ନଙ୍ଗଳବେଡ଼ାରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତକୁ କୋର୍ଟ ଚାଲାଣ
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ଥାନା ଛତ୍ରପୁର ଗ୍ରାମପଞ୍ଚାୟତ ନଙ୍ଗଳବେଡ଼ା ଗାଁରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାଙ୍କ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଘଟଣା ଅନୁସାରେ, ନଙ୍ଗଳବେଡ଼ା ଗାଁର ଦଦଲା ମାଝୀ (୭୦) ନାମକ ଜଣେ ବୃଦ୍ଧ ଗାଁର ଶେଷ ମୁଣ୍ଡରେ ଏକ ଘରେ ଏକୁଟିଆ ରହୁଥିଲେ । ତାଙ୍କର ପତ୍ନୀଙ୍କ ବିୟୋଗ ଘଟି ସାରିଥିବା ବେଳେ ସେ ଘରେ ଏକୁଟିଆ ରହୁଥିଲେ । ବର୍ଷକ ତଳେ ନିକଟସ୍ଥ ମସ୍କାପଦର ଗାଁର କୃଷ୍ଣ ଲୋହରା ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ପୁଅଝିଅଙ୍କୁ ନେଇ ଦଦଲାଙ୍କ ଘରେ ଆଶ୍ରୟ ନେଇଥିଲେ । ଗୋଟିଏ ବଖରାରେ ଗୋଟିଏ ପରିବାର ହୋଇ ରହୁଥିଲେ। ତେବେ ଗତକାଲି ଅପରାହ୍ନରେ କୌଣସି କାରଣକୁ ନେଇ କୃଷ୍ଣ ଓ ଦଦଲାଙ୍କ ମଧ୍ୟରେ ଝଗଡ଼ା ହୋଇଥିବାବେଳେ ଏଥିରେ ଉତକ୍ଷିପ୍ତ ହୋଇ କୃଷ୍ଣ , ଦଦଲାଙ୍କୁ ଉପରେ ଆକ୍ରମଣ କରିବା ସହିତ ଖଟରେ କଚାଡ଼ି ଦେଇଥିଲା । ଏହାପରେ ବୃଦ୍ଧ ଖଟରେ ପଡ଼ିଯିବା ସହ ସେ ଶୋଇଥିବା ଖଟରୁ ରକ୍ତଧାର ଛୁଟିଥିବା ବେଳେ କୃଷ୍ଣ ଏହାକୁ ନଜର ଅନ୍ଦାଜ କରି ମୃତଦେହ ନିକଟରେ ଶୋଇଥିଲେ । ତେବେ ରାତିରେ ବୃଦ୍ଧ ଦଦଲାଙ୍କ ଜଣେ ନାତୁଣୀ ତାଙ୍କ ପାଇଁ ଖାଇବା ନେଇ ଆସିଥିବାବେଳେ ଜେଜେବାପା ମରି ପଡ଼ିଥିବା ଦେଖିବାକୁ ପାଇଥିଲା । ଏହାପରେ ସେ କାନ୍ଦବୋବାଳି କରି ଲୋକଙ୍କୁ ଡାକ ପକାଇବା ପରେ ଲୋକେ ପହଞ୍ଚି ଦଦଲାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ତାଙ୍କ ପୁଅ ପାତ୍ର ମାଝୀ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିବା ପରେ ଆଜି ସକାଳୁ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶବ ଜବତ କରିଥିଲେ । ଏଇ ସମୟରେ କେସିଙ୍ଗା ଏସଡିପିଓ ଅଭିନବ ସୋନକର ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ କଳାହାଣ୍ଡି ପୁଲିସର ସାଇଣ୍ଟିଫିକ ଅଫିସର ଲକ୍ଷ୍ମୀଧର ନାଏକଙ୍କ ନେତୃତ୍ୱରେ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍ କୁ ପଠାଇଥିବା ଜଣାପଡ଼ିଛି । ଏପରିକି କଳାହାଣ୍ଡି ପୁଲିସର କେ-୯ ଡଗସ୍କ୍ବାର୍ଡ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାପଡିଛି । ଏଇ ମାମଲାରେ କୃଷ୍ଣ ଲୋହରାକୁ ଅଟକ ରଖି ପୁୁଲିସ ପଚରାଉଚରା କରିବା ସହ କୋର୍ଟଚାଲାଣ କରାଯାଇଛି । ଲାଞ୍ଜିଗଡ଼ ଥାନାରେ କେସ୍ ନଂ୭୮/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଥାନାଧିକାରୀ ଶ୍ରୀ ପାତ୍ର ଏହାର ତଦନ୍ତ କରୁଥିବା ଜଣା ପଡ଼ିଛି ।
Comments are closed.