ହରଭଙ୍ଗା : ଗତବର୍ଷ ରାଜସ୍ଥାନରେ ଲମ୍ପି ସ୍କ୍ରିନ ଭଳି ମାରାତ୍ମକ ରୋଗରେ ସଂଖ୍ୟାଧିକ ଗୋରୁ, ଗାଈଙ୍କ ମଡକ ଘଟଣା ପ୍ରାଣୀଚିକିତ୍ସା ବିଭାଗର ନିଦ ହଜେଇ ଦେଇଥିଲା। ଗତବର୍ଷ ଓଡିଶାରେ ମଧ୍ୟ ଲମ୍ପି ସ୍କିନ ଡିଜିଜ୍(ଚର୍ମବିଣ୍ଡି ରୋଗ)ର ପ୍ରଭାବ ପ୍ରାଣୀ ଚିକତ୍ସା ବିଭାଗର ଚିନ୍ତା ବଢାଇଥିଲା। ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଅର୍ଥାତ୍ ୨୦୧୯-୨୦ ପରେ ୨୦୨୨ରେ ରାଜ୍ୟରେ ପୁର୍ନବାର ଏହି ରୋଗ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସୁରୁଣ୍ଡି, ଡିଆଁଘାଟ, ଭେଜିଗୁଡା ଭଳି ବିଭିନ୍ନ ଗ୍ରାମରେ ଗାଈଗୋରୁଙ୍କ ଦେହରେ ଚର୍ମବିଣ୍ଡି ରୋଗ ଚିହ୍ନଟ ହେଲାଣି। ଏହି ଭୂତାଣୁ ଜନିତ ରୋଗରେ ଆକ୍ରାନ୍ତ ଗାଈ, ଗୋରୁଙ୍କୁ ପ୍ରଥମେ ଜ୍ୱର ପରେ, ଗୋଡ, ମୁହଁ ଫୁଲୁଛି । ଏହା ସହିତ ଗାଈର ଚିର, ଦେହର ବିଭିନ୍ନ ସ୍ଥାନରେ ଘା’ ହୋଇ ବଡ ବଡ କ୍ଷତଚିହ୍ନ ସୃଷ୍ଟି ହୋଉଛି। ଫଳରେ ଗାଈ, ଗୋରୁ ଆହାର ଛାଡି ମୃତ୍ୟୁ ମୁଖରେ ପଡୁଛନ୍ତି। ଗତ କିଛିଦିନ ହେଲା ବ୍ଲକର ସୁରୁଣ୍ଡି ଗ୍ରାମର ସର୍ବେଶ୍ୱର କ୍ଷେତି, ଶ୍ରୀବତ୍ସ ମଲ୍ଲିକ, ପ୍ରକାଶ କମ୍ପଙ୍କ ଭଳି ଚାଷୀଙ୍କ ଗାଈଗୋରୁ ଚର୍ମବିଣ୍ଡିରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି।
ଏହି ଭୁତାଣୁ ଜନିତ ରୋଗ ବର୍ତମାନ ଗାଁ ଗାଁରେ ବ୍ୟାପୁଥିବା ବେଳେ ଆଗୁଆ ପ୍ରତିଷେଧକ ଟିକା କରଣ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ କରାଯାଇ ନାହିଁ। ଯାହାଫଳରେ ଚଳିତବର୍ଷ ଏହି ରୋଗରେ ଅନେକ ଗାଈ, ଗୋରୁ ସଂକ୍ରମିତ ହେବା ଆଶଙ୍କା ପ୍ରକାଶ ପାଇଛି। ଏ ସର୍ମ୍ପକରେ ହରଭଙ୍ଗା ବିଭିଓ ବିରେନ୍ଦ୍ର ପୃଷ୍ଟିଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିନାହିଁ। ଏ ସର୍ମ୍ପକରେ ଡାକ୍ତର ପ୍ରତିଭା ପାଢୀଙ୍କୁ ପଚାରିବାରୁ ଚର୍ମବିଣ୍ଡି ରୋଗ ଦେଖାଦେଲାଣି। ମାତ୍ର ଏ ବର୍ଷ ଟୀକା ଆସିନଥିବାରୁ ଟିକା କରଣ କରା ଯାଇନାହିଁ । ଗତବର୍ଷ ଏହି ରୋଗର ପ୍ରତିଷେଧକ ପାଇଁ ଗୋଟଫକ୍ସ ଟୀକାକରଣ କରାଯାଇଥିଲା। ସୂଚନା ଅନୁସାରେ ବ୍ଲକରେ ୩୨ହଜାର ୯୬୩ଟି ଗୋରୁ, ଗାଈ ରହିଥିବାବେଳେ ଏମାନଙ୍କ ଟିକାକରଣ ଜରୁରୀ ହୋଇପଡିଛି । ଏହି ରୋଗର ପ୍ରତିକାର ପାଇଁ ତୁରନ୍ତ ପ୍ରତିଷେଧକ ଟିକାକରଣ କରାଗଲେ ବ୍ଲକରେ ଚର୍ମବିଣ୍ଡି ରୋଗ ହ୍ରାସ ପାଇବ ବୋଲି ଚାଷୀ ମହଲରୁ ମତ ପ୍ରକାଶ ପାଉଛି।



