www.samajalive.in
Saturday, December 13, 2025
14.1 C
Bhubaneswar

ଅବଳା ନୁହେଁ ଅଲୋଡ଼ା, ଜୀବିକା ପାଇଁ ଯୌବନରେ ବେଡ଼ି !

କୋରାପୁଟ: କିଏ କହେ ଝିଅ ଜନମ ପର ଘରକୁ। ଆଜିର ସମାଜରେ ଅବଳା ଅନେକଙ୍କ ପାଇଁ ଅଲୋଡ଼ା ହୋଇଥାଇପାରନ୍ତି, ସମାଜରେ କନ୍ୟା ଭ୍ରୁଣ ଘଟଣା ବଢ଼ିଥାଇପାରେ, ଈଶ୍ୱରଙ୍କ ସେବାରେ ସମର୍ପିତ ନିର୍ମଳା ଓ ଦୀପାଳି କିନ୍ତୁ ଅଲୋଡ଼ା ନୁହନ୍ତି। କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ଏହି ଦୁଇ ଭଉଣୀ ନିଜର ସବୁ ହସଖୁସିକୁ ଅଣ୍ଟିରେ ଚାପି ଧରି ବାପା,ମା ଓ ପରିବାର ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଏମାନଙ୍କ ସେବା ଓ ସମର୍ପଣ ଭାବ ଦେଖିଲେ ବୁଝି ହୁଏ ଅବଳା ନୁହେଁ ଅଲୋଡ଼ା।
ଜୟପୁର ବ୍ଲକ ରାଣୀଗଡ଼ ରାସ୍ତାରେ କେବିଡିପେଟା ଅଞ୍ଚଳର ମୂଳ ବାସିନ୍ଦା ଈଶ୍ୱର ଖୋସଲା ନିଜ ପରିବାରକୁ ନେଇ ବହୁ କଷ୍ଟରେ ଚଳୁଥିଲେ। ସମୟକ୍ରମେ ଜୀବନ ପାଇଁ ଜୀବିକା ସନ୍ଧାନରେ ସେ କୋରାପୁଟ ସହରକୁ ପରିବାର ସହ ଚାଲି ଆସିଥିଲେ। ଏଠାକୁ ଆସିବା ପରେ ଏବେ ବହୁବର୍ଷ ହେଲା ସେ ବନଭାରତୀ ଅଞ୍ଚଳରେ ଭଡ଼ା ସୂତ୍ରରେ ରହୁଛନ୍ତି। ବଡ଼ ପୁଅ ବାହା ହେବା ପରେ ଅଲଗା ରହୁଛନ୍ତି। ସ୍ତ୍ରୀ କେବେଠାରୁ ହାତ ଛାଡ଼ି ଆରପାରିରେ। ବଡ଼ ଝିଅ ଦୀପାଳି ନାୟକ ବାହା ହୋଇ ଶାଶୂଘର ଯାଇଥିଲେ। ସ୍ୱାମୀ ତାଙ୍କ ହାତ ଛାଡ଼ି ଆରପାରିକୁ ଚାଲିଯିବା ପରେ ସେ ତାଙ୍କର ଏକମାତ୍ର ଝିଅ ସହ ଈଶ୍ୱରଙ୍କ ଘରକୁ ଚାଲି ଆସିଲେ। ସାନ ଝିଅ ନିର୍ମଳ ଓ ଦୀପାଳି ସହ ନାତୁଣୀଙ୍କ ପାଇଁ ଖାଦ୍ୟ ଯୋଗାଡ଼ରେ ନୟାନ୍ତ ହୋଇପଡ଼ିଲେ ଈଶ୍ୱର। ଏଭଳି କିଛିଦିନ ଯିବା ପରେ ବେଶ କିଛିବର୍ଷ ହେଲା ଈଶ୍ୱର ଆଉ ପୂର୍ବ ଭଳି କାମ କରିବାକୁ ସକ୍ଷମ ନୁହନ୍ତି। ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସାରରେ ଦୁଃଖର ପାହାଡ଼ ଲଦି ହୋଇଯାଇଛି। ଏଭଳି ସ୍ଥିତିରେ ଘରର ମଙ୍ଗ ସମ୍ଭାଳିଛନ୍ତି ସାନ ଝିଅ ନିର୍ମଳ। ବାପା, ବଡ଼ଭଉଣୀ ଓ ଝିଆରୀର ଖୁସି ପାଇଁ ସେ ନିଜର ସବୁ ହସଖୁସିକୁ ଜଳାଞ୍ଜଳି ଦେଇ ଆଉ କାହା ହାତ ଧରି ଶାଶୂଘର ଯିବା ପାଇଁ ସିଧାସିଧା ମନା କରି ଦେଇଛନ୍ତି। ବାପାଙ୍କ ଏଭଳି ଅବସ୍ଥାରେ ତାଙ୍କର ସେବାକୁ ପ୍ରାଥମିକତା ଦେଇ ଦୁଇ ଭଉଣୀ ସକାଳ ନ ପାଉଣୁ କୋରାପୁଟ ବଜାରକୁ ପରିବା ବିକ୍ରି କରିବା ପାଇଁ ଚାଲି ଆସନ୍ତି। ବିଭିନ୍ନ ଅଞ୍ଚଳରୁ ବଜାରକୁ ଆସୁଥିବା ଛୋଟବଡ଼ ବ୍ୟବସାୟୀଙ୍କ ଠାରୁ ହଜାରେ ପନ୍ଦରଶହ ଟଙ୍କାର ବିଭିନ୍ନ ପନିପରିବା କ୍ରୟ କରି କୋରାପୁଟ ବଜାରର ବିଭିନ୍ନ ସ୍ଥାନରେ ସେତକ ବିକ୍ରି କରିବାକୁ ଚେଷ୍ଟା କରନ୍ତି ଦୁଇ ଭଉଣୀ। ଦିନସାରା ବିକ୍ରି କଲେ ୧୦୦ରୁ ଦେଢ଼ଶହ ଟଙ୍କା ମିଳେ। ଏବେ କିନ୍ତୁ ପରିସ୍ଥିତି ଭିନ୍ନ। ହାଟପଦା ଅଞ୍ଚଳରେ ସେମାନେ ବସି ପରିବା ବିକ୍ରି କରୁଥିବାବେଳେ ସେଠାରୁ ପୁଲିସ ସେମାନଙ୍କୁ ଘଉଡ଼ାଇ ଦେଇଛି। ଏଣୁ ଅମଲାକୁଟୀର ରୋଡରେ ଦୁଇ ଭଉଣୀ ପରିବା ବିକ୍ରି କରୁଛନ୍ତି। କରୋନା କଟକଣା ଭିତରେ ଦୁର୍ବିସହ ହୋଇପଡ଼ିଛି ଏମାନଙ୍କ ଜୀବନଜୀବିକା। ଏମାନଙ୍କୁ କୌଣସି ସରକାରୀ ସହାୟତା ମିଳୁ ନ ଥିବା ସେମାନେ କହନ୍ତି। ଦୀପାଳିଙ୍କର ଗୋଟିଏ ରାସନ କାର୍ଡ ଅଛି, ତେବେ ଈଶ୍ୱରଙ୍କୁ ନାଁ ମିଳିଛି ସରକାରୀ ସହାୟତା, ନାଁ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ମିଳିଛି। ଏତିକି ରୋଜଗାରରେ ଭଡ଼ା ଦେବା ମଧ୍ୟ ଅସମ୍ଭବ ହେଉଥିଲେ ହେଁ ଏହି ଦୁଇ ଭଉଣୀ ବହୁ କଷ୍ଟ ସହ୍ୟ କରି ଭଡ଼ା ଦେବା ସହ ପରିବାର ଚଳାଉଥିବାବେଳେ ଅବିବାହିତା ରହିବା ପାଇଁ ନିଷ୍ପତ୍ତି ନେଇ ଦୀପାଳିଙ୍କ ସହ ମିଶି ନିର୍ମଳ ପରିବାରର ମଙ୍ଗ ଧରିଛନ୍ତି। ଅସହାୟ ଅବସ୍ଥାରେ ଥିବା ଏହି ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଗଲେ ସେମାନେ ନିଜ ଜୀବନ ସହ ଜୀବିକାକୁ ଆଗେଇପାରନ୍ତେ ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ଏ ନେଇ ଜୟପୁର ବିଡିଓଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ସତ୍ତ୍ବେ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

Related Articles

Popular Categories