ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୁଖ ଐତିହ୍ୟସ୍ଥଳର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି। ମୟୂରଭଞ୍ଜ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦୁଝର, ପୁରୀ, ସମ୍ବଲପୁର ଓ ସୋନପୁର ଭଳି ୧୦ଟି ଜିଲାର ୨୪ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ୨୪ଟି ପ୍ରକଳ୍ପ ପାଇଁ ୯୫୬.୨୯ କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ଏ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନଗମ( ଓବିସିସି) କରୁଛି। ୨୦୨୦ରୁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ଅନେକ ପ୍ରକଳ୍ପ ସମୂର୍ଣ୍ଣ ହୋଇପାରୁନି। କେଉଁଠି ପ୍ରକଳ୍ପ ନକ୍ସା ତିଆରିରେ ଅଟକିଛି ତ’ ପୁଣି କେଉଁଠି ଟେଣ୍ଡର ପ୍ରକ୍ରିୟାରେ ସୀମିତ ରହିଛି। ଆଉ କେଉଁଠି ଜମି ଅଧିଗ୍ରହଣ ଅଡୁଆ ଯୋଗଁୁ ପ୍ରକଳ୍ପ ଆଗେଇ ନପାରି ଅଧାରୁ ବନ୍ଦ ହୋଇଛି। ଫଳରେ ସମୟ ଅବଧି ଭିତରେ କାର୍ଯ୍ୟ ସରିପାରୁନି। ଓବିସିସି ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ, କଟକ ଜିଲାର ପ୍ରସିଦ୍ଧ ଚଣ୍ଡୀ ମନ୍ଦିରର ବିକାଶ ପାଇଁ ୪୦.୦୫ କୋଟି ଟଙ୍କା ବ୍ୟୟ ଅଟକଳ ପରେ ୨୦୨୨ ଡିସେମ୍ବର ୬ରେ କାମ ଆରମ୍ଭ ହୋଇଥିଲେ। ଏହା ୨୦୨୫ ଅକ୍ଟୋବରରେ ଶେଷ ହେବାକୁ ଥିବାବେଳେ ଏବେ କାର୍ଯ୍ୟ ୭୫% ସରିଛି। ସେହିପରି ନୂତନ ଚଣ୍ଡୀ ମନ୍ଦିର ନିର୍ମାଣ ପାଇଁ ୭.୩୮କୋଟି ବ୍ୟୟବରାଦ ହୋଇ ୨୦୨୪ ଅଗଷ୍ଟ ୧୨ରେ କାମ ଆରମ୍ଭ ହୋଇ ୨୦୨୬ ଫେବୃଆରୀରେ ଶେଷ ହେବ। କିନ୍ତୁ ପ୍ରକଳ୍ପର ୧୨% କାମ ସରିଛି। ସେହିପରି କଟକ ଜିଲାର ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ବିକାଶ ପାଇଁ ୧୭.୭୫କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ୨୦୨୪ ଜୁନ୍ ୧୦ରେ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ପ୍ରକଳ୍ପର ୧୦% କାର୍ଯ୍ୟ ସରିଛି। ଢେଙ୍କାନାଳ ଜିଲା ମହିମାଗାଦିର ବିକାଶ ପାଇଁ ୨୩୫.୬୮କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଚଳିତବର୍ଷ ଜୁଲାଇ ୧୫ରେ ପ୍ରକଳ୍ପ ଆରମ୍ଭ ହୋଇଛି। ପ୍ରଶାସନିକ ଅନୁମୋଦନ ପାଇଁ ଅଟକିଛି। ଖୋର୍ଦ୍ଧା ଜିଲା ବାଣପୁରର ପ୍ରସିଦ୍ଧ ମା’ ଭଗବତୀ ମନ୍ଦିର ବିକାଶ ପାଇଁ ୨୫.୯୫କୋଟି ଟଙ୍କା ମଞ୍ଜୁର ହୋଇଥିଲା। ୨୦୨୪ ଜାନୁଆରୀ ୫ରେ ପ୍ରକଳ୍ପ ଆରମ୍ଭ ହୋଇ ୨୦୨୬ ଜାନୁଆରୀ ୪ରେ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ୧୨% କାମ ସରିଛି।
ଖୋର୍ଦ୍ଧା ଜିଲାର ମା’ ଉଗ୍ରତାରା ମନ୍ଦିର ବିକାଶ ପାଇଁ ୨୪.୪୫ କୋଟି ଟଙ୍କା ମଞ୍ଜୁର ହୋଇ ୨୦୨୩ ଅକ୍ଟୋବର ୨୦ ଆରମ୍ଭ ହୋଇ ୨୦୨୫ ଏପ୍ରିଲ ୧୯ରେ ପ୍ରକଳ୍ପ ଶେଷ ହେବାକୁ ଥିଲା। କିନ୍ତୁ ଏବେ ସୁଦ୍ଧା ପ୍ରକଳ୍ପର ୨୦% କାମ ସରିଛି। ଭୁବନେଶ୍ବର ଏକାମ୍ର କ୍ଷେତ୍ରର ବିକାଶ ପାଇଁ ୧୫୬.୨୧ କୋଟି ଟଙ୍କା ମଞ୍ଜୁର ହୋଇ ୨୦୨୩ ଜୁଲାଇ ୧୯ରେ ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୨୫ ଡିସେମ୍ବରରେ ଏହା ଶେଷ ହୋଇଥାନ୍ତା, କିନ୍ତୁ ଜମି ଅଧିଗ୍ରହଣରେ ସମସ୍ୟା ଯୋଗୁଁ ପ୍ରକଳ୍ପର ୨୩% କାମ ହୋଇ ପ୍ରକଳ୍ପ ଅଧାରୁ ବନ୍ଦ ହୋଇଛି। ନୟାଗଡ଼ ଜିଲା କଣ୍ଟିଲୋ ନୀଳମାଧବ ମନ୍ଦିର ବିକାଶ ପାଇଁ ୨୫.୯୦କୋଟି ବ୍ୟୟ ବରାଦ ହୋଇଥିଲା। ୨୦୨୨ ଡିସେମ୍ବର ୫ରେ ପ୍ରକଳ୍ପ ଆରମ୍ଭ ହୋଇ ୨୦୨୫ ସେେପ୍ଟମ୍ବର ମାସରେ ଶେଷ ହେବାକୁ ଥିବାବେଳେ ଏବେ ୯୦% କାର୍ଯ୍ୟ ସରିଛି। କଣ୍ଟିଲୋ ଆନନ୍ଦ ବଜାରର ବିକାଶ ପାଇଁ ୨.୦୯କୋଟି ବ୍ୟୟବରାଦ ହୋଇଥିଲା। ୨୦୨୪, ସେପ୍ଟେମ୍ବର ୨୭ରେ ପ୍ରକଳ୍ପ ଆରମ୍ଭ ହୋଇ ୨୦୨୫, ମାର୍ଚ୍ଚ ୨୬ରେ ପୂର୍ଣ୍ଣାଙ୍ଗ ହୋଇଥାନ୍ତା। କିନ୍ତୁ ଏପର୍ଯ୍ୟନ୍ତ ପ୍ରକଳ୍ପର ନକ୍ସା ତିଆରି କାର୍ଯ୍ୟ ସରିପାରିନି। ସେହିପରି ଜଗତସିଂହପୁର ଜିଲାର ମା’ ଶାରଳା ମନ୍ଦିର ବିକାଶ ପାଇଁ ୪୦.୭୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପ୍ରକଳ୍ପ ୨୦୨୨, ଡିସେମ୍ବର ୯ରେ ଆରମ୍ଭ ହୋଇଥିଲା। ଏବେସୁଦ୍ଧା ୭୮ % କାର୍ଯ୍ୟ ସରିଛି।
କେନ୍ଦୁଝର ଜିଲାର ମା’ ତାରିଣୀ ମନ୍ଦିର ବିକାଶ ପାଇଁ ୨୨୪.୭୧କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିବାବେଳେ ଏହା ଟେଣ୍ଡର ପ୍ରକ୍ରିୟାରେ ସୀମିତ ରହିଛି। ପୁରୀ ଜିଲାର ଗୁଣ୍ଡିଚା ମନ୍ଦିର ଓ ପ୍ରମୋଦ ଉଦ୍ୟାନର ବିକାଶ ପାଇଁ ୯୯.୯୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ପ୍ରକଳ୍ପ ୨୦୨୩, ଅଗଷ୍ଟ ୧୧ରେ ଆରମ୍ଭ ହୋଇ ୨୦୨୫, ଫେବୃଆରୀ ୧୦ରେ ସରିଥାନ୍ତା। କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପ୍ରକଳ୍ପ ବନ୍ଦ ହୋଇଯାଇଛି। ପୁରୀ ଜିଲା କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ୨୦୯.୭୩ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୨୩, ଅଗଷ୍ଟ ୨୩ରେ ପ୍ରକଳ୍ପ ଆରମ୍ଭ ହୋଇ ୨୦୨୫, ଫେବୃଆରୀ ୨୩ରେ ସରିଥାନ୍ତା। କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ପ୍ରକଳ୍ପ ବନ୍ଦ ହୋଇଯାଇଛି। ପୁରୀ ଜିଲାର ଲୋକନାଥ ମନ୍ଦିର ଓ ପାର୍ବତୀ ସାଗରର ବିକାଶ ପାଇଁ ୨୪.୯୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପ୍ରକଳ୍ପ ୨୦୨୩, ଜୁନ ୨୮ରେ ଆରମ୍ଭ ହୋଇଥିଲା। ୨୦୨୫ ଏପ୍ରିଲ ୨୫ ସୁଦ୍ଧା ୭୧% କାର୍ଯ୍ୟ ସରିଛି। ପୁରୀ ଜିଲା ବ୍ରହ୍ମଗିରି ଅଲାରନାଥ ପୀଠର ବିକାଶ ପାଇଁ ୭.୭କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ପ୍ରକଳ୍ପ ୨୦୨୩ ମେ ୧୨ରେ ଆରମ୍ଭ ହୋଇ ୨୦୨୫ ମେ ମାସରେ ସରିଥାନ୍ତା, କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ଯୋଗଁୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି। ପୁରୀ ଜିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ମନ୍ଦିର ବିକାଶ ପାଇଁ ୯.୮କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟ ୨୦୨୩ ସେପ୍ଟେମ୍ବର ୨୫ରେ ଆରମ୍ଭ ହୋଇଥିଲା ଏବେ ସୁଦ୍ଧା ଏହାର ୪୭ % କାର୍ଯ୍ୟ ସରିଛି।
ସମ୍ବଲପୁରର ମା’ ସମଲେଶ୍ବରୀ ମନ୍ଦିର ବିକାଶର ଦ୍ବିତୀୟ ପର୍ଯ୍ୟାୟ ଫେଜ୍-୨ ପାଇଁ ୮୩.୭୫କୋଟି ଟଙ୍କା ପ୍ରକଳ୍ପ ବ୍ୟୟବରାଦ ହୋଇଥିଲା। ପ୍ରକଳ୍ପ ୨୦୨୪ ଫେବୃଆରୀ ୨୯ରେ ଆରମ୍ଭ ହୋଇ ୨୦୨୬, ମାର୍ଚ୍ଚରେ ଶେଷ ହେବ। ଏବେ ସୁଦ୍ଧା ପ୍ରକଳ୍ପ ୨୦ % କାମ ସରିଛି। ସେହିପରି ସମ୍ବଲପୁର ଜିଲା ଚିପିଲିମାର ଘଣ୍ଟେଶ୍ବରୀ ମନ୍ଦିର ବିକାଶ ପାଇଁ ୮.୯୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ପ୍ରକଳ୍ପ ୨୦୨୪, ଫେବୃଆରୀ ୨୩ରେ ଆରମ୍ଭ ହୋଇ ୨୦୨୫ ଡିସେମ୍ବରରେ ପ୍ରକଳ୍ପ ଶେଷ ହେବ, ବର୍ତ୍ତମାନ ପ୍ରକଳ୍ପର ୮ % କାମ ସରିଛି। ସମ୍ବଲପୁର ଜିଲାର ହୁମା ମନ୍ଦିର ବିକାଶ ପାଇଁ ୫.୯୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏହି ପ୍ରକଳ୍ପ ୨୦୨୪, ଫେବୃଆରୀ ୨୩ରେ ଆରମ୍ଭ ହୋଇ ୨୦୨୫ ଅକ୍ଟୋବରରେ ସରିଥାନ୍ତା। କିନ୍ତୁ, ଏବେ ସୁଦ୍ଧା ପ୍ରକଳ୍ପର ୨୫ %କାମ ସରିଛି। ସୋନପୁର ଜିଲାର ପାତାଳି ଶ୍ରୀକ୍ଷେତ୍ର ମନ୍ଦିର ବିକାଶ ପାଇଁ ୨୦.୩୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ପ୍ରକଳ୍ପ ୨୦୨୪ ଅଗଷ୍ଟ ୧୩ରେ ଆରମ୍ଭ ହୋଇ ୨୦୨୬ ଅଗଷ୍ଟ ୧୨ରେ ପ୍ରକଳ୍ପ ସରିବ। ଏବେ ସୁଦ୍ଧା ପ୍ରକଳ୍ପର ୫% କାର୍ଯ୍ୟ ସରିଥିବାବେଳେ ତା’ର ଚତୁଃପାର୍ଶ୍ବ ପରିଷ୍କାର କରାଯିବା ସହ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।



