ଲିଙ୍ଗାୟତକୁ ପୃଥକ ଧର୍ମର ମାନ୍ୟତା ଦେଲା କର୍ଣ୍ଣାଟକ କ୍ୟାବିନେଟ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ମାସ ବାକି ଥିବାବେଳେ ଶାସକ କଂଗ୍ରେସ ଦଳ ଗୋଟିଏ ପରେ ଗୋଟିଏ ରାଜନୈତିକ ଗୋଟି ଚାଳନା କରିବାରେ ଲାଗିଛି । ଏହି କ୍ରମରେ ନିର୍ବାଚନର ଠିକ୍‌ ମାସେ ପୂର୍ବରୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କ୍ୟାବିନେଟ ଲିଙ୍ଗାୟତକୁ ପୃଥକ ଧର୍ମର ମାନ୍ୟତା ପ୍ରଦାନ ପ୍ରସ୍ତାବକୁ ସୋମବାର ଅନୁମୋଦନ ପ୍ରଦାନ କରିଛି । ଏଥିପାଇଁ କର୍ଣ୍ଣାଟକ ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି ।

କର୍ଣ୍ଣାଟକ ମନ୍ତ୍ରୀ ନେବି ପାଟିଲ କହିଛନ୍ତି ଯେ ରାଜ୍ୟ ସରକାର ଜଷ୍ଟିସ୍‌ ନାଗମୋହନ ଦାସ କମିଟିର ରିପୋର୍ଟକୁ ଅନୁମୋଦନ ପୂର୍ବକ ଲିଙ୍ଗାୟତକୁ ପୃଥକ ଧର୍ମ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ରକୁ ସୁପାରିସ୍‌ କରିଛି । ଲିଙ୍ଗାୟତ ବାସବେଶ୍ୱରଙ୍କ ବିଚରାଧାରାକୁ ମାନନ୍ତି । ଆମେ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ପତ୍ର ଲେଖିଛୁ ।

ପ୍ରକାଶ ଯେ କର୍ଣ୍ଣାଟକରେ ଲିଙ୍ଗାୟତ ସମ୍ପ୍ରଦାୟର୧୮% ଲୋକ ଅଛନ୍ତି । ଏହାସହ ପଡୋଶୀ ରାଜ୍ୟ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ବି ଲିଙ୍ଗାୟତ ସମ୍ପ୍ରଦାୟର ଲୋକେ ବାସ କରନ୍ତି । କୁହାଯାଉଛି ଯେ ନିର୍ବାଚନରେ ବିଜେପିର ୟେଦୁରପ୍ପାଙ୍କୁ ଚେକ୍‌ମେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି କାର୍ଡ ଖେଳିଛନ୍ତି ।

ସୋମବାର ସକାଳେ ଲିଙ୍ଗାୟତ ସମ୍ପ୍ରଦାୟର ଧର୍ମଗୁରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ସେ ପୁଣିଥରେ ଲିଙ୍ଗାୟତକୁ ପୃଥକ ଧର୍ମ ସହ ସଂଖ୍ୟାଲଘୁର ମାନ୍ୟତା ଦେବାକୁ ନିଜ ଦାବି ଉପସ୍ଥାପନ କରିଥିଲେ ।

ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କର୍ଣ୍ଣାଟକ ବିଜେପି ନିନ୍ଦା କରିଛି । ନିର୍ବାଚନ ସମୟରେ ଏଭଳି କରି ଧର୍ମ ଆଧାରରେ କଂଗ୍ରେସ ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । କର୍ଣ୍ଣାଟକ ପାଇଁ ଅଲଗା ପତାକା ପରେ ଲିଙ୍ଗାୟତ ଧର୍ମକୁ ନେଇ ସିଦ୍ଧରମୈୟାଙ୍କ ଗୋଟି ଚାଳନା ବିଜେପିକୁ ବହୁ ପଛରେ ପକାଇ ଦେଇଛି।

Leave A Reply