ଲାଞ୍ଜିଗଡ: ରାଜ୍ୟ ସରକାରଙ୍କ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ବା ଓସେପା ତରଫରୁ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟରେ ୫୭ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯିବା ସହିତ ଯୁକ୍ତ ଦୁଇ କଳା ବିଭାଗ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ପତ୍ର ଲେଖିଛନ୍ତି କଳାହାଣ୍ଡିର ଗର୍ବ ଓ ଗୌରବ ଆଇଏଏସ୍ ଅଧିକାରୀ ତଥା ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା। ରାଜ୍ୟର ୫୭ଟି ହାଇସ୍କୁଲ ମଧ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଉଲିକୁପା ହାଇସ୍କୁଲ ଓ ଶାନ୍ତପୁରସ୍ଥିତ ରାଧାକୃଷ୍ଣ ହାଇସ୍କୁଲ, ଥୁଆମୂଳ ରାମପୁର ବ୍ଲକର ମହୁଲପାଟଣା, କିଆପଦର, କାଣିଗୁମା ହାଇସ୍କୁଲ, ଜୁନାଗଡ ବ୍ଲକର ମହିଚଲା ହାଇସ୍କୁଲ, ଭବାନୀପାଟଣା ସଦର ବ୍ଲକର ସେଁପୁର ହାଇସ୍କୁଲ ଉନ୍ନୀତ ହେବା ସହିତ ଏହିସବୁ ସ୍କୁଲରେ ଏବେ +୨ କଳା ବିଭାଗ ଖୋଲିବା ନିଶ୍ଚିତ ହୋଇଯାଇଛି। ତେବେ ଜିଲ୍ଲାର ଥୁଆମୂଳ ରାମପୁର ଭଳି ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକରେ ଉଚ୍ଚଶିକ୍ଷା ଏକ ଦୁରୂହ ବ୍ୟାପାର ହୋଇଥିବା ବେଳେ ବ୍ଲକର ଗୋଟିଏ ବି ହାଇସ୍କୁଲ ଏଥିରେ ସାମିଲ ନଥିବା ଜଣାପଡିଛି।
ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଥିବା ବେଳେ ଯୁବ ଲେଖକ ତଥା ସମାଜସେବୀ ସୁଶୀଲ କୁମାର ବାଗ ବ୍ଲକର ମଧୁପୁରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ, କାଉଗୁଡା ଆଶ୍ରମ ସ୍କୁଲ, ବେନଗାଁ ହାଇସ୍କୁଲକୁ ଉନ୍ନୀତ କରାଯିବା ସହିତ ଏହିସବୁ ସ୍କୁଲରେ +୨ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଦାବି କରିଛନ୍ତି। ଏନେଇ ସେ ରାଜ୍ୟ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ତଥା ଓସେପାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଟ୍ୱିଟ୍ କରି ଦାବି ଜଣାଇଛନ୍ତି।



