ଭୁର୍ଟିଗଡ଼ ଓ ବନ୍ଧପାରିରେ ଆମ ବ୍ୟାଙ୍କ ଲୋକାର୍ପିତ

ଲାଞ୍ଜିଗଡ଼ : ରାଜ୍ୟ ସରକାରଙ୍କ ଦ୍ବାରା ରାଜ୍ୟର ବ୍ୟାଙ୍କ ସେବା ଉପଲବ୍ଧ ନଥିବା ପଞ୍ଚାୟତ ଗୁଡ଼ିକରେ ଆମ ବ୍ୟାଙ୍କ ସେବା ଆରମ୍ଭ କରାଯାଇଛି। ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକର ଦୁର୍ଗମ ଭୁର୍ଟିଗଡ଼ ଓ ବନ୍ଧପାରି ଗ୍ରାମପଞ୍ଚାୟତରେ ଆମ ବ୍ୟାଙ୍କ ଲୋକାର୍ପିତ ହୋଇ ଯାଇଛି। ଭୁର୍ଟିଗଡ଼ଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ସ୍ଥାନୀୟ ସରପଞ୍ଚ ଦାନାଦେଇ ମାଝୀ, କାନକୁଟୃ ସମିତିସଭ୍ୟ ମନୋହର ହରପାଲ ପ୍ରମୁଖ ଯୋଗ ଦେଇଥିଲେ।
ସେହିପରି ବନ୍ଧପାରିଠାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟାଙ୍କ ସମେତ ଜନପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ। ତେବେ ଲାଞ୍ଜିଗଡ଼ ବ୍ଲକର ବ୍ୟାଙ୍କ ସେବା ଉପଲବ୍ଧ ନଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକରେ ମିଶନଶକ୍ତି ତରଫରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ଲେଖାଏଁ ସଦସ୍ୟାଙ୍କୁ ବ୍ୟାଙ୍କ ଯୋଗାଯୋଗ ସେବା, ସେବାକେନ୍ଦ୍ର (ସିଏସପି, ସିଏସପି ପ୍ଲସ୍) ଖୋଲିବା ପାଇଁ ବିଜନେସ୍ କରେସପଣ୍ଡେଣ୍ଟ ଏଜେଣ୍ଟ (ବିସିଏ) ଭାବେ ତାଲିମ ପ୍ରଦାନ କରାଯାଇଥିଲା।  ଏସବିଆଇ ଦ୍ବାରା ପରିଚାଳିତ ଭବାନୀପାଟଣାସ୍ଥିତ ଗ୍ରାମାଞ୍ଚଳ ଆତ୍ମନିଯୁକ୍ତି ତାଲିମ ଅନୁଷ୍ଠାନ ( ଆର୍ ଏସ୍ ଇଟିଆଇ) ଦ୍ବାରା ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଇ ସ୍ବତନ୍ତ୍ର ତାଲିମ ଦିଆଯାଇ ଥିବାବେଳେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ହେଁ ସେମାନଙ୍କୁ ମିଶନଶକ୍ତି କିମ୍ବା ବ୍ୟାଙ୍କ ତରଫରୁ ଥଇଥାନ କରାଯାଇନାହିଁ । ଏହାକୁ ନେଇ ସପ୍ତାହକ ତଳେ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ତାଲିମପ୍ରାପ୍ତ ମହିଳାମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଏନେଇ ପ୍ରତିଶ୍ରୁତି ଦେଇଥିଲେ । ଏଣୁ ବ୍ୟାଙ୍କ ସେବା ଉପଲବ୍ଧ ନଥିବା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଆମ ବ୍ୟାଙ୍କ, ସିଏସପି ପ୍ଲସ୍ ସେବା ଆରମ୍ଭ କରାଯିବା ବେଳେ ଏକ ବର୍ଷରୁ ଅଧିକ ସମୟ ଧରି ନିଯୁକ୍ତି ଓ ଥଇଥାନ ଅପେକ୍ଷାରେ ଥିବା ତାଲିମପ୍ରାପ୍ତ ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ଅଗ୍ରାଧିକାର ଦେବାକୁ ଦାବି ହେଉଛି।

Comments are closed.