ଦୁର୍ଗମ ଅଞ୍ଚଳରେ ପଡ଼ିଲା ବିକାଶର ମୂଳଦୁଆ; ଥଇଥାନ ହେବେ ୮ ଆଦିବାସୀ ପରିବାର

ଲାଞ୍ଜିଗଡ଼ : ମୌଳିକ ସୁବିଧାରୁ ବଞ୍ଚିତ ଥିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତର ନଙ୍ଗଳବାହାଲି ଗାଁର ଲୋକେ । ଏନେଇ କିଛି ବର୍ଷ ହେଲା ବ୍ଳକ ପ୍ରଶାସନ ପକ୍ଷରୁ ଗାଁର ଲୋକଙ୍କୁ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରୟାସ କରାଯାଇଥିଲା । ହେଲେ ରାସ୍ତା ଅଭାବରୁ ତାହା ସମ୍ଭବ ହୋଇପାରୁନଥିଲା । ସେମାନଙ୍କୁ ପାହାଡ଼ରୁ ତଳକୁ ଓହ୍ଲାଇ ଆଣିବା ପାଇଁ ପ୍ରୟାସ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା । ଲାଞ୍ଜିଗଡ଼ ବ୍ଲକରେ ବିଡିଓ ଭାବେ ନିଜର ପ୍ରଥମ ନିଯୁକ୍ତି ପରେ ଯୁବ ପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ର ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବାକୁ ଦୁର୍ଗମାଞ୍ଚଳ ସବୁ ଗସ୍ତ କରିବା ସହିତ ସେସବୁର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ଏଥିପାଇଁ ସେ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ଆହୁରି କ୍ରିୟାଶୀଳ କରିବାକୁ ଯାଇ ନିଜସ୍ବ କାର୍ଯ୍ୟକ୍ରମ ସବୁ ଲାଗୁ କରିଥିଲେ ।ସେଥିମଧ୍ୟରୁ କରୋନା କାଳରେ ‘ସୁସ୍ଥ ଗାଁ, ସ୍ବଚ୍ଛ ଗାଁ’, ପ୍ରତି ମଙ୍ଗଳବାରରେ ‘ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି’, ମନରେଗା ଯୋଜନା ପାଇଁ ‘ମିଶନ ସୂର୍ଯ୍ୟୋଦୟ’ ସହିତ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ଆରମ୍ଭ କରିଥିଲେ ‘ଗାଁକୁ ଚାଲ ଅଭିଯାନ’ । ବ୍ଲକ ପ୍ରଶାସନର ଏଇ ପାଇଲଟ୍ ପ୍ରକଳ୍ପଗୁଡ଼ିକ ପ୍ରତି ଲୋକଙ୍କ ଆଗ୍ରହ ଯୋଗୁଁ ଧିରେଧିରେ ସେସବୁ ସଫଳତା ଆଡ଼କୁ ଗତି କରୁଛି । ଏହି କ୍ରମରେ କାନକୁଟ୍ରୁ ଗ୍ରାମପଞ୍ଚାୟତର ପାହାଡ଼ ଉପରେ ଥିବା ବାରଗୁଡ଼ା ଗାଁର ୧୬ଟି ପରିବାର ପାହାଡ଼ରୁ ତଳକୁ ଓହ୍ଲାଇବା ପାଇଁ ରାଜି ହେବା ପରେ ସେମାନଙ୍କ ପାଇଁ ଦିଆଲବାହାଲି ଠାରେ ପ୍ରଶାସନ ତିଆରି କରିଥିଲା ଆବାସନଗର । ଆବାସନଗରର ସଫଳତା ପରେ ବିଡିଓ ଶ୍ରୀ ମିଶ୍ର ଉତ୍ସାହିତ ହୋଇପଡ଼ିବା ସହିତ ଲାଞ୍ଜି ଗ୍ରାମପଞ୍ଚାୟତର ଏଇ ନଙ୍ଗଳବାହାଲିକୁ ବାଛିଥିଲେ ।

ପନ୍ଦରଶହ ଫୁଟ ଉଚ୍ଚ ପାହାଡ଼ ଉପରେ ଥିବା ଆଦିବାସୀଙ୍କ ଉପର ନଙ୍ଗଳବାହାଲି ଗାଁକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସାଙ୍କ ସହିତ ପାଦରେ ଚାଲିଚାଲି ଯାଇ ପହଞ୍ଚିଥିଲେ ଓ ଲୋକଙ୍କ ଅବସ୍ଥା ଦେଖି ପାହାଡ଼ ତଳକୁ ଓହ୍ଲାଇ ଆସିବା ପାଇଁ ବୁଝାଇଥିଲେ। ବହୁ କଷ୍ଟରେ ଲୋକେ ବି ବୁଝିଗଲେ । ତଳକୁ ଓହ୍ଲାଇ ଆସିବାକୁ ରାଜି ହେଲେ । ତାପରେ ଶ୍ରୀ ମିଶ୍ରଙ୍କ ଦାୟିତ୍ୱ ବଢ଼ିଗଲା। ସେ ପ୍ରୟାସ ଆରମ୍ଭ କଲେ ସେହି ଆଦିବାସୀଙ୍କ ସୁବିଧା ପାଇଁ। ଆରମ୍ଭ ହେଲା ସ୍ୱପ୍ନର ପ୍ରକଳ୍ପ ‘ବିକାଶ ନଗର’। ତାହା ସ୍ଥାପନ ପାଇଁ ଗାଁ ୧ ହଜାର ଫୁଟ ତଳେ ଜାଗା ଚିହ୍ନଟ ହେଲା। ବର୍ତ୍ତମାନ ସେଇ କାମ ଜୋରସୋରରେ ଆଗେଇ ଚାଲିଛି କାମ । ୮ଟି ପରିବାରର ଲୋଟି ମାଝୀ, ବୁଟି ମାଝୀ, ଟିଙ୍ଗୁ ମାଝୀ, ଖୁଣଜା ମାଝୀ, ବେଣ୍ଡା ମାଝୀ, ଗଦା ମାଝୀ, ଦୂତା ମାଝୀ ଓ ଘାସି ମାଝୀଙ୍କ ପାଇଁ ୮ଟି ଘର ତିଆରି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେମାନଙ୍କ ପାଇଁ ରାସ୍ତା, ପାନୀୟଜଳ, ବିଜୁଳିର ସୁବିଧା ପାଇଁ ପ୍ରଶାସନ ଉଦ୍ୟମ ଜାରି ରଖିଛି । ଆଦିବାସୀଙ୍କ ଧର୍ମୀୟ ଭାବନାର ପ୍ରତୀକ ଧରନୀ ଗୁଡ଼ି ବି ସେଠାରେ ତିଆରି କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି ! ଲାଞ୍ଜି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ସା, କନିଷ୍ଠ ଯନ୍ତ୍ରୀ ଗୋଲକ ବିହାରୀ ଭୋଇ ଏବଂ ନିଜେ ବିଡିଓ ଶ୍ରୀ ମିଶ୍ର ବାରମ୍ବାର ଗାଁକୁ ଯାଇ କାର୍ଯ୍ୟର ତଦାରଖ କରୁଛନ୍ତି। ଶ୍ରୀ ମିଶ୍ରଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।

 

ବ୍ଲକରେ ଯୋଗ ଦେବା ପରଠାରୁ ବ୍ଲକ ଅଞ୍ଚଳର ପ୍ରତିଟି ସମସ୍ୟା ସଂପର୍କରେ ଅବଗତ ହେବା ପରେ ସେମାନଙ୍କ ପାଇଁ କିଛିଟା କରି ଦେଖେଇବାକୁ ଇଛା ହେଲା । ଜଣେ ପ୍ରଶାସକ ଭାବେ ଲୋକଙ୍କ ସମସ୍ୟାର ସମାଧାନ କରିବା ମୋର କର୍ତ୍ତବ୍ୟ ଏବଂ ବ୍ଲକର ପ୍ରତିଟି ମଣିଷ ସରକାରୀ ଯୋଜନାର ଲାଭ ପାଆନ୍ତୁ ଏହା ମୋର ଏକମାତ୍ର ଉଦ୍ଦେଶ୍ୟ । ମୋର ସହକର୍ମୀ, ପଞ୍ଚାୟତ କର୍ତ୍ତ୍ରୁପକ୍ଷ ଓ ଜନସାଧାରଣଙ୍କ ସହଯୋଗ ମୋତେ ଆଗକୁ ବଢ଼ିବାକୁ ପ୍ରେରଣା ଦେଉଛି । ଦୁର୍ଗମ ଗାଁର ସେହି ଆଦିବାସୀଙ୍କ ମୁହଁରେ ହସ ଫୁଟାଇବା ମୋର ସ୍ୱପ୍ନ -ଜିତେନ୍ଦ୍ର କୁମାର ମିଶ୍ର, ବିଡିଓ, ଲାଞ୍ଜିଗଡ଼

 

ଅଧ୍ୟକ୍ଷା ପଦବୀ ଗ୍ରହଣ ପରେପରେ ବ୍ଲକ ଅଞ୍ଚଳର ପ୍ରତିଟି ସମସ୍ୟାକୁ ମୁଁ ଚ୍ୟାଲେଞ୍ଜ ଭାବେ ସ୍ବୀକାର କରିଛି । ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନଙ୍କ ଲଗାତାର ଉତ୍ତମ ପ୍ରଦର୍ଶନ ଲାଞ୍ଜିଗଡ଼ ବ୍ଲକକୁ ଉନ୍ନତିର ଶିଖରରେ ପହଞ୍ଚାଇବ- କମଳା ପାତ୍ର, ଅଧ୍ୟକ୍ଷା, ଲାଞ୍ଜିଗଡ଼ ବ୍ଲକ

 

ବ୍ଲକ ପ୍ରଶାସନର ଲୋକାଭିମୁଖୀ କାର୍ଯ୍ୟକ୍ରମ ସବୁ ଫଳପ୍ରଦ ହେବା ବ୍ଲକ ଅଞ୍ଚଳବାସୀଙ୍କ ଏକ ଶୁଭସୂଚନା ନିଶ୍ଚୟ ! ତେବେ ଆବାସନଗର, ବିକାଶନଗର ପ୍ରଭ୍ରୁତି ବିକାଶର ସୂଚକ ହେଲେ ହେଁ ଏ ଦିଗରେ ଆମକୁ ଆହୁରି ଯତ୍ନବାନ ହେବାର ଆବଶ୍ୟକତା ରହିଛି ! ସେହିପରି ପ୍ରଶାସନର ତତ୍ପରତା ସହିତ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ମିଳିତ ପ୍ରୟାସ ଲାଞ୍ଜିଗଡ଼ ବ୍ଲକର ସମୁଚିତ ବିକାଶରେ ସହାୟକ ହେବ – ସୁଶୀଲ କୁମାର ବାଗ, ସମାଜସେବୀ, ଲାଞ୍ଜିଗଡ଼ ବ୍ଲକ

Comments are closed.