www.samajalive.in
Saturday, December 6, 2025
19.1 C
Bhubaneswar

ବିନା ମୂଲ୍ୟରେ ‘ଗୁରୁବାଣୀ’ର ସିଧା ପ୍ରସାରଣ ହେବ

ଚଣ୍ଡିଗଡ଼ : ସ୍ବର୍ଣ୍ଣ ମନ୍ଦିରରେ ବୋଲା ଯାଉଥିବା ଶିଖମାନଙ୍କ ପବିତ୍ର ଗୁରୁବାଣୀ ଏଣିକି ବିନା ମୂଲ୍ୟରେ ଟିଭିରେ ପ୍ରସାରଣ ହେବ। ଏ ସଂକ୍ରାନ୍ତ ପ୍ରସ୍ତାବ ମଙ୍ଗଳବାର ପଞ୍ଜାବ ବିଧାନସଭାରେ ଗୃହୀତ ହୋଇଛି । ଏଥିପାଇଁ ୧୯୨୫ର ଶିଖ୍‌ ଗୁରୁଦ୍ବାରା ଆଇନର ସଂଶୋଧନ କରାଯାଇଛି । ସ୍ବର୍ଣ୍ଣ ମନ୍ଦିରରୁ ସିଧାସଳଖ ବିନା ମୂଲ୍ୟରେ ଗୁରୁବାଣୀ ପ୍ରସାରଣ କରାଯିବ ବୋଲି ଏଥିରେ ପ୍ରାବଧାନ ରହିଛି। ସମ୍ପ୍ରତି ଏକ ଘରୋଇ ଟିଭି ଚାନେଲ ‘ପିଟିସି’ ମାଧ୍ୟମରେ ପ୍ରସାରିତ ହେଉଥିବା ଗୁରୁବାଣୀର ସିଧା ପ୍ରସାରଣକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଏହାର ସିଧା ପ୍ରସାରଣ ସମ୍ପର୍କରେ ସୂଚନା ଦେବା ପରଠାରୁ ହିଁ ବିରୋଧ ଓ ବିବାଦ ଆରମ୍ଭ ହୋଇଛି। ଶିଖ୍‌ମାନଙ୍କ ସର୍ବୋଚ୍ଚ ଧାର୍ମିକ ସଂଗଠନ ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବିରୋଧ ପୂର୍ବକ କହିଛି ଯେ ୧୯୨୫ର ଆଇନ ସଂସଦ ଦ୍ବାରା ପ୍ରଣିତ। ଏହା ବିଧାନସଭାରେ ନୁହେଁ; କେବଳ ସଂସଦରେ ହିଁ ସଂଶୋଧନ ହୋଇପାରିବ। ଶିରୋମଣି ଅକାଳୀ ଦଳ (ବାଦଲ), ଶିରୋମଣି ଅକାଳୀ ଦଳ ଆଦି ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଛି। କଂଗ୍ରେସ ଏ କ୍ଷେତ୍ରରେ ମାପିଚୁପି ମତ ରଖୁଛି। ଗୁରୁବାଣୀ ହେଉଛି ପବିତ୍ର ଗ୍ରନ୍ଥ ‘ଗୁରୁଗ୍ରନ୍ଥ ସାହେବ’ରେ ଲିଖିତ ବିଭିନ୍ନ ଶିଖ୍‌ ଗୁରୁଙ୍କ ବାଣୀ ବା ଧାର୍ମିକ ପରାମର୍ଶ। ଏହାକୁ ପ୍ରଚାର କରୁଥିବା ପିଟିସି ହେଉଛି ଅକାଳୀ ଦଳ (ବାଦଲ) ମୁଖ୍ୟଙ୍କ ପରିବାର ମାଲିକାନାରେ ଥିବା ଚାନେଲ। ମୁଖ୍ୟମନ୍ତ୍ରୀ ମାନ୍‌ କହିଛନ୍ତି ଯେ ଏକ ଘରୋଇ ଚାନେଲ ମାଧ୍ୟମରେ ଗୁରୁବାଣୀର ପ୍ରସାରଣ କରାଯାଉଛି ଏବଂ ଏହାର ବ୍ୟୟଭାର ଏସ୍‌ଜିପିସି ବହନ କରୁଛି। ଏହା ପରିବର୍ତ୍ତେ ସରକାର ନିଜ ଖର୍ଚ୍ଚରେ ସବୁ ଚାନେଲକୁ ପ୍ରସାରଣ ଅଧିକାର ଦେବାକୁ ପ୍ରସ୍ତୁତ। ଏସ୍‌ଜିପିସି ଏଥିରେ ଖୁସି ହେବା ଆବଶ୍ୟକ। ରାଜ୍ୟ ସରକାରଙ୍କର ବ୍ରିଟିଶ ଅମଳର ଆଇନ ସଂଶୋଧନ କ୍ଷମତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ହରିୟାଣା ପାଇଁ ଏକ ସ୍ବତନ୍ତ୍ର ଗୁରୁଦ୍ବାରା କମିଟି ଗଠନ ସଂକ୍ରାନ୍ତ ମାମଲାର ଦୃଷ୍ଟାନ୍ତ ରଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ ଏହି ପ୍ରସଙ୍ଗ ଆନ୍ତଃରାଜ୍ୟ ନୁହେଁ ସମ୍ପୂର୍ଣ୍ଣ ଭାବେ ରାଜ୍ୟସ୍ତରୀୟ ମାମଲା। ସେ ଦୃଷ୍ଟିରୁ ରାଜ୍ୟ ସରକାର ପୁରୁଣା ଆଇନ ସଂଶୋଧନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories