ରାହୁଲ ୱିକେଟ ରକ୍ଷଣ କରିବେ ନାହିଁ: ଦ୍ରାବିଡ଼

ହାଇଦରାବାଦ: ଚଳିତମାସ ୨୫ରୁ ଘରୋଇ ଭାରତ ବିପକ୍ଷରେ ଇଂଲଣ୍ଡ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳାରେ କେ.ଏଲ୍‌. ରାହୁଲ ୱିକେଟ ରକ୍ଷଣ କରି​ବେ ନାହିଁ। ରାହୁଲ ଯଦି ଚୂଡ଼ାନ୍ତ ଏକାଦଶରେ ସ୍ଥାନପାଇବେ, ସେ ଜ​‌ଣେ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ ଭାବେ ଖେଳିବେ। କୋନା ଶ୍ରୀକର ଭାରତ କିମ୍ବା ନବାଗତ ଧ୍ରୁବ ଜୁରେଲଙ୍କ ମଧ୍ୟରୁ ଜଣେ ଟେଷ୍ଟ ଶୃଙ୍ଖଳାରେ ୱିକେଟ୍‌ ରକ୍ଷଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼।

prayash

ନିକଟରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା​ରେ କେ.ଏଲ୍‌. ୱିକେଟ ରକ୍ଷଣ କରିଥିଲେ। ଫଳରେ ଭାରତ ୫ ଜଣ ବୋଲରଙ୍କୁ ଖେଳାଇ ପାରିଥିଲା। ହେଲେ ଘରୋଇ ବାତାବରଣରେ ରାହୁଲ ୱିକେଟ ରକ୍ଷଣ କରିବାରେ ଅସୁବିଧା ଅନୁଭବ କରିବେ। ତେଣୁ ବିଶେଷଜ୍ଞ ୱିକେଟ ରକ୍ଷକଙ୍କୁ ଖେଳାଇବା ହିଁ ଶ୍ରେଷ୍ଠ ବିକଳ୍ପ। ରାହୁଲ ଦ୍ରାବିଡ଼ କହିଛନ୍ତି, ଜଣେ ୱିକେଟ ରକ୍ଷକ ଭାବେ ରାହୁଲ ଏହି ଶୃଙ୍ଖଳାରେ ଖେଳିବେ ନାହିଁ। ଏହା ଅନୁସାରେ ଦଳ ମନୋନୟନ କରାଯାଇଛି। ରାହୁଲଙ୍କୁ ଛାଡ଼ି ଦଳରେ ୨ ଜଣ ବିଶେଷଜ୍ଞ ୱିକେଟ ରକ୍ଷକ ଅଛନ୍ତି। ତେବେ ସ୍ବୀକାର କରିବାକୁ ପଡ଼ିବ ଯେ ରାହୁଲ ଦକ୍ଷିଣ ଆଫ୍ରିକାରେ ଚମତ୍କାର ୱିକେଟ ରକ୍ଷଣ ସହ ଭଲ ବ୍ୟାଟିଂ କରିଥିଲେ। ତାଙ୍କର ପ୍ରଦର୍ଶନ ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଆମେ ଶୃଙ୍ଖଳା ଡ୍ର କରି ପାରିଥିଲୁ। ହେଲେ ଭାରତର ପିଚ୍‌ ଓ ବାତାବରଣ ଭିନ୍ନ। ଶୃଙ୍ଖଳାରେ ୫ଟି ଟେଷ୍ଟମ୍ୟାଚ୍‌ ରହିଛି। ତେଣୁ ୨ ବିଶେଷଜ୍ଞ ୱିକେଟ ରକ୍ଷକଙ୍କ ମଧ୍ୟରୁ ଜଣେ ଖେଳିବେ। ସୂଚନାଯୋଗ୍ୟ; ଭାରତ​‌ରେ ଟେଷ୍ଟମ୍ୟାଚ୍‌ରେ ସ୍ପିନର ଅଧିକ ବୋଲିଂ କରିଥାଆନ୍ତି। ପିଚ୍‌ରେ ବଲ୍‌ ଟର୍ଣ୍ଣ କରିଥାଏ ଏବଂ ଅସମତଳ ବାଉନ୍‌ସ ରହିଥାଏ। ତେଣୁ ଏଠା​‌ରେ ୱିକେଟ ରକ୍ଷଣ କଷ୍ଟକର। ୨୦୨୩ ଫେବୃଆରୀ-ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳା ଏବଂ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲରେ କେ.ଏସ୍‌. ଭାରତ ୱିକେଟ ରକ୍ଷଣ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ଶୃଙ୍ଖଳା​‌ରେ ଈଶାନ୍ କିଷନ ୱିକେଟ ରକ୍ଷଣ କରିଥିଲେ। ନିକଟରେ ରଣଜୀ ଟ୍ରଫିରେ ଭାରତ ଶତକ ହାସଲକରି ୨୫ରୁ ହାଇଦରାବାଦରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟମ୍ୟାଚ୍‌ରେ ଖେଳିବାର ଦୃଢ଼ ଦାବି ଉପସ୍ଥାପନ କରି ପାରିଛନ୍ତି। ହାଇଦରାବାଦର ପିଚ୍‌ରେ ବଲ୍‌ ସ୍ପିନ୍‌ କରିବ ବୋଲି ଅନୁମାନ କରାଯାଉଛି। ତେଣୁ ଭାରତ ଏହି ମ୍ୟାଚ୍‌ରେ ୩ ଜଣ ସ୍ପିନରଙ୍କୁ ଖେଳାଇପାରେ। ଉତ୍ତର ପ୍ରଦେଶର ୨୨ ବର୍ଷ ବୟସ୍କ ଧ୍ରୁବ ଜୁରେଲ୍‌ଙ୍କର ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିବାର ଅଭିଜ୍ଞତା ନାହିଁ। ତଥାପି ତାଙ୍କୁ ବହୁତ ପ୍ରତିଭାବାନ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପ୍ରଶିକ୍ଷକ ବ୍ରେଣ୍ଡନ୍‌ ମ୍ୟାକ୍‌କଲମ୍ ଓ ଅଧିନାୟକ ବେନ୍‌ ଷ୍ଟୋକ୍‌ସଙ୍କ ଅଧୀନରେ ଇଂଲଣ୍ଡ ଗତ ୧୯ଟି ଟେଷ୍ଟମ୍ୟାଚ୍‌ ଖେଳି ୧୩ଟି ଜିତିପାରିଛି।

Comments are closed.