ଭୁବନେଶ୍ବର: ରବିବାର ଠାରୁ ଅନ୍ଲାଇନ୍ରେ ମଦ ବିକ୍ରୟ ଆରମ୍ଭ ହେବ। ତେବେ ବର୍ତ୍ତମାନ ଦୋକାନରେ ମଦ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଅନ୍ଲାଇନ୍ରେ ମଦ ମଗାଇବା ଶସ୍ତା ପଡ଼ିବ ନାହିଁ। ଗ୍ରାହକଙ୍କୁ ପୂର୍ବାପେକ୍ଷା ଦେଢ଼ ଗୁଣାରୁ ଅଧିକ ମୂଲ୍ୟ ଦେବାକୁ ହେବ। ସବୁ ପ୍ରକାର ବିଦେଶୀ ମଦ ଓ ବିୟର୍ ଉପରେ ଓଡ଼ିଶା ସରକାର ’ସ୍ପେଶାଲ କୋଭିଡ୍ ଫି’ ଲାଗୁ କରିଥିବାରୁ ମଦର ଏମ୍ଆରପି (ସର୍ବାଧିକ ପାଇକାରୀ ମୂଲ୍ୟ) ୨୦୧୯-୨୦ ଉପରେ ୫୦ ପ୍ରତିଶତ ଅଧିକ ଅର୍ଥ ଲାଗୁ ହେବ। ଏହା ବ୍ୟତୀତ ହୋମ୍ ଡେଲିଭରି ବାବଦରେ ମଧ୍ୟ ଗ୍ରାହକଙ୍କୁ ୧୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ବ୍ୟୟ କରିବାକୁ ହେବ। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ମଦର ହୋମ୍ ଡେଲିଭରି କରାଯାଇପାରିବ। କିନ୍ତୁ କଣ୍ଟେନ୍ମେଣ୍ଟ ଓ ସପିଂ ମଲ୍ରେ ଥିବା ମଦ ଦୋକାନ ଅନ୍ଲାଇନ୍ରେ ମଦ ବିକ୍ରି କରିବା ଉପରେ କଟକଣା ଲଗାଯାଇଛି।
୫୦ ପ୍ରତିଶତ ମୂଲ୍ୟ ବୃଦ୍ଧି ଦ୍ବାରା ଯେଉଁ ରାଜସ୍ବ ଆସିବ ତାହା କୋଭିଡ୍ ରୋଗୀ ଓ ଏସମ୍ପର୍କିତ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ହେଉଥିବା ଖର୍ଚ୍ଚର ଭରଣା କରାଯିବ। ମଦ ଦୋକାନୀ ନିଜେ କିମ୍ବା ଜଣାଶୁଣା ଖାଦ୍ୟ ଡେଲିଭରି ସଂସ୍ଥା ଓ ଅନ୍ୟାନ୍ୟ ଡେଲିଭରି ସେବା ପ୍ରଦାନକାରୀ ସଂସ୍ଥା ଗ୍ରାହକଙ୍କ ପାଖରେ ମଦ ପହଞ୍ଚାଇ ପାରିବେ। ମଦ ହୋମ୍ ଡେଲିଭରି ପାଇଁ ଜୋମାଟୋ ଓ ସ୍ବିଗିକୁ ବିଭାଗ ପକ୍ଷରୁ ଆଜି ଅନୁମତି ମିଳିଛି। ଜୋମାଟୋ ପକ୍ଷରୁ ଭୁବନେଶ୍ବର, କଟକ, ବ୍ରହ୍ମପୁର, ପୁରୀ ପୌରାଞ୍ଚଳରେ ଏବଂ ସ୍ବିଗି ପକ୍ଷରୁ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଲା ପୌରାଞ୍ଚଳରେ ମଦ ହୋମ୍ ଡେଲିଭରି କରିପାରିବ।
ଓଡ଼ିଶା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟେକ ଲାଇସେନ୍ସପ୍ରାପ୍ତ ଅନ୍ ଓ ଅଫ୍ ସପ୍ ମାଲିକ ନିଜ ଦୋକାନ ବାହାରେ ମୋବାଇଲ୍ ନମ୍ବର, ହ୍ବାଟ୍ସଆପ୍ ନମ୍ବର, ଇମେଲ୍, ୟୁପିଆଇ ବିବରଣୀ ବୋର୍ଡରେ ପ୍ରଦର୍ଶନ କରିବେ। ଏହା ଦ୍ବାରା ଅର୍ଡର ଗ୍ରହଣ କରିବା ସହ ଦୋକାନ ବାହାରେ ଡିଜିଟାଲ ଦେୟ ସମ୍ଭବ ହୋଇପାରିବ। କେବଳ ଫୋନ୍ କଲ, ଏସ୍ଏମ୍ଏସ୍, ହ୍ବାଟ୍ସଆପ୍ କିମ୍ବା ଇମେଲ୍ ଦ୍ବାରା ହୋମ୍ ଡେଲିଭରି ପାଇଁ ଅର୍ଡର ଗ୍ରହଣ କରାଯାଇ ପାରିବ। ଅନ୍ୟ କୌଣସି ସଂସ୍ଥା ଦ୍ବାରା ହୋମ୍ ଡେଲିଭରି ପାଇଁ ବ୍ୟବସାୟୀଙ୍କୁ ଏକ୍ସସାଇଜ୍ କମିଶନରଙ୍କ ଠାରୁ ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍ଓସି) ହାସଲ କରିବା ଜରୁରୀ।
ହୋମ୍ ଡେଲିଭରି ପାଇଁ ବର୍ତ୍ତମାନ ଏକ୍ସସାଇଜ୍ କମିଶନରଙ୍କ ଦ୍ବାରା ଧାର୍ଯ୍ୟ ମୂଲ୍ୟ ଅନୁସାରେ ୧୦୦୦ ଟଙ୍କାର ଏମଆରପି ଥିବା ମଦ ପାଇଁ ଡେଲିଭରି ଚାର୍ଜ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ପରେ ୫୦୦ ଟଙ୍କାରୁ ଅଧିକ ପାଇଁ ୨୫ ଟଙ୍କା ଲେଖାଏଁ ଅଧିକ ଦେବାକୁ ହେବ। ତେବେ କୌଣସି ପରିସ୍ଥିତିରେ ଡେଲିଭରି ଚାର୍ଜ ୩୦୦ ଟଙ୍କାରୁ ଅଧିକ ହେବ ନାହିଁ। ପରବର୍ତ୍ତୀ ଅବସ୍ଥାରେ ଏକ୍ସସାଇଜ୍ କମିଶନର ଡେଲିଭରି ଚାର୍ଜ ବୃଦ୍ଧି କିମ୍ବା ହ୍ରାସ କରିପାରିବେ। ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସ୍ବିସି) ୱେବ୍ ସାଇଟ୍ରେ ପ୍ରତ୍ୟେକ ଜିଲାୱାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନର ତାଲିକା ଓ ଉପଲବ୍ଧ ମଦର ଏମ୍ଆରପି ପ୍ରଦର୍ଶିତ ହେବ। ଦୋକାନ ବାହାରେ ଯେପରି ଭିଡ଼ ନହୁଏ ସେଥିପ୍ରତି ବ୍ୟବସାୟୀମାନେ ଦୃଷ୍ଟିଦେବେ। ଅର୍ଡର ବୁକ୍ ହେବାର ଅତିବେଶିରେ ୬ ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ପାଖରେ ମଦ ପହଞ୍ଚିବା ଆବଶ୍ୟକ ବୋଲି ବିଭାଗ କହିଛି। ସର୍ବାଧିକ ପରିମାଣର ମଦ ଡେଲିଭରି ପାଇଁ ଉଦ୍ଦିଷ୍ଟ ନିୟମର ଅନୁପାଳନ କରିବା ବ୍ୟବସାୟୀ ଓ ଡେଲିଭରି ସଂସ୍ଥାଙ୍କ ପାଇଁ ବାଧ୍ୟତାମୂଳକ। ଏଥିସହ ଯେପରି କେବଳ ପ୍ରାପ୍ତବୟସ୍କ ଗ୍ରାହକ ମଦ କ୍ରୟ କରିବେ ତାହା ସମ୍ପୃକ୍ତ ବ୍ୟବସାୟୀ ଓ ସଂସ୍ଥା ସୁନିଶ୍ଚିତ କରିବେ।



