ଲାଞ୍ଜିଗଡ଼ରେ ୭ ଦିନ ହେଲା ଜଳ ଯୋଗାଣ ବନ୍ଦ
ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଳକ ଲାଞ୍ଜିଗଡ଼ ସହରରେ ୭ ଦିନ ହେଲା ଜଳ ଯୋଗାଇ ଦିଆଯାଇ ନାହିଁ। ଫଳରେ ଏହି ଅଞ୍ଚଳରେ ଜଳ ସଙ୍କଟ ଦେଖା ଦେଇଛି। ପାଇପ ଯୋଗୁଁ ଆସୁଥିବା ପାଣି ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଫଳରେ ସହରର ବିଭିନ୍ନ ପଡାର ହଜାର ହଜାର ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗତ ଜାନୁଆରୀ ମାସରେ ମୋଟର ପୋଡ଼ିଯାଇଥିବା ଯୋଗୁଁ ୨୭ ଦିନ ପାଣି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା। ଲାଞ୍ଜିଗଡ଼ ଠାରେ ଜଳ ସଙ୍କଟ ଦୂର ପାଇଁ ୨୦୧୦ ମସିହାରେ ୧ କୋଟି ୩୦ ଲକ୍ଷ ଅଟକଳ ମୂଲ୍ୟରେ ନିକଟସ୍ଥ ବଂଶଧାରା ନଦୀରେ ଦୁଇ ଗୋଟି ଷ୍ଟକ ଟାଙ୍କି ନିର୍ମାଣ ହୋଇଥିଲା। ଏହାପରେ ସହରର ବିଭିନ୍ନ ପଡାକୁ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲା। କିନ୍ତୁ ଠିକାଦାରଙ୍କ ନିମ୍ନ ମାନର କାମ ଓ ଦାଇତ୍ୱରେ ଥିବା ପ୍ରଶାସନନିକ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ କାର୍ଯ୍ୟରେ ବ୍ୟବହାର ହେଉଥିବା ପାଇପ ଗୁଡିକ ନିମ୍ନ ମାନର ହୋଇଥିବାରୁ ନିର୍ମାଣର ୮ ମାସ ମଧ୍ୟରେ ଲାଞ୍ଜିଗଡ଼ ସହରରେ ଜଳ ଯୋଗାଣରେ ବ୍ୟାହତ ହୋଇଥିଲା।
ଏନେଇ ପ୍ରଥମରୁ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ ଲୋକଙ୍କ କଥାକୁ ଠିକାଦାର କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଶୁଣିନଥିଲେ। ଯାହା ଫଳରେ ମାତ୍ର ନିର୍ମାଣର ୮ ମାସ ପରେ ବିଛା ଯାଇଥିବା ପାଇପ ବିଭିନ୍ନ ସ୍ଥାନରେ ଫାଟି ଯାଇଥିଲା। ଏହା ଫଳରେ ଆଜିକୁ ୧୧ ବର୍ଷ ହେଲା ଏହି ନିମ୍ନ ମାନର ପାଇପ ଫାଟିବା ଫଳରେ ମାସକୁ କଷ୍ଟେ ମଷ୍ଟେ ୧୦ ଦିନ ପାଣି ମିଳୁଥିବା ବେଳେ ୨୦ ଦିନ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ଲୋକଙ୍କୁ ଠିକ ଭାବରେ ଜଳ ଯୋଗାଣ ହୋଇ ପାରୁନାହିଁ। ତେଣୁ ବର୍ଷ ବର୍ଷ ଧରି ଲାଞ୍ଜିଗଡ ସହରର ବିଭିନ୍ନ ପଡାର ଲୋକେ ଜଳ ସଙ୍କଟ ଭୋଗୁଛନ୍ତି। ଜଳ ଯୋଗାଣ ପାଇଁ ଅଭିଯୋଗ କଲେ ଦାଇତ୍ଵରେ ଥିବା ପଞ୍ଚାୟତ ଓ ବ୍ଳକ ସ୍ତରୀୟ ଅଧିକାରୀମାନେ ଅଞ୍ଚଳବାସୀଙ୍କୁ ଅଣଦେଖା କରୁଥିବା ଲୋକେ କହିଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। କିଛି ଦିନ ତଳେ ସହରର ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତା କଡରେ ଥିବା ପାଇପ ଫାଟିବା ଯୋଗୁଁ ଲୋକେ ରାସ୍ତାରେ ଯାତାୟତ କରିବା ସମ୍ଭବ ହୋଇନଥିଲା।
ଏହାକୁ ନେଇ ଅଭିଯୋଗ ପରେ ଦାଇତ୍ବରେ ଥିବା କର୍ମଚାରୀମାନେ ବିଭିନ୍ନ ପ୍ରକାର ବାହାନା ଦେଖାଇ ଗୁରୁତର ନେଉନଥିବା ବେଳେ ଆଜିକୁ ୭ ଦିନ ହେଲା ଲାଞ୍ଜିଗଡ଼ ସହରର ପୂଜାରି ପଡା,ଡ଼ମ୍ବିଶି ପଡା, ଗଉଡ଼ ପଡା, କଲୋନି ପଡା, ପ୍ରଧାନୀ ପଡା, ରଜା ପଡା ଓ ମହାଦେବ ପଡାକୁ ଜଳଯୋଗାଣ ବନ୍ଦ ରହିଥିବା ଯୋଗୁଁ ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏନେଇ ଲୋକେ ବାରମ୍ବାର ଦାଇତ୍ୱରେ ଥିବା ପଞ୍ଚାୟତ ତଥା ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି।
ଯଦି ଏହାର କୌଣସି ସମାଧାନ କରାନଯାଏ, ତାହାହେଲେ ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ଲାଞ୍ଜିଗଡ଼ବାସୀ ଚେତାବନୀ ଦେଇଛନ୍ତି। ଏନେଇ ବ୍ଳକ ଜଳଯୋଗାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀ କହିଛନ୍ତି ଯେ ପାଇପ ବିଭିନ୍ନ ଜାଗାରେ ଫାଟି ଯାଇଥିବାରୁ ଜଳ ଯୋଗାଣ ବନ୍ଦ ରହିଛି। ପାଇପ ଫାଟିଥିବା ସ୍ଥାନଗୁଡ଼ିକ ଚିହ୍ନଟ କରି ସେସବୁର ମରାମତି ପାଇଁ ନିର୍ଦେଶ ଦିଆଯାଇଛି। ମରାମତି ଶେଷ ହେବା ପରେ ଜଳ ଯୋଗାଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।
Comments are closed.