ବିଶ୍ବବିଦ୍ୟାଳୟରେ ଅଧା ଶିକ୍ଷକ ପଦ ଖାଲି
ମଞ୍ଜୁରପ୍ରାପ୍ତ ୨୩୩୮ ଶିକ୍ଷକ ପଦରୁ ୧୦୩୬ ଖାଲି
ଭୁବନେଶ୍ୱର : ସରକାର ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନାନା କୌଶଳ ଆପଣାଉଛନ୍ତି। ଭିତ୍ତିଭୂମିଠାରୁ ନିଯୁକ୍ତି ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାଙ୍କ ସଂଖ୍ୟା ୮୯,୧୭୬ ବୋଲି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ହେଲେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଥିବା ଶିକ୍ଷକ ପଦରୁ ଅର୍ଦ୍ଧାଧିକ ଖାଲିପଡ଼ିଛି। ବିଶେଷକରି ଉତ୍କଳ ଓ ସମ୍ବଲପୁରରେ ପ୍ରାୟ ୫୦ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ଶିକ୍ଷକ ପଦ ଏବଂ ୭୦ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦ ମଧ୍ୟ ଖାଲିପଡ଼ିଛି।
ସରକାରୀ ବିଶ୍ୱବିଦ୍ୟାଳୟରେ ସହବନ୍ଧିତ ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ୨୩୩୮ଟି ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦ ରହିଛି। ସେଥିମଧ୍ୟରୁ ୧୦୩୬ଟି ଶିକ୍ଷକ ପଦ ଖାଲିପଡ଼ିଛି। ଖାଲି ପଦ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ଏ ସଂକ୍ରାନ୍ତ ନିଯୁକ୍ତି ପ୍ରକ୍ରିୟା ଓଡ଼ିଶା ଲୋକସେବା ଆୟୋଗଙ୍କସ୍ତରରେ ଚାଲିଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ।
ସରକାରୀ କଲେଜରେ କେତେ ଛାତ୍ରଛାତ୍ରୀ ପଢ଼ୁଛନ୍ତି, ଛାତ୍ର ଶିକ୍ଷକ ଅନୁପାତ କେତେ, କେତେ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ରହିଛି ଓ ଏଗୁଡ଼ିକୁ କେବେ ପୂରଣ କରାଯିବ ସେ ସଂକ୍ରାନ୍ତରେ ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଉଲ୍ଳେଖ କରିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟଗୁଡ଼ିକରେ ୮୯,୧୭୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୟୁଜିସି ନିୟମାବଳୀ ଅନୁସାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଅନୁପାତ ହାର ସ୍ନାତକୋତ୍ତରରେ ୧୦:୧ ଓ ସ୍ନାତକରେ ୨୫:୧ ନିର୍ଦ୍ଧାରଣ କରାଯାଇଛି।
ରାଜ୍ୟର ୨୮୩ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟଗୁଡ଼ିକରେ ୭୧୧୦ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦ ରହିଛି। ଖାଲିଥିବା ପଦ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି। ଖାଲି ପଦ ରାଜ୍ୟ ସିଲେକ୍ସନ ବୋର୍ଡ ଜରିଆରେ ପୂରଣ ହେବ। ବିଶ୍ୱବିଦ୍ୟାଳୟୱାରୀ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଉତ୍କଳରେ ୩୨୪ଟି ସହବନ୍ଧିତ କଲେଜରେ ମଞ୍ଜୁରିପ୍ରାପ୍ତ ୨୫୭ ଶିକ୍ଷକ ପଦରୁ ୧୨୯ଟି ଖାଲିଥିବାବେଳେ ୯୮୦ ଅଣଶିକ୍ଷକ ପଦରୁ ୬୬୭ ଖାଲିପଡ଼ିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ୧୪୯ କଲେଜରେ ୧୫୩ ଶିକ୍ଷକ ପଦରୁ ୯୯ ଖାଲିଥିବାବେଳେ ୫୨୦ ଅଣଶିକ୍ଷକ ପଦରୁ ୩୩୮ ଖାଲିପଡ଼ିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୭୪ କଲେଜରେ ୧୯୬ ଶିକ୍ଷକ ପଦରୁ ୮୬ ଖାଲିଥିବାବେଳେ ୫୨୭ ଅଣଶିକ୍ଷକ ପଦରୁ ୨୫୪ ଖାଲି ଅଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ୧୩୮ଟି କଲେଜରେ ୪୫ଶିକ୍ଷକ ପଦରୁ ୧୯ ଖାଲି ଥିବାବେଳେ ୮୮ ଅଣଶିକ୍ଷକ ପଦରୁ ୬୨ ଖାଲି ରହିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୪୮ଟି କଲେଜରେ ୧୩୮ ଶିକ୍ଷକ ପଦରୁ ୭୮ ଖାଲିଥିବାବେଳେ ୧୦୧ଟି ଅଣଶିକ୍ଷକ ପଦରୁ ୮୮ଖାଲି ରହିଛି। ଫକିରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୯୪ଟି କଲେଜରେ ୧୧୭ ଶିକ୍ଷକ ପଦରୁ ୪୪ଟି ଖାଲିଥିବାବେଳେ ୯୯ ଅଣଶିକ୍ଷକ ପଦରୁ ୧୫ ଖାଲି ଅଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୦୧ଟି କଲେଜରେ ୧୧୫ ଶିକ୍ଷକ ପଦରୁ ୭୬ ଖାଲିଥିବାବେଳେ ୧୦୩ ଅଣଶିକ୍ଷକ ପଦରୁ ୪୬ ଖାଲି ଅଛି। ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୫୯ଟି କଲେଜରେ ୧୨୬ ଶିକ୍ଷକ ପଦରୁ ୧୦୬ ଖାଲି ଅଛି ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୪୯ଟି କଲେଜରେ ୧୧୨ ଶିକ୍ଷକ ପଦରୁ ୯୫ ଖାଲି ଅଛି। ଉପରୋକ୍ତ ଦୁଇଟି ବିଶ୍ୱବିଦ୍ୟାଳୟରେ ଅଣଶିକ୍ଷକ ପଦ ସୃଷ୍ଟି କରାଯାଇ ନାହିଁ। ମଧୁସୂଦନ ଆଇନ ମହାବିଦ୍ୟାଳୟ ଅଧୀନରେ ଥିବା ୨୪ଟି କଲେଜରେ ୫୦ଶିକ୍ଷକ ପଦରୁ ସବୁ ପଦ ଖାଲିଥିବାବେଳେ ୨୦ଟି ଅଣଶିକ୍ଷକ ପଦରୁ ୧୩ଟି ଖାଲି ଅଛି। ରେଭେନ୍ସା ଏକକ ବିଶ୍ୱବିଦ୍ୟାଳୟରେ ୨୬୭ ଶିକ୍ଷକ ପଦରୁ ୧୫୩ ଖାଲିଥିବାବେଳେ ୮୧ ଅଣଶିକ୍ଷକ ପଦରୁ ୩୮ ଖାଲି ଅଛି। ଗଙ୍ଗାଧର ମେହେର ଏକକ ବିଶ୍ୱବିଦ୍ୟାଳୟର ୧୪୪ ଶିକ୍ଷକ ପଦରୁ ୭୦ ଏବଂ ୧୨୦ ଅଣଶିକ୍ଷକ ପଦରୁ ୧୩ ଖାଲି ଅଛି।
Comments are closed.