ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନାଞ୍ଚଳରେ ୩ ଜଣ ନାବାଳିକାଙ୍କୁ ପାଞ୍ଚଜଣ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବିଜେପୁର ଥାନା ଅଧିନସ୍ଥ ବେନଗାଁ ଅଞ୍ଚଳର ୩ ଜଣ ନାବାଳିକା ରାତିରେ ନାଟକ ଦେଖି ଫେରୁଥିବା ବେଳେ ସେହି ଅଞ୍ଚଳର ପାଜିବାହାଲି ଗାଁର ପାଞ୍ଚଜଣ ଯୁବକ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ବିଜେପୁର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଉକ୍ତ ନାବାଳିକାମାନଙ୍କୁ ମାରିଦେବାକୁ ଧମକ ଦେଇଥିବାରୁ ସେମାନେ ଓ ତାଙ୍କ ପରିବାର ସଦସ୍ୟ ଭୟଭୀତ ହୋଇ ପଡିଛନ୍ତି। ଏନେଇ ବିଜେପୁର ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନେ ଫେରାର ଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇପାରିନାହିଁ। ବିଜେପୁର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଦୁଷ୍କର୍ମ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଥିବା ବିଜେପୁର ଥାନା ପକ୍ଷରୁ ସୂଚନା ମିଳିଛି। ଏନେଇ ବିଜେପୁର ଥାନାରେ କେସ ନଂ ୮ ଓ ୯ ଅନୁଯାୟୀ ଦୁଇ ଗୋଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।



