www.samajalive.in
Sunday, December 14, 2025
14.1 C
Bhubaneswar

ବଜ୍ରପାତରେ ୫ ମୃତ, ୫ ଗୁରୁତର

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ବଜ୍ରପାତରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ପୁରୀ ଜିଲାର ଡେଲାଙ୍ଗ ଓ ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ଦଶପଲ୍ଲା ବ୍ଲକ୍‍ ଡିହଗାଁ ନିକଟସ୍ଥ ଦଶପଲ୍ଲା-ଗଣିଆ ରାଜ୍ୟ ରାଜପଥରେ ଯାଉଥିବାବେଳେ ପଥଚାରୀ ଜଣକ ବଜ୍ରାଘାତରେ ପ୍ରାଣ ହରାଇଥିଲେ। ତେବେ ମୃତକଙ୍କ ପରିଚୟ ମିଳିପାରି ନ ଥିବାରୁ ଡାକ୍ତରଖାନା ପରିସରରେ ଶବ ପଡି ରହିଛି।
ସେହିପରି ଡେଲାଙ୍ଗ-କୋଠବାଡ ପଞ୍ଚାୟତ ବେନୁପଡା ଗ୍ରାମର ବିନୋଦିନୀ ବେହେରା (୪୦) ବିଲରେ ଧାନ ତଳି ପୋତୁଥିବାବେଳେ ବଜ୍ରାଘାତ ଯୋଗୁଁ ସେହିଠାରେ ଟଳି ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଡେଲାଙ୍ଗ ଥାନା ଇନ୍ସପେକ୍ଟର ଅସିତ ରଞ୍ଜନ ମହାନ୍ତି ଓ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଛେଦ ନିମନ୍ତେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।
କ୍ଷେତକୁ ଚାଷ କରିବାକୁ ଯାଇଥିବାବେଳେ ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ନିଲେଇପାଲି ପୋଡ଼ବାହାଲ ପଡ଼ାର ସୁବଳୟା ମିର୍ଦ୍ଧା (୨୬) ଓ ମିଲି ମିର୍ଦ୍ଧା (୪୮) ବଜ୍ରାଘାତର ଶିକାର ହୋଇଥିଲେ। ଏତିକିବେଳେ ବଜ୍ରପାତ ହେବାରୁ ଉଭୟ ଅଚେତ ହୋଇ ପଡ଼ିଥିଲେ ଓ ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ନିଆଯାଇଥିଲା।
ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସେହିପରି ବରଗଡ଼ ଜିଲା ପୋଡ଼ବାହାଲ ପଡ଼ାର ସୁଲୋଚନା ମିର୍ଦ୍ଧା (୨୫) ଓ ବିଳାସ ମିର୍ଦ୍ଧା (୨୫), ତାଲପାଲି ଗ୍ରାମପଞ୍ଚାୟତ ଅଇଁଲାଭଟା ଗ୍ରାମର ଶେଷଦେବ ଭୋଇ(୫୫), ବାବୁଲାଲ ଭୋଇ(୪୫) ଓ ପଦ୍ମାବତୀ ଭୋଇ(୨୦) ବଜ୍ରପାତର ଶିକାର ହୋଇଛନ୍ତି।
ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମର ସୁବଳ ମହାକୁର (୬୦) ବଜ୍ରପାତରେ ପ୍ରାଣ ହରାଇଛନ୍ତି। କୌଣସି କାମରେ ଲୁତୁରପଙ୍କ ହନୁମାନ ଛକକୁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବୀରମହାରାଜପୁର ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜିଲା ପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀ ସୁବଳଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ସମବେଦନ ଜଣାଇଛନ୍ତି।
ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ ଅଇଁଲାଭଟା ଗ୍ରାମର ଶେଷଦେବ, ବାବୁଲାଲ ଓ ପଦ୍ମାବତୀ ବଜ୍ରପାତରେ ଗୁରୁତର ହେବା ପରେ ସେମାନଙ୍କୁ ପ୍ରଥମେ ତାଲପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ପଦ୍ମପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଏହି ବଜ୍ରାଘାତରେ ଉକ୍ତ ଗ୍ରାମର ଦୁଇଟି ଘରର ଛାତ ଫାଟିଯିବା ସହ ବିଭିନ୍ନ ବିଦ୍ୟୁତ ଉପକରଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଘଟଣାର ଖବରପାଇ ଗୋଇସିଲେଟ ଜିଲାପରିଷଦ ଜୋନ ୧ ସଭ୍ୟା ସସ୍ମିତା ଡନସନା, ବିଜେପି ମିଡିଆ ସେଲ ପ୍ରଭାରୀ ଝସକେତନ ସାହୁ, ବିଜେଡ଼ିର ବରିଷ୍ଠ ନେତା ଶେଷଦେବ ନାୟକ, ସୁବାସ ଚନ୍ଦ୍ର ଭୋଇ ପ୍ରମୁଖ ଆହତଙ୍କୁ ଦେଖିବାକୁ ପଦ୍ମପୁର ଡାକ୍ତରଖାନାକୁ ଯାଇ ସହାୟତାର ପ୍ରତିଶ୍ରୁତି ଦେଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories