ରାସ୍ତା ଅବରୋଧ କଲେ ମହିଳା
ଧାମରା: ମଦ ବିକ୍ରି ପ୍ରତିବାଦରେ କରଣପଲ୍ଲୀ ପଞ୍ଚାୟତର ମହିଳାମାନେ ରାସ୍ତା ଅବରୋଧ କରିଥିଲେ। କରଣପଲ୍ଲୀ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ ପଞ୍ଚାୟତ ଭାବେ ଘୋଷଣା କରିବାକୁ ୬୦ଟି ସ୍ୱଂୟ ସହାୟକ ଗୋଷ୍ଠୀ ରାମନବମୀ ଅବସରରେ ଶପଥ ନେଇଥିଲେ। ଏହାପରେ ମହିଳାମାନେ ଦସ୍ତଖତ ସମ୍ବଳିତ ଦାବିପତ୍ର କରଞ୍ଜମାଳ ଫାଣ୍ଡି ଅଧିକାରୀ ହୃଷିକେଶ ବିଶ୍ୱାଳଙ୍କୁ ଦେଇ ମଦବିରୋଧୀ ଆନ୍ଦୋଳନକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଜନୈକ ବ୍ୟକ୍ତିଙ୍କ ଘରୁ ଆଜି ମହିଳାମାନେ ୧୦ ପେଟି ମଦ ଜବତ କରିଥିଲେ। କିନ୍ତୁ ଅବକାରୀ ବିଭାଗ ସହଯୋଗ ନ କରିବାରୁ ପ୍ରାୟ ୩୦୦ ମହିଳା ଧାମରା -ବସୁଦେବପୁର ରାସ୍ତାକୁ କୁଆମରା ଛକ ଠାରେ ଦିନ ୮ଟାରୁ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଫାଣ୍ଡି ଅଧିକାରୀ ଶ୍ରୀ ବିଶ୍ୱାଳ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମହିଳାମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି। ଆଜିର ଏହି ରାସ୍ତା ରୋକରେ କରଞ୍ଜମାଳ ସରପଞ୍ଚ ବାବୁଲୀ ସେଠୀ, ଅମୂଲ୍ୟ ମଣ୍ଡଳ, ବାବୁଲା ସାହୁ, କୃଷ୍ଣ ମଣ୍ଡଳ, ଲକ୍ଷ୍ମୀଧର ବାରିକ, ବିଦ୍ୟାଧର ବାରିକ, ବାପି ଦଳେଇ, ତପନ କୁମାର ପାତ୍ର, ବିଦ୍ୟାଧର ରାଉତ, ଶ୍ରୀମା ମହିଳା ମହାସଂଘର ସମ୍ପାଦିକା ଶାନ୍ତିଲତା ବାରିକ, ସଭାନେତ୍ରୀ ସୁରମା ମୁଳା, ଆଞ୍ଚଳିକ ମହିଳାମଞ୍ଚର ମାଧବୀଲତା ଦାସ, ରଞ୍ଜୁଲତା ରାଉତ, ଅନ୍ନପୂର୍ଣା ଦାସ ପ୍ରମୁଖ ଉପସ୍ଥିତ ଥିଲେ।