କେକେଆର୍ର ସହଜ ବିଜୟ
କଲକାତା : ଆଇପିଏଲ୍-୧୧ରେ ଅଦ୍ୟାବଧି ସବୁଠାରୁ ବଡ଼ ବିଜୟ ହାସଲ କରିଛି କଲକାତା ନାଇଟ ରାଇଡର୍ସ (କେକେଆର୍) ବ୍ୟାଟ୍ସମ୍ୟାନ୍ଙ୍କ ବିସ୍ଫୋରକ ପ୍ରଦର୍ଶନ ପରେ ଦୁଇ ସ୍ପିନର କୁଲଦୀପ ଯାଦବ ଓ ସୁନୀଲ ନାରାୟଣଙ୍କ ବୋଲିଂ ସଫଳତା ବଳରେ ୭୧ ରନ୍ରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ପରାସ୍ତ କରିଛି। ନୀତୀଶ ରାଣା ଓ ଆନ୍ଦ୍ରେ ରସେଲ୍ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଘରୋଇ କେକେଆର୍ ୯ ୱିକେଟରେ ୨୦୦ ରନ୍ କରିଥିଲା। ପରେ ଋଷଭ ପନ୍ତ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ ଆକ୍ରମଣାତ୍ମକ ଇନିଂସ ସତ୍ତେ୍ୱ ଦିଲ୍ଲୀ ୧୪.୨ ଓଭରରେ ୧୨୯ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ୪ର୍ଥ ମ୍ୟାଚ୍ରେ କେକେଆର୍ର ଏହା ୨ୟ ବିଜୟ। ଅନ୍ୟପକ୍ଷରେ ୪ର୍ଥ ମ୍ୟାଚ୍ରେ ଦିଲ୍ଲୀ ୩ୟ ପରାଜୟ ଭୋଗିଛି।
୨୦୧ ରନ୍ ଲକ୍ଷ୍ୟରେ ଦିଲ୍ଲୀ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ୩ ଓଭରରେ ୨୪ ରନ୍ରେ ଏହାର ୩ଟି ୱିକେଟ ପଡ଼ି ଯାଇଥିଲା। ଜେସନ୍ ରୟ ୧, ଶ୍ରେୟାସ ଆୟର ୪ ଓ ଅଧିନାୟକ ଗୌତମ ଗମ୍ଭୀର ୮ ରନ୍କରି ବିଦାୟ ନେଇଥିଲେ। ଏହାପରେ ଋଷଭ ପନ୍ତ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ ଆକ୍ରମଣାତ୍ମକ ବ୍ୟାଟିଂକରି ଦ୍ରୁତଗତିରେ ସ୍କୋର୍ ବଢ଼ାଇ ଚାଲିଥିଲେ। ଦୁହେଁ ୫.୩ ଓଭରରେ ୬୨ ରନ୍ ଯୋଗ କରିଥିଲେ। ବାମହାତି ଋଷଭ ପନ୍ତ୍ ୨୬ ବଲ୍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୩ ରନ୍କରି ବିଦାୟ ନେଇଥିଲେ। ମ୍ୟାକ୍ସୱେଲ ମଧ୍ୟ ବିସ୍ଫୋରକ ବ୍ୟାଟିଂକରି ୨୨ ବଲ୍ରୁ ୪ଟି ଛକା ଓ ୩ଟି ଚୌକା ସହ ୪୭ ରନ୍କରି ଆଉଟ ହୋଇ ଯାଇଥିଲେ। ପରେ କଲକାତା ସ୍ପିନରଙ୍କ ସମ୍ମୁଖରେ ଦିଲ୍ଲୀର ବ୍ୟାଟ୍ସମ୍ୟାନ୍ମାନେ ହାତ ଟେକି ଦେଇଥିଲେ। ରାହୁଲ ତିୱାତିଆ ୧ ଏବଂ ବିଜୟ ଶଙ୍କର ଓ କ୍ରିସ୍ ମରିସ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଡେୟାରଡେଭିଲ୍ସ ୪୩ ରନ୍ରେ ୭ଟି ୱିକେଟ ହରାଇ ପରାଜୟ ଆଡ଼କୁ ଅଗ୍ରସର ହୋଇଥିଲା। କୁଲଦୀପ ଯାଦବ ଓ ସୁନୀଲ ନାରାୟଣ ୩ଟି ଲେଖାଏଁ ୱିକେଟ ନେଇଥିଲେ। ଯୁବ ଫାଷ୍ଟବୋଲର ଶିବମ୍ ମାଭି ୨ ଓଭର ବୋଲିଂକରି ୧୪ ରନ୍ନେଇ ଗୌତମ ଗମ୍ଭୀରଙ୍କୁ ବୋଲ୍ଡ କରିଥିଲେ।
ଟସ୍ ଜିତି ଦିଲ୍ଲୀ ଡେୟାରଡେଭିଲ୍ସ ଫିଲ୍ଡିଂ ନେଇଥିଲା। ସୁନୀଲ ନାରାୟଣ ୧ ରନ୍କରି ଆଉଟ ହେବା ପରେ କ୍ରିସ୍ ଲିନ୍ ଓ ରବିନ୍ ଉଥପ୍ପା ୨ୟ ୱିକେଟ ପାଇଁ ୫୫ ରନ୍ ଯୋଡ଼ିଥିଲେ। ଅଷ୍ଟ୍ରେଲୀୟ ଲିନ୍ ୨୯ ବଲ୍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୧ ରନ୍ କରିଥିଲେ। ଆକ୍ରମଣାତ୍ମକ ବ୍ୟାଟିଂକରି ଉଥପ୍ପା ୧୯ ବଲ୍ରୁ ୩ଟି ଛକା ଓ ୨ଟି ଚୌକା ସହ ୩୫ ରନ୍ କରିଥିଲେ। ପରେ ଅଧିନାୟକ ଦିନେଶ କାର୍ତ୍ତିକ ଦ୍ରୁତ ୧୯ ରନ୍କରି ବିଦାୟ ନେଇଥିଲେ। ୧୩ ଓଭରରେ କଲକାତା ୧୦୮ ରନ୍ କରିଥିବା ବେଳେ ପରବର୍ତ୍ତୀ ୬ ଓଭରରୁ ଏହା ୮୧ ରନ୍ ନେଇଥିଲା। ଏହା ସମ୍ଭବ ହୋଇଥିବା ରସେଲ ଓ ନୀତୀଶ ରାଣାଙ୍କ ପ୍ରହାର ଯୋଗୁଁ। ଦୁହେଁ ୨୨ ବଲ୍ରୁ ୬୧ ରନ୍ ନେଇଥିଲେ। ରସେଲ ମାତ୍ର ୧୨ ବଲ୍ରୁ ୬ଟି ଛକା ସହ ୪୧ ରନ୍ କରିଥିଲେ। ବାମହାତି ରାଣା ୩୫ ବଲ୍ରୁ ୪ଟି ଛକା ଓ ୫ଟି ଛକା ସହ ୫୯ ରନ୍ କରିଥିଲେ। ଲେଗ୍ସ୍ପିନର ରାହୁଲ ତିୱାତିଆ ଶେଷ ଓଭରରେ ମାତ୍ର ୧ ରନ୍ଦେଇ ୩ଟି ୱିକେଟ ନେଇଥିଲେ। ଦୁଇ ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ଓ କ୍ରିସ୍ ମରିସ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।