ବିଦ୍ୟୁତ ବିଲ୍ ପଇଠ ପାଇଁ ପୋର୍ଟାଲ ଓ ମୋବାଇଲ୍ ଆପ୍ଲିକେସନ୍ ଲୋକାର୍ପିତ
ଭୁବନେଶ୍ୱର: ସମଗ୍ର ଦେଶରେ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା, ଏସ୍ଆଇସି, ଭୁବନେଶ୍ୱର ଓ ଟାଟା ପାୱାର କମ୍ପାନି ଲିମିଟେଡ୍ର ମିଳିତ ଉଦ୍ୟମରେ ଗ୍ରାମପଞ୍ଚାୟତ ସ୍ତରରେ ଜନସାଧାରଣ ଯେପରି ସହଜରେ ବିଦୁ୍ୟତ ଦେୟ ପଇଠ କରିପାରିବେ ସେଥି ପାଇଁ ଜିଏସ୍ଏମ୍ସି ନାମକ ଏକ ପୋର୍ଟାଲ ଓ ମୋବାଇଲ୍ ଆପ୍ଲିକେସନ୍ର ଲୋକାର୍ପିତ ହୋଇଛି । ଜନସାଧାରଣଙ୍କ ସହଜ ଓ ସୁଗମ ବିଦୁ୍ୟତ ଦେୟ ପଇଠ ପାଇଁ ପୋର୍ଟାଲଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ଦ୍ୱାରା ମୋବାଇଲ୍ ଆପ୍ଲିକେସନ୍ଟି ଲୋକାର୍ପିତ ହୋଇଛି। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଲୋକାର୍ପଣ ସଭାରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏଭଳି ଉଦ୍ୟମ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଏନ୍ଆଇସି ଓ ଟାଟା ପାୱାରକୁ ସାଧୁବାଦ ଜଣାଇଥିଲେ । ପଞ୍ଚାୟତ ସ୍ତରରୁ ଯେଭଳି ଏହା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେବ ସେଥି ପାଇଁ ଧ୍ୟାନ ଦେବା ପାଇଁ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଥିଲେ ।
ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଣ ଓ ପଥପାର୍ଶ୍ବର ଆଲୋକୀକରଣର ନିରବଚ୍ଛିନ୍ନ ସୁବିଧା ଯୋଗାଇ ଦେବାକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ତୃଣମୂଳ ସ୍ତରରେ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିସନ ଓ ରାଜ୍ୟ ପଞ୍ଚମ ଅର୍ଥ କମିସନଙ୍କ ପକ୍ଷରୁ ପ୍ରଦତ୍ତ ଅନୁଦାନରୁ ପଞ୍ଚାୟତମାନଙ୍କ ଦ୍ୱାରା ପାନୀୟ ଜଳ, ପଥପାର୍ଶ୍ବର ଆଲୋକୀକରଣ ଓ ପଞ୍ଚାୟତ ଅଫିସ୍ରେ ଉପଯୋଗ ହେଉଥିବା ବିଦ୍ୟୁତ ଶୁଳ୍କ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସାରା ରାଜ୍ୟରେ ସମସ୍ତ ଗ୍ରାମ ପଞ୍ଚୟତମାନଙ୍କର ବିଦ୍ୟୁତ ଶୁଳ୍କ ବାବଦରେ ବାର୍ଷିକ ହାରାହାରି ୨୪୦-୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଅଛି । ତେବେ ପଞ୍ଚାୟତମାନଙ୍କ ଦ୍ୱାରା ନିୟମିତ ବିଦ୍ୟୁତ ଶୁଳ୍କ ପୈଠ ଏବଂ ତାହାର ତଦାରଖ କରିବା ପାଇଁ କୌଣସି ସରଳ ଓ ସୁଗମ ବ୍ୟବସ୍ଥା ନଥିବାରୁ ବହୁଦିନ ଧରି ବିଦ୍ୟୁତ ବିଲ୍ ବକେୟା ରହୁଥିବା ପରିଲକ୍ଷିତ ହେଉଅଛି । ତେଣୁ, ଲୋକଙ୍କୁ ଉତ୍ତମ ଓ ବିଶ୍ୱସନୀୟ ବିଦ୍ୟୁତ ସେବା ଯୋଗାଇବା ପାଇଁ ସଂକଳ୍ପ ନେଇଥିବା ଓଡ଼ିଶା ସରକାର ଏହି ସମସ୍ୟାର ସମାଧାନ ପାଇଁ ନେଇଛନ୍ତି ଏକ ବଳିଷ୍ଠ ପଦକ୍ଷେପ ।
ପ୍ରଯୁକ୍ତିବିଦ୍ୟାର ସଦୁପଯୋଗ କରି ଭାରତ ସରକାରଙ୍କ ପଞ୍ଚାୟତି ରାଜ ବିଭାଗ, ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର ସହଯୋଗରେ ଟାଟା ପାୱାର ଓଡ଼ିଶା ଡିସକମ୍ ପକ୍ଷରୁ ଜିସିଏମଏସ ନାମରେ ଏକ େୱବ୍ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ଲିକେସନ୍ ତିଆରି କରାଯାଇଛି ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିସନ୍ ଓ ରାଜ୍ୟ ପଞ୍ଚମ ଅର୍ଥ କମିସନ୍ ଅନୁଦାନର ସୁପରିଚାଳନା ନିମନ୍ତେ ନିର୍ମିତ ଇ-ଗ୍ରାମ ସ୍ୱରାଜ ଅନଲାଇନ୍ ପ୍ଲାଟଫର୍ମ୍ ସହ ସଂଯୋଗୀକରଣ କରାଯାଇଛି।
ବିଜୁଳି ଦେୟ ପୈଠକୁ ସରଳ ଓ ସୁଗମ କରିବା ସହ ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ବଜାୟ ରଖିବା ଏହାର ପ୍ରମୁଖ ଲକ୍ଷ୍ୟ। ଏହି ଆପ୍ଲିକେସନ୍ ମାଧ୍ୟମରେ ଟାଟା ପାୱାର ଓଡ଼ିଶା ଡିସକମ୍, ଗ୍ରାମପଞ୍ଚାୟତ ଓ ସରକାର ଗୋଟିଏ ପ୍ଲାଟଫର୍ମକୁ ଆସି ପାରିବେ । ଏହା ଦ୍ୱାରା ଗ୍ରାମପଞ୍ଚାୟତର ବିଦ୍ୟୁତ ଶୁଳ୍କ ଦେୟ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜୀକରଣ ଓ ତାହାର ସରଳ ସମାଧାନ ପ୍ରଭାବୀ ଢଙ୍ଗରେ ହୋଇପାରିବ । ଜି.ସି.ଏମ୍.ଏସ୍ ଏବଂ ଇ-ଗ୍ରାମ ସ୍ୱରାଜର ସଂଯୋଗୀକରଣ ଫଳରେ ପଞ୍ଚାୟତରେ ପିଇଓମାନେ ସହଜରେ ବିଦ୍ୟୁତ ବିଲ୍ ପାଇପାରିବେ ଏବଂ ଏହାକୁ ଅନୁମୋଦନ କରି ଗୋଟିଏ ଦିନ ମଧ୍ୟରେ ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ପଦକ୍ଷେପ ନେଇ ପାରିବେ ।
ଉପରୋକ୍ତ କମ୍ପ୍ୟୁଟର ଆପ୍ଲିକେସନର ବ୍ୟବହାର କରିବା ପାଇଁ ଓ.ଟି.ପି. ବ୍ୟବସ୍ଥା ଥିବାରୁ ଏହା ସଂପୂର୍ଣ୍ଣ ସୁରକ୍ଷିତ।
ନିକଟରେ ଟାଟା ପାୱାର୍ ପକ୍ଷରୁ ଏହି ଆପ୍ଲିକେସନ୍ର ପରୀକ୍ଷଣ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ୍ର ଧଉଳି, ଅନ୍ଧାରୁଆ ଓ ମେ„ାଶାଳ ଗ୍ରାମପଞ୍ଚାୟତରେ କରାଯାଇଥିଲା, ଯାହାକି ପ୍ରଶଂସନୀୟ ହୋଇଛି। ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଉତ୍ତମ ଶାସନ ବ୍ୟବସ୍ଥା ଦିଗରେ ସରକାରଙ୍କ ପ୍ରୟାସରେ ସାମିଲ୍ ହୋଇଛି ଟାଟା ପାୱାର୍ ଓଡ଼ିଶା ଡିସକମ୍ର ଏହି ଜିସିଏମ୍ଏସ ଆପ୍ଲିକେସନ୍ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଏଭଳି ପ୍ଲାଟଫର୍ମ୍ ବ୍ୟବହାରକରିବାରେ ଓଡିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ ।
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ସ୍ୱାଗତ ଭାଷଣ ରଖିବା ସହ ଜିଏସ୍ଏମ୍ଏସ୍ର କାର୍ଯ୍ୟକାରିତା ବିଷୟରେ ସବିଶେଷ ତଥ୍ୟ
ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଏନ୍ଆଇସି ଭୁବନେଶ୍ୱରର ଏସ୍ଆଇଓ ଶ୍ରୀ ଅଶୋକ କୁମାର ହୋତା ଏବଂ ଟାଟା ପାୱାର ଟ୍ରାନ୍ସମିସନ୍ ଓ ଡିଷ୍ଟ୍ରିବ୍ୟୁସନର ସଭାପତି ସଂଜୟ ବାଙ୍ଗାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।
Comments are closed.