରୀ ବାରିକଙ୍କୁ ତାଙ୍କ ସ୍ତ୍ରୀ ରଶ୍ମିତା ଯକୃତ ଦାନ କରିଥିଲେ।

Comments are closed.