୩ ପର୍ଯ୍ୟନ୍ତ ଜାରି ରହିବ ୩ କୋର୍ଟ ବର୍ଜନ; ନିୟମିତ ଓକିଲାତି କରୁ ନ ଥିବା ଆଇନଜୀବୀଙ୍କ ନାଁ ସୁପାରିସର ପ୍ରତିବାଦ

କଟକ : ନିୟମିତ ଓକିଲାତି କରୁନଥିବା ଅାଇନଜୀବୀଙ୍କ ନାମ ବିଚାରପତି ପଦ ପାଇଁ ସୁପାରିସକୁ ପ୍ରତିବାଦ କରି ଅାଇନଜୀବୀମାନେ କୋର୍ଟ ବର୍ଜନ ଜାରି ରଖିଛନ୍ତି। ତେବେ ମୁଖ୍ୟ ବିଚାରପତିଙ୍କ କୋର୍ଟ ସମେତ ୩ଟି କୋର୍ଟକୁ ଅାସନ୍ତା ୩ ପର୍ଯ୍ୟନ୍ତ ବର୍ଜନ ଜାରି ରଖାଯିବ ବୋଲି ନିଷ୍ପତ୍ତି ନିଅାଯାଇଛି। ହାଇକୋର୍ଟ ବାର୍ ଅାସୋସିଏସନ୍ ସାଧାରଣ ପରିଷଦ ବୈଠକ ବୁଧବାର ଅନୁଷ୍ଠିତ ହେବା ପରେ ଏହି ନିଷ୍ପତ୍ତି ନିଅାଯାଇଛି। ସୂଚନାଯୋଗ୍ୟ ହାଇକୋର୍ଟ ବାର ଅାସୋସିଏସନର ଏକ ପ୍ରତିନିଧି ଦଳ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, କେନ୍ଦ୍ର ଅାଇନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ନେଇ ଅାପତ୍ତି ରଖିବା ସହ ଅାଲୋଚନା କରିଛନ୍ତି। ତେବେ ଜୁଲାଇ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସାଧରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଘୋଷଣା କରାଯାଇଛି। ତେବେ ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ କଲେଜିୟମକୁ ସୁପାରିଶ କରାଯିବା ଘଟଣାର ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ କରାଯାଇଛି। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ଏବେ ୧୩ଟି ପଦବି ଖାଲି ପଡିଛି। ଆସନ୍ତା ନଭେମ୍ବରରେ ଜଣେ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଏବେ ହାଇକୋର୍ଟରେ ପ୍ରାୟ ୧.୫୩ଲକ୍ଷ ମାମଲା ବିଚାରାଧୀନ ରହିଛି। ବହୁ ବିଚାରପତି ପଦ ଖାଲି ପଡିଥିବା ବେଳେ ରାଜ୍ୟରେ ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ତେବେ ଓଡ଼ିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁନଥିବା ଆଇନଜୀବୀଙ୍କ ନାଁ କଲେଜିୟମ ପକ୍ଷରୁ ସୁପାରିଶ କରାଯିବା ଘଟଣା ଜଣା ପଡିବା ପରେ ଆସୋସିଏସନ୍ ପକ୍ଷରୁ ଏ ନେଇ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରାଯାଇଥିଲା। ଓଡ଼ିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁଥିବା ବ୍ୟକ୍ତିଙ୍କ ନାଁ ସୁପା‌ରିଶ କରାଯିବ ଆସୋସିଏସନକୁ ଅାଶ୍ବାସନା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁନଥିବା ବ୍ୟକ୍ତିଙ୍କ ନାଁ କଲେଜିୟମ ସୁପାରିଶ କରିଥିବା କଥା ଆସୋସିଏସନ୍ ଜାଣିବାକୁ ପାଇଥିଲା।

Comments are closed.